fbpx

ହାଥରସ୍ ଦଳାଚକଟା, ଗୁରୁତରଙ୍କୁ ଭେଟିଲେ ଯୋଗୀ, ଡିମ୍ଫଲ କହିଲେ ଦୋଷୀ ପାଇବ ଦଣ୍ଡ..

Advertisement

ଓଡିଶା ଭାସ୍କର: ସତସଙ୍ଗ ଚାଲିଥିଲା । ସମସ୍ତେ ଆଧ୍ୟାତ୍ମିକତା ଭିତରେ ଲୀନ ଥିଲେ । ହଠାତ ମୃତ୍ୟୁ ଖଳନାୟିକା ଭାବରେ ନାୟିକା ସାଜି ଆସିଲା । କେହି କିଛି ନ ବୁଝିବା ପୂର୍ବରୁ ହିଁ ୧୨୧ ଜଣକୁ ନିଜ ମାୟାବିନୀ ରୂପରେ ଅନ୍ୟ ଏକ ରାଇଜକୁ ନେଇଗଲା । ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟା କୌଣସି ହରର ସିନେମାଠୁ କମ୍ ନୁହଁ । ପ୍ରୟାଗରାଜର ସେ କୁମ୍ଭମେଳା କଥା ପୁଣି ଥରେ ମନେ ପଡିଗଲା । ଯେଉଁ ଦଳାଚକଟାରେ ପ୍ରାୟ ୫୦୦ ଜଣକୁ ଏହି ମୃତ୍ୟୁ ରୂପକ ରାକ୍ଷସୀ ଗ୍ରାସ କରିଥିଲା । ହାଥରସ ହସୁଥିଲା, ମାତ୍ର କେଇ ସମୟ ମଧ୍ୟରେ ବନ୍ଧୁ ପରିଜନଙ୍କ କାନ୍ଦବୋବାଲରେ ଫାଟି ପଡିଲା । ୨୮ ଜଣ ଏବେ ବି ଚିକିତ୍ସିତ ଅବସ୍ଥାରେ ଏହି ଦଳାଚକଟା ନାମକ ଖଳନାୟିକା ସାଙ୍ଗେ ଲଢୁଛନ୍ତି ।

ଘଟଣା ଘଟିବା ପରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ୍ ଯାଇ ଗୁରୁତରଙ୍କୁ ଭେଟିଛନ୍ତି । ତାହାସହ ଶୋକସନ୍ତପ୍ତ ପରିବାରଙ୍କୁ ଭେଟି ସେ ଆଶ୍ୱାସନା ଦେଇଛନ୍ତି । ତାହାସହ ଏଥିରେ ସଂପୃକ୍ତ ଆୟୋଜକ ମଣ୍ଡଳୀଙ୍କଠୁ ସେ ଜବାବ ତଲବ କରିଛନ୍ତି । ଯିଏ ଦୋଷୀ ଥିବେ ସେ ନିଶ୍ଚୟ ଦଣ୍ଡ ପାଇବ ବୋଲି ଯୋଗୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଘଟଣା ପ୍ରତି ସମବେଦନା ଜଣାଇଛନ୍ତି । କେନ୍ଦ୍ରସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉତ୍ତରପ୍ରଦେଶ ସହ ଯୋଗାଯୋଗରେ ଅଛନ୍ତି ।

ସେପଟେ ହାଥରସର ଏହି ଲୋମଟାଙ୍ଗୁରା ଘଟଣାକୁ ନେଇ ସାଂସଦ ଡିମ୍ପଲ ଯାଦବ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ । ଏଥିରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କୁ ଉଚିତ ଦଣ୍ଡ ମିଳିବ । ଏହାବାଦ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ, ହାଥରସର ଏହି ଦର୍ଦନାକ ଘଟଣା ଆଖିରୁ ଲୁହ ଝରାଇ ଦେଉଥିଲା । ସେମାନେ ଆହତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ସମୟରେ ଲୋକଙ୍କ ଆର୍ତ୍ତଚିତ୍କାର ଶୁଣୁଥିଲେ । ସିନେମାରେ ଘଟୁଥିବା ଦୃଶ୍ୟ ତାଙ୍କ ସାମ୍ନାରେ ସେମାନେ ଦେଖୁଥିଲେ । ଏହି ଘଟଣାରେ ଅନେକ ପୁଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି । ସେପଟେ ନଗିନା ସାଂସଦ ତଥା ଭୀମ ଆର୍ମି ଚିଫ ଚନ୍ଦ୍ରଶେଖର ଆହତଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ତଥା ମୃତକଙ୍କ ପରିଜନଙ୍କୁ ୫୦ ଲକ୍ଷ ଲେଖାଏଁ ଦେବା ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.