ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନରୁ ନିଜ ପ୍ରେମକୁ ପାଇବା ପାଇଁ ସେ ଭାରତ ଚାଲି ଆସିଥିବା ଦାବି କରି ଚାଲିଛନ୍ତି । ଗେଟର ନୋଏଡାର ସଚିନଙ୍କୁ ସେ ତାଙ୍କ ସ୍ୱାମୀ ବୋଲି କହି ବର୍ତ୍ତମାନ ଭାରତୀୟ ନାଗରିକ ହେବା ପାଇଁ ଜିଦ୍ ଧରିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ଭାରତ ଆସିବାର ପ୍ରକୃତ କାରଣ ସାମ୍ନାକୁ ଆସିଛି । କୁହାଯାଉଛି ସୀମା ତାଙ୍କ ପ୍ରେମ ସଚିନ୍ ପାଇଁ ନୁହେଁ, ବରଂ ଆଗକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଭାରତ ଆସିଛନ୍ତି । ବିଶ୍ୱକପ ଶେଷ ହେବା ପରେ ସେ ପୁଣି ପାକିସ୍ତାନ ଚାଲିଯିବେ ବୋଲି ଆଲୋଚନା ଆରମ୍ଭ ହୋଇଛି ।
ଆଗକୁ ଆସୁଛି ଦିନିକିଆ ବିଶ୍ୱକପ । କିନ୍ତୁ ତା’ ପୂର୍ବରୁ ଭାରତର କ୍ରିକେଟ ବୋର୍ଡ ଏବଂ ପାକିସ୍ତାନ କ୍ରିକେଟ ସଂଘ ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଛି । ଭାରତ ଏସିଆ କପ୍ ପାଇଁ ପାକିସ୍ତାନକୁ ଯିବାକୁ ମନା କରି ଦେଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚ ଏବେ ଶ୍ରୀଲଙ୍କାରେ ଖେଳାଯିବ । ତେଣୁ ଏହାର ପ୍ରତିଶୋଧ ପାକିସ୍ତାନ ବିଶ୍ୱକପରେ ମଧ୍ୟ ନେଇପାରେ । ଅନେକ ବାଦ ବିବାଦ ଏବଂ ବିଭିନ୍ନ ଚେଷ୍ଟା ପରେ ବି ପାକିସ୍ତାନ ଭାରତର ଏହି ଜିଦ୍ ଆଗରେ ହାର ମାନିଛି । ଏପରିକି ଏସିସି ମଧ୍ୟ ବିସିସିଆଇକୁ ସମର୍ଥନ ଜଣାଇଛି । ତେଣୁ କ୍ରିକେଟକୁ ଖୁବ ଭଲ ପାଉଥିବାରୁ ସୀମା ଭାରତକୁ ବିଶ୍ୱକପ ଦେଖିବାକୁ ଆସିଥିବା କୁହାଯାଉଛି । ବିଶ୍ୱକପ ପରେ ସେ ପୁଣି ଥରେ ପାକିସ୍ତାନ ଫେରିଯିବେ ବୋଲି କହିଛନ୍ତି ଜଣେ ପାକିସ୍ତାନୀ ୟୁଟ୍ୟୁବର ।
କିନ୍ତୁ ସୀମା ଏହି କଥାକୁ ଖଣ୍ଡନ କରିଛନ୍ତି । ସୀମା କହିଛନ୍ତି ଯେ, ମୁଁ ଭାରତକୁ ବିଶ୍ୱକପ ପାଇଁ ଆସିନାହିଁ । ମୁଁ କେବଳ ସଚିନଙ୍କ ଭଲ ପାଇବା ପାଇଁ ଏଠାକୁ ଆସିଛି । ତେବେ ହଁ କ୍ରିକେଟ ଦେଖିବା ପାଇଁ ମୁଁ ପସନ୍ଦ କରେ ଏବଂ ବିରାଟ କୋହଲିଙ୍କର ମୁଁ ଜଣେ ବଡ଼ ଫ୍ୟାନ ବୋଲି କହିଛନ୍ତି ସୀମା । କେବଳ ମୁଁ ନୁହେଁ ସାରା ପାକିସ୍ତାନ ବିରାଟଙ୍କ ଫ୍ୟାନ୍ ବୋଲି ସେ ଦାବି କରିଛନ୍ତି । ଏହାପରେ ସୀମା କହିଛନ୍ତି ଯେ, ଭାରତ ଆସିବାକୁ ଭିସା ପାଇଁ ବହୁ ଚେଷ୍ଟା ପରେ ନିରାଶ ହେବାରୁ ନେପାଳ ରାସ୍ତା ଦେଇ ଭାରତ ଆସିଛନ୍ତି । ଏହାବ୍ୟତୀତ ଭାରତ ଆସିବାରେ ପାକିସ୍ତାନ ଟ୍ରାଭେଲ ଏଜେନ୍ସିର ଜଣେ ସଦସ୍ୟ ତାଙ୍କୁ ସହଯୋଗ କରିଥିବା କହିଛନ୍ତି ସୀମା ।