ଅଙ୍ଗନବାଡି କେନ୍ଦ୍ରରେ ପଢୁଛି ଏହି ଜିଲ୍ଲାପାଳଙ୍କ ପୁଅ, ସମସ୍ତଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ବି ଖାଉଛି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଜିଲ୍ଲାର ଜିଲ୍ଲାପାଳ ଅର୍ଚ୍ଚନା ବର୍ମା ଦେଶର ସମସ୍ତ ସରକାରୀ ଅଫିସର ଓ କର୍ମଚାରୀଙ୍କ ପାଇଁ ଏକ ବଡ ଉଦାହରଣ ପାଲଟିଛନ୍ତି । ଏହା ଏଇଥିପାଇଁ କି ସେ ନିଜ ପୁଅକୁ କୌଣସି ବଡ ନର୍ସରୀ ସ୍କୁଲ ପରିବର୍ତ୍ତେ ଅଙ୍ଗନବାଡି କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଯେତେବେଳେ କୌଣସି ବଡ ଅଧିକାରୀଙ୍କ ପୁଅ ସାଧାରଣତଃ କୌଣସି ଇଣ୍ଟରନ୍ୟାସନାଲ ସ୍କୁଲରେ ପଢିଥାଏ ସେତେବେଳେ ଏହି ଡିଏମ୍‌ଙ୍କ ପୁଅ ଅଙ୍ଗନବାଡିରେ ପଢିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅର୍ଚ୍ଚନା ବର୍ମାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ସେ ନିଜର ୨ ବର୍ଷର ପୁଅ ଅଭିଜିତଙ୍କୁ କୌଣସି ପ୍ଲେ ଗ୍ରୁପ୍ କିମ୍ବା ଇଣ୍ଟରନ୍ୟାସନାଲ ସ୍କୁଲରେ ଭର୍ତ୍ତି କରାଇବା ପରିବର୍ତ୍ତେ ନିଜ କ୍ୱାର୍ଟର ନିକଟସ୍ଥ ଦର୍ଶନା ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ପଢାଉଛନ୍ତି । ଅଭିଜିତ ପ୍ରତିଦିନ ଗ୍ରାମର ସାଧାରଣ ପିଲାଙ୍କ ସହିତ ଘଣ୍ଟାଏ ଦୁଇ ଘଣ୍ଟା ବିତାଇଥାନ୍ତି । କେବଳ ପଢୁନାହାନ୍ତି ସେ ଅଙ୍ଗନବାଡିରେ ପିଲାମାନଙ୍କ ସହ ଭୂମିରେ ବସି ମିଡ୍ ଡେ’ ମିଲ୍ ବି ଖାଉଛନ୍ତି । ସବୁ ପିଲାଙ୍କ ସହ ସେ ଖେଳକୁଦ ବି କରୁଛନ୍ତି ।

ଏହି ଅଙ୍ଗନବାଡି କେନ୍ଦ୍ରରେ ସବୁ ପିଲାଙ୍କ ସହ ସମାନ ବ୍ୟବହାର କରାଯାଏ । ଜିଲ୍ଲାପାଳଙ୍କ ପୁଅ ପଢିବା ପରେ ସେଠାରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବେ ଏହି ଅଙ୍ଗନବାଡିକୁ ୩୪ ଜଣ ପିଲା ଆସୁଛନ୍ତି । ଏହି ଅଙ୍ଗନବାଡିରେ ଦାୟିତ୍ୱରେ ଥିବା ଓମପ୍ରକାଶୀ କହିଛନ୍ତି ଅଭିଜିତ ଏଠାକୁ ୩ ମାସ ହେବ ନିୟମିତ ପଢିବାକୁ ଆସୁଛି । କିନ୍ତୁ ଏଇ ଅଳ୍ପଦିନ ହେବ ଜଣାପଡିଲା କି ସେ ଜିଲ୍ଲାପାଳଙ୍କ ପୁଅ ବୋଲି । ବେଳେ ବେଳେ ଡିଏମ୍ ସାହେବଙ୍କ ଝିଅ ବି ଭାଇ ସହ ଏଠାକୁ ପଢିବାକୁ ଆସିଥାଏ ବୋଲି ସେ କହିଛନ୍ତି ।