fbpx

ବ୍ୟାକଫୁଟରେ ଆପ୍ ସରକାର, ହାଇକୋର୍ଟ ଜଜ କରିବେ ମୁସେଓ୍ଵାଲା ହତ୍ୟା ମାମଲାର ତଦନ୍ତ

Advertisement

ଚଣ୍ଡିଗଡ: ପଞ୍ଜାବି ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ କରାଯିବ। ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ଏହି ନିଷ୍ପତ୍ତି ନେଇଛନ୍ତି। ସିଦ୍ଧୁ ମୁସେଓ୍ଵାଲାଙ୍କ ପିତା ମାନଙ୍କୁ ଚିଠି ଲେଖି ପୁଅ ହତ୍ୟା କେସର ସିବିଆଇ ତଦନ୍ତ, ଏନଆଇଏ କିମ୍ବା ହାଇକୋର୍ଟର ତତ୍ଵାବଧାନରେ ତଦନ୍ତ କରାଇବାକୁ ଦାବି କରିଛନ୍ତି। ପିତାଙ୍କ ଦାବିକୁ ସ୍ଵୀକାର କରି ମୁସେଓ୍ଵାଲାଙ୍କ ହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମାନ ଆଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ପଞ୍ଜାବ ସରକାର ସିଦ୍ଧୁ ମୁସେଓ୍ଵାଲାଙ୍କଠୁ ଭିଆଇପି ସୁରକ୍ଷା ପ୍ରତ୍ୟାହାର କରାଯିବା ନିଷ୍ପତ୍ତିର ମଧ୍ୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାନ ଏହି ମାମଲା ଉପରେ ନଜର ରଖିଥିବା ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ସୋମବାର ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଏହି ମାମଲା ଉପରେ ବୈଠକ କରି ପାରନ୍ତି।

ସିଏମଓ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଦୋଷୀଙ୍କୁ ଶୀଘ୍ର ଗିରଫ କରାଯିବ। ସିଦ୍ଧୁଙ୍କ ପିତା ପଞ୍ଜାବ ଡିଜିପି କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। କାରଣ ଡିଜିପି କହିଥିଲେ ଯେ, ଗ୍ୟାଙ୍ଗଓ୍ଵାର କାରଣରୁ ମୁସେଓ୍ଵାଲାଙ୍କ ପ୍ରାଣହାନୀ ଘଟିଛି। ସଂପ୍ରତି ମୁସେଓ୍ଵାଲାଙ୍କ ହତ୍ୟା ମାମଲାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ହାଇକୋର୍ଟ ଜଜଙ୍କ ତତ୍ଵାବଧାନରେ ମାମଲାର ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପୋଲିସ ହତ୍ୟାକାରୀଙ୍କ ଚିହ୍ନଟ ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ସିଦ୍ଧୁ ମୁସେଓ୍ଵାଲାଙ୍କ ଗାଡିକୁ ପିଛା କରୁଥିବା କାରର ଭିଡିଓ ମଧ୍ୟ ଯାଞ୍ଚ କରାଯାଉଛି। ସୂଚନାଯୋଗ୍ୟ, ଶନିବାର ହଁନ ଭଗଓ୍ଵନ୍ତ ମାନ ସରକାର ବଡ ସଂଖ୍ୟାରେ ପଞ୍ଜାବର ଭିଆଇପି ଲୋକଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଥିଲେ। ଏବେ ମୁସେଓ୍ଵାଲାଙ୍କ ହତ୍ୟା ପରେ ଭଗବନ୍ତ ମାନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।

ପଞ୍ଜାବର ଡିଜିପି ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ପରେ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଗାୟକଙ୍କ ପାଖରେ ୪ କମାଣ୍ଡୋ ଥିଲେ, ଯେଉଁଥିରୁ ଦୁଇ ଜଣଙ୍କୁ ପ୍ରତ୍ୟାହାର କରି ନିଆଯାଇଥିଲା। ହେଲେ ରବିବାର ସେ ଦୁଇ କମାଣ୍ଡୋଙ୍କୁ ନେଇ ଯାଇନଥିଲେ। ଏପରିକି ନିଜ ପାଖରେ ବ୍ୟକ୍ତିଗତ ବୁଲେଟପ୍ରୁଫ କାର ଥାଇ ବି ସେଥିରେ ସିଦ୍ଧୁ ଯାଇନଥିବା ଡିଜିପି କହିଥିଲେ।

 

Get real time updates directly on you device, subscribe now.