CHARIDHAM

କାଠଯୋଡ଼ି ନଦୀର ପାଣି ଏତେ ବିଷାକ୍ତ ଯେ ସେଥିରେ ମାଛ ବି ବଞ୍ଚି ପାରିବ ନାହିଁ, ମଣିଷର ଅବସ୍ଥା କ’ଣ ହେବ ଥରେ ଭାବନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ପ୍ରବାହିତ କାଠଯୋଡ଼ି ନଦୀର ଜଳ ଅତ୍ୟନ୍ତ ନିମ୍ନମାନର । ଏହି ଜଳରେ ଅମ୍ଲଜାନ ଧାରଣ କ୍ଷମତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏହି ନଦୀର ଜଳ ଏବେ ବ୍ୟବହାର ଉପଯୋଗୀ ନୁହେଁ । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଜଳଚଳ ପ୍ରାଣୀ ମାଛ ବି ଏହି ଜଳରେ ବଞ୍ଚିବା ମୁସ୍କିଲ । କାଠଯୋଡ଼ି ନଦୀଳ ଜଳକୁ ନେଇ ଏପରି ଭୟଙ୍କର ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

ପ୍ରଦୂଷଣ ବୋର୍ଡର ଏହି ରିପୋର୍ଟକୁ ଗୁରୁତ୍ୱର ସହ ନେଇଛନ୍ତି ହାଇକୋର୍ଟ । କଟକର ଖାନନଗରଠାରେ କାଠଯୋଡ଼ିରେ ମିଶୁଥିବା ସ୍ୱେରେଜ ଗେଟକୁ ତୁରନ୍ତ ବନ୍ଦ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି ଆସନ୍ତା ମାସ ୪ ତାରିଖରେ ହେବାକୁ ଥିବାବେଳେ ଏହାର କାର୍ଯ୍ୟକାରିତା ନେଇ ତଥ୍ୟ ଦାଖଲ କରିବାକୁ କଟକ ମହାନଗର ନିଗମ (ସିଏମସି)କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଆଗତ ଏକ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଏସ.ମୁରଲୀଧର ଓ ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

କାଠଯୋଡ଼ି ଜଳରେ ଟୋଟାଲ ସସପେଣ୍ଡେଡ ସଲିଡ୍, ବାୟୋ କେମିକାଲ ଅକ୍ନିଜେନ ଡିମାଣ୍ଡ, ଟୋଟାଲ କଲିଫର୍ମ, ଫିକାଲ୍ କଲିଫର୍ମ ଆଦି ଅଧିକ ମାତ୍ରାରେ ରହିଥିବା ସମ୍ପର୍କରେ ରିପୋର୍ଟରେ କୁହାଯାଇଛି । ପାଣି ଗୋଳିଆ ହେବା, ଅମ୍ଲଜାନ ହ୍ରାସ ପାଇବା, ସ୍ୱଚ୍ଛତା କମିବା, ମଳ ଓ ମୂତ୍ର ମିଶିବା, ସ୍ୱେରେଜ ପାଣି ବିନା ଟ୍ରିଟମେଣ୍ଟରେ ନଦୀରେ ମିଶିବା ଆଦି ବିଭିନ୍ନ କାରଣରୁ ଏହି ସବୁ କ୍ଷତିକାରକ ଉପାଦନ ବୃଦ୍ଧି ପାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ନଦୀ କାଠଯୋଡ଼ିର ଅବସ୍ଥା ଏତେ ଖରାପ ତେବେ ଏହାକୁ ସଂଯୋଗ କରିଥିବା ଅନ୍ୟ ଜଳର ଅବସ୍ଥା କିପରି ରହିଥିବ? ଏହି ଜଳକୁ ବ୍ୟବହାର କରୁଥିବା ମଣିଷ, ଗୃହପାଳିତ ପଶୁ, ପକ୍ଷୀ, ସରସୃପଙ୍କର ଅବସ୍ଥା କ’ଣ ହେବ? ଯଦି ମାଛ ଏହି ଜଳରେ ବଞ୍ଚିବା ମୁସ୍କିଲ, ତେବେ ମଣିଷ ପାଇଁ ତ ଏହା ନିଶ୍ଚିତ ଭାବେ ସତର୍କର ଘଣ୍ଟି । ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ।