fbpx

‘୫ କୋଟିର ଘଣ୍ଟା ଜବତ ହେବା କଥା ପୂରା ମିଛ, ମୁଁ କଷ୍ଟମ୍ ବିଭାଗକୁ ସବୁ ଡକ୍ୟୁମେଣ୍ଟ ଦେବାକୁ ରାଜି ଅଛି’: ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି । ବିମାନବନ୍ଦରରେ କଷ୍ଟମ୍ ବିଭାଗ ଦ୍ୱାରା ତାଙ୍କର ଦୁଇଟି ୫ କୋଟି ଟଙ୍କାର ଘଣ୍ଟାକୁ ଜବତ କରାଯାଇଛି । ତେବେ ଏହି ଖବର ଉପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବୟାନ ରଖିଛନ୍ତି ଓ ସତ କଣ ତାହା ଜଣାଇଛନ୍ତି । ତେବେ ହାର୍ଦ୍ଦିକଙ୍କ ପାଖରେ ପାଟେକ୍ ଫିଲିପ୍ ନଟିଲସ୍ ପ୍ଲାଟିନମ୍ ୫୭୧୧ ସହିତ ରେୟାର୍ ଓ ସବୁଠାରୁ ମହଙ୍ଗା ବ୍ରାଣ୍ଡର ଘଣ୍ଟା କଲେକ୍ସନ୍ ରହିଛି ।

ଏହି ମାମଲାର ମଙ୍ଗଳବାର ଦିନ ସକାଳେ ପାଣ୍ଡ୍ୟା ଟୁଇଟ୍ କରି ସଫେଇ ଦେଇଛନ୍ତି । ସେ ଲେଖିଛନ୍ତି ଯେ, “ନଭେମ୍ବର ୧୫ ତାରିଖ ଦିନ ଦୁବାଇରୁ କିଛି ଜିନିଷ କିଣାକିଣି କରିବା ପରେ ମୁମ୍ବାଇ ବିମାନବନ୍ଦରକୁ ଆସିଥିଲି । ମୁଁ ତାର କଷ୍ଟମ୍ ଡ୍ୟୁଟି ଦେବାପାଇଁ ଏୟାରପୋର୍ଟରେ ଥିବା କଷ୍ଟମ୍ କାଉଣ୍ଟରକୁ ଯାଇଥିଲି । ମୋ ବିଷୟରେ ଭୁଲ ତଥ୍ୟ ସୋସିଆଲ୍ ମିଡିଆରେ ଖେଳାଯାଉଛି । ମୁଁ ନିଜେ ବିମାନବନ୍ଦରରେ ସବୁଜିନିଷ କଷ୍ଟମ୍ ଅଧିକାରୀ ମାନଙ୍କୁ ଦେଖାଇଥିଲି” ।

ସେ ଆଗକୁ କହିଛନ୍ତି ଯେ, “କଷ୍ଟମ୍ ଡିପାର୍ଟମେଣ୍ଟ ମୋତେ ସବୁ ଡକ୍ୟୁମେଣ୍ଟ ମାଗିଥିଲେ । ସେମାନେ ସବୁ ଡ୍ୟୁଟିର ମୁଲ୍ୟାଙ୍କନ କରିଥିଲେ । ମୁଁ ସବୁ ଡ୍ୟୁଟି ଭରିବାକୁ ରାଜି ଅଛି । ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ୫ କୋଟି ଟଙ୍କାର ଘଣ୍ଟା କଥା ସମ୍ପୂର୍ଣ୍ଣ ମିଛ । ସେ ଘଣ୍ଟା ୧.୫ କୋଟି ଟଙ୍କାର ଥିଲା । ମ୍ୟୁ ଦେଶର ନିୟମକାନୁନ ମାନୁଥିବା ଜଣେ ନାଗରିକ । ସରକାରଙ୍କ ସବୁ ଏଜେନ୍ସିକୁ ସମ୍ମାନ ଦିଏ” । ସେ ଆହୁରି ବି କହିଛନ୍ତି ଯେ, ଦୁବାଇରୁ ଯାହା ବି ଜିନିଷ ଆଣିଛି ସବୁର ବିଲ୍ ଓ ସମସ୍ତ ତଥ୍ୟ ଦେବାକୁ ମୁଁ ରାଜି ଓ କଷ୍ଟମ୍ ବିଭାଗ ମଧ୍ୟ ପୂରା ସହଯୋଗ କରୁଛନ୍ତି ।

Get real time updates directly on you device, subscribe now.