CSK ବୋଲରଙ୍କ ଓଭରରେ ଛକା ବୃଷ୍ଟି କଲେ ହାର୍ଦ୍ଦିକ: IPL-2025 ପୂର୍ବରୁ ଧୋନୀଙ୍କୁ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନ ଶେଷ ହୋଇସାରିଛି । ଏହି ନିଲାମୀରେ ଅନେକ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଆଗାମୀ ସିଜନ ପାଇଁ ଦଳ ଗୁରଜପନୀତ ସିଂହଙ୍କୁ ମଧ୍ୟ ଦଳରେ ସାମିଲ କରିଛି । ତେବେ ଏହି ଖେଳାଳି ଚେନ୍ନାଇ ପାଇଁ ଖୁବ ମହଙ୍ଗା ସାବ୍ୟସ୍ତ ହୋଇପାରନ୍ତି । ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ଏକ ଝଟକା ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଗୁରଜପନୀତଙ୍କ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ହାର୍ଦ୍ଦିକ ଏହାର ସଂକେତ ଦେଇଛନ୍ତି ।

ସୟଦ ମୁସ୍ତକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଆଜି ମୁହାଁମୁହିଁ ହୋଇଥିଲେ ତାମିଲନାଡୁ ଏବଂ ବରୋଦା । ଏହି ମ୍ୟାଚରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । ମାତ୍ର ୨୦ ବଲରୁ ଅର୍ଦ୍ଧଶତକ ହାସଲ କରି ଦଳକୁ ଦମଦାର ବିଜୟ ଭେଟି ଦେଇଛନ୍ତି । ତାମିଲନାଡୁର ୨୨ ରନ ଟାର୍ଗେଟକୁ ପିଛା କରି ବରୋଦା ସଂଘର୍ଷ କରୁଥିଲା । ୧୫୨ ରନରେ ୬ ୱିକେଟ ହରାଇବା ପରେ ଦଳର ବିଜୟକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଏହି ସମୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖତରନାକ ବ୍ୟାଟିଂ ଆରମ୍ଭ କରିଥିଲେ । ଶେଷ ୨୬ ବଲରୁ ୭୦ରନର ଆବଶ୍ୟକତା ଥିବା ବେଳେ ହାର୍ଦ୍ଦିକ ଗୋଟିଏ ଓଭରରେ ଖେଳର ମୋଡ଼ ବଦଳାଇ ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବୋଲରଙ୍କ ଓଭରରେ ୨୯ ରନ୍ ସଂଗ୍ରହ କରିଛନ୍ତି ହାର୍ଦ୍ଦିକ ।

ତାମିଲନାଡୁ ପକ୍ଷରୁ ବାମହାତୀ ବୋଲର ଗୁଜପନୀତ ସିଂହ ୧୭ତମ ଓଭର ବୋଲିଂ କରିବାକୁ ଆସିଥିଲେ । ଏହି ଓଭରରେ ହାର୍ଦ୍ଦିକ ୪ଟି ଲଗାତାର ଛକା ଏବଂ ଗୋଟିଏ ଚୌକା ସହ ମ୍ୟାଚ୍ ମୋଡ଼ ବଦଳାଇ ଦେଇଥିଲେ । ଏହାପରେ ମାତ୍ର ୩୦ ବଲରୁ ୬୯ ରନ୍ କରି ଆଉଟ ହୋଇଥିଲେ ହାର୍ଦ୍ଦିକ । କିନ୍ତୁ ବରୋଦାକୁ ବିଜୟର ଖୁବ ପାଖରେ ପହଞ୍ଚାଇ ଦେଇ ସେ ପାଭିଲିୟନ ଫେରିଥିଲେ । ପରେ ବରୋଦା ଏହି ମ୍ୟାଚ୍ ଉପରେ କବଜା କରିଛି । ତେବେ ଗୁରଜପନୀତଙ୍କୁ ଚେନ୍ନାଇ ସୁପର କିଙ୍ଗସ ଦଳରେ ସାମିଲ କରିବା ପରେ ତାଙ୍କର ଏପରି ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ହୋଇପାରେ ।