ଓଡ଼ିଶା ଭାସ୍କର: ଅନେକ ସମୟରେ ଖେଳାଳିମାନଙ୍କୁ ମ୍ୟାଚ ସମୟରେ ଚୁଇଙ୍ଗମ୍ ଖାଉଥିବାର ଦେଖାଯାଏ । ମ୍ୟାଚରେ ଧ୍ୟାନ ଦେବାକୁ ଖେଳାଳିମାନେ ଚୁଇଙ୍ଗମ୍ ଖାଇଥାନ୍ତି ବୋଲି କୁହାଯାଏ । କ୍ରିକେଟ ସମେତ ଅନ୍ୟାନ୍ୟ ଖେଳରେ ମଧ୍ୟ ପ୍ଲେୟର୍ସ ଚୁଇଙ୍ଗମ ଖାଇଥାନ୍ତି । କେବଳ ଖେଳାଳି ନୁହେଁ, ପିଲାରୁ ଯୁବବର୍ଗ ମଧ୍ୟ ଚୁଇଙ୍ଗମ୍ ଖାଇବାକୁ ପସନ୍ଦ କରିଥାନ୍ତି । କିଛି ସମୟ ଏହାକୁ ଚୋବାଇବା ପରେ ଏଥିରେ ଫୋଟକା କରି ମଧ୍ୟ ମଜା ନେଇଥାନ୍ତି ସମସ୍ତେ । କିନ୍ତୁ ଏସବୁ ଭୟଙ୍କର ପ୍ରଦୂଷଣର କାରଣ ହୋଇପାରେ । ତେବେ ଆପଣଙ୍କ ପରବର୍ତ୍ତୀ ପିଢୀ ପାଇଁ ଏହା ବିପଦ ସାଜିପାରେ ବୋଲି କୁହାଯାଉଛି ।
ସାଧାରଣତଃ ଚୁଇଙ୍ଗମ ଚୋବାଇବା ପରେ ଲୋକେ ଏହାକୁ କେଉଁ ସ୍ଥାନରେ ଲଗାଇ ଦେଇଥାନ୍ତି । ଏଣେ-ତେଣେ ଫିଙ୍ଗା ହୋଇଥିବା ଏହି ଚୁଇଙ୍ଗମ ଲୋକଙ୍କ ଜୋତା ବା ଚପଲରେ ଲାଗି ଆଉ ଏକ ସ୍ଥାନରେ ପହଞ୍ଚିଯାଏ । କିନ୍ତୁ ଏହା ନଷ୍ଟ ହୋଇ ନଥାଏ । ରିପୋର୍ଟ ଅନୁସାରେ, ପ୍ରତିବର୍ଷ ସାରା ବିଶ୍ୱରେ ଲୋକମାନେ ପ୍ରାୟ ୧ ଲକ୍ଷ ଟନ୍ ଚୁଇଙ୍ଗମ୍ ଖାଉଛନ୍ତି । ପ୍ରାଚୀନ ସଭ୍ୟତାରେ ଲୋକମାନେ ଚିକଲ ଭଳି ଗଛର ଚର୍ବିକୁ ଚୋବାଇଥାନ୍ତି । କିନ୍ତୁ ୧୯୫୦ ମସିହା ବେଳକୁ ଏହି ସ୍ଥାନରେ ସିନ୍ଥେଟିକ ଗମ୍ ଖାଇବାକୁ ଲୋକେ ପସନ୍ଦ କଲେ । ଏହି ଗମ୍ ବେସ ସହିତ ଆଧୁନିକ ଚୁଇଙ୍ଗମରେ ବନସ୍ପତି ତେଲ, ଇଲ୍ସିଫାୟର ଭଳି ସଫ୍ଟନର ରହିଥାଏ, ଯାହା ଅଠାପଣକୁ କମ୍ କରିଥାଏ । ଏହାବ୍ୟତୀତ ଟେଲ୍କ ଭଳି ଫିଲର୍ସ ମଧ୍ୟ ଏଥିରେ ମିଶାଯାଏ । ଏହାସହିତ ବିଭିନ୍ନ ପ୍ରକାରର ଫ୍ଲେଭର, ମିଠାଜାତୀୟ ପଦାର୍ଥ, ପ୍ରିଜର୍ଭେଟିଭ ଏବଂ ରଙ୍ଗର ମିଶ୍ରରରେ ପ୍ରସ୍ତୁତ ହୋଇଥାଏ ଚୁଇଙ୍ଗମ୍ ।
ଚୁଇଙ୍ଗମ୍ ଖାଇବା ପରେ ଛାଡିଥିବା ଅବଶିଷ୍ଟ ଅଂଶକୁ ‘ଗମ୍ ପଲ୍ୟୁସନ୍’ ବୋଲି କୁହାଯାଏ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ପ୍ରତିବର୍ଷ ଶହ ଶହ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ କେବଳ ଚୁଇଙ୍ଗମରୁ ଉତ୍ପନ୍ନ ହୋଇଥାଏ । ଚୁଇଙ୍ଗମର ଏହି ନନ୍-ବାୟୋଡିଗ୍ରେଡେବଲ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିବେଶରେ ପ୍ରଦୂଷଣର କାରଣ ପାଲଟିଥାଏ । ଡଷ୍ଟବିନରେ ଫିଙ୍ଗିବା ପରିବର୍ତ୍ତେ ରାସ୍ତାରେ ଫିଙ୍ଗି ଦିଆଯାଇଥିବା ଗମ୍ ବିଷାକ୍ତ ପଦାର୍ଥକୁ ସଂଗ୍ରହ କରି ଜଳ ଉତ୍ସରେ ପହଞ୍ଚେ । ବର୍ଷ ବର୍ଷ ଧରି ଚୁଇଙ୍ଗମ ଶେଷ ଅବସ୍ଥାରେ ରହି ପରିବେଶକୁ କ୍ଷତି ପହଞ୍ଚାଇଥାଏ । ତେଣୁ ସିଗାରେଟ୍ ଗୁଣ୍ଡ ପରେ ଏହା ଦୁନିଆର ଦ୍ୱିତୀୟ ପ୍ରଦୂଷିତ ଜିନିଷ ଭାବରେ ବିବେଚନା କରାଯାଏ । ରିପୋର୍ଟ ଅନୁଯାୟୀ, ପୃଥିବୀର ଲ୍ୟାଣ୍ଡଫିଲରେ ୨,୫୦,୦୦୦ ଟନ୍ ଆବର୍ଜନା ସୃଷ୍ଟି କରେ । ସେଥିପାଇଁ ସିଙ୍ଗାପୁର ପରି କେତେକ ଦେଶ ଚୁଇଙ୍ଗମ୍ ଉପରେ କଟକଣା ଆରମ୍ଭ କରିଛନ୍ତି।