fbpx

ବିରୋଧୀଙ୍କ ‘ଇଣ୍ଡିଆ ଆଉଟ୍ କ୍ୟାମ୍ପେନ’ ମଧ୍ୟରେ ଶେଖ୍ ହସିନା ସରକାର ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ବାଙ୍ଗଲାଦେଶରେ ଜାନୁୟାରୀ ୨୦୨୪ରେ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ କ୍ଷମତାଧାରୀ ଦଳ ଆୱାମୀ ଲିଗ୍ ଲଗାତର ୪ର୍ଥ ଥର ପାଇଁ ସରକାର ଗଢିବାରେ ସଫଳ ହୋଇଛି । ଏହାପରଠାରୁ ଦେଶରେ ମୁଖ୍ୟ ବିରୋଧୀ ଦଳ ବିଏନପି ଓ ଏହାର ସହଯୋଗୀ ଘରୋଇ ରାଜନୀତିରେ ଭାରତ ଉପରେ ହସ୍ତକ୍ଷେପର ଅଭିଯୋଗ ଲଗାଇ ଭାରତୀୟ ଦ୍ରବ୍ୟ ପ୍ରତ୍ୟାଖାନ କରିବାକୁ ଅଭିଯାନ ଚଳାଇଛନ୍ତି ।

ତେବେ ଏହି ଭାରତ ବିରୋଧୀ ଅଭିଯାନ ମଧ୍ୟରେ ଶେଖ ହସୀନା ସରକାର ଭାରତରୁ ୫୦ ହଜାର ଟନ୍ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି । ହସୀନା ସରକାରର ଅର୍ଥନୈତିକ ବିଭାଗ କ୍ୟାବିନେଟ୍ ସମିତି ବୁଧବାର ଏହି ସମ୍ବନ୍ଧରେ ବାଣିଜ୍ୟ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ।

ହସୀନା ସରକାରଙ୍କ ଏହି ପଦକ୍ଷେପ ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି କି ବାଙ୍ଗଲାଦେଶର ମୁଖ୍ୟ ବିରୋଧୀ ଦଳ ବିଏନପି ଓ ଏହାର ସହଯୋଗୀ ଦଳର ନେତା ଦେଶ ମଧ୍ୟରେ ଭାରତର ପ୍ରଭାବକୁ ଶେଷ କରିବା ପାଇଁ ‘ଇଣ୍ଡିଆ ଆଉଟ୍ କ୍ୟାମ୍ପେନ’ ପରିଚାଳନା କରୁଛନ୍ତି । ଏହି କ୍ୟାମ୍ପେନ ଜରିଆରେ ସେମାନେ ବାଙ୍ଗଲାଦେଶରେ ଭାରତୀୟ ସାମଗ୍ରୀ ବହିଷ୍କାର କରିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ।

ବିଏନପି ନେତା ରୁହୁଲ କବୀର ଏହି କ୍ୟାମ୍ପେନ୍ ଜରିଆରେ କାଶ୍ମୀର ସାଲକୁ ଜଳାଇ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା ତାଙ୍କୁ କଟାକ୍ଷ କରି କହିଥିଲେ ସେ ଏବେ ଭାରତୀୟ ମସଲା ବିନା ଖାଦ୍ୟ ଖାଇପାରିବେ କି? ଏହା ସହିତ ହସୀନା କହିଥିଲେ ଯେତେବେଳେ ବିରୋଧୀ ଦଳ ନେତା ନିଜ ପାର୍ଟି ଅଫିସ୍ ଆଗରେ ନିଜ ପତ୍ନୀଙ୍କ ଶାଢୀ ଜଳାଇବେ ସେତେବେଳେ ଏହା ପ୍ରମାଣିତ ହେବ ଯେ ଭାରତୀୟ ଉତ୍ପାଦକୁ ବହିଷ୍କାର କରିବା ପାଇଁ ସେ ପୁରା ପ୍ରତିବଦ୍ଧ ।

ଅନ୍ୟପକ୍ଷରେ ଭାରତ ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇଛି । କିନ୍ତୁ ବାଙ୍ଗଲାଦେଶ ଓ ୟୁଏଇ ଲାଗି ଏହି ପ୍ରତିବନ୍ଧକୁ ଲାଗୁ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ଫଳରେ ରମଜାନ ଓ ଇଦ୍ ପୂର୍ବରୁ ପିଆଜ ରପ୍ତାନୀକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.