fbpx

ଶ୍ରମିକଙ୍କୁ ଆଜି ଖାସ୍ ଉପହାର ଦେବେ ସରକାର ! ଆରମ୍ଭ ହେବ ଏହି ଯୋଜନା, ଜାଣନ୍ତୁ ଲାଭ

ନୂଆଦିଲ୍ଲୀ: ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କୋଟି କୋଟି ଶ୍ରମିକଙ୍କୁ ଆଜି ସ୍ୱତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି ମୋଦୀ ସରକାର । ଶ୍ରମିକଙ୍କ ପାଇଁ ଆଜି ଲଞ୍ଚ ହେବାକୁ ଯାଉଛି ଇ-ଶ୍ରମ ପୋର୍ଟାଲ । ଏହି ପୋର୍ଟାଲ ମାଧ୍ୟମରେ ଦେଶର ଶ୍ରମିକଙ୍କ ଡାଟାବେସ୍ ଜାତୀୟ ସ୍ତରରେ ପ୍ରସ୍ତୁତ ହେବ, ଯେଉଁଥିରେ ଶ୍ରମିକଙ୍କୁ ସେମାନଙ୍କ କ୍ଷମତା ଅନୁସାରେ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତକାଲି ଇ-ଶ୍ରମ ପୋର୍ଟାଲର ଲୋଗୋ ଲଞ୍ଚ କରିଥିଲେ ।

ତେବେ ଅସଂଗଠିତ କ୍ଷେତ୍ରର ପ୍ରାୟ ୩୮ କୋଟି ଶ୍ରମିକଙ୍କ ପାଇଁ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ୧୨ ଅଙ୍କ ବିଶିଷ୍ଟ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ବା ୟୁଏଏନ ଏବଂ ଇ-ଶ୍ରମ କାର୍ଡ ପ୍ରଦାନ କରିବ, ଯାହା ସାରା ଦେଶରେ ମାନ୍ୟ ହେବ । ଇ-ଶ୍ରମ କାର୍ଡ ଦେଶର କୋଟି କୋଟି ଅସଂଗଠିତ ଶ୍ରମିକଙ୍କୁ ଏକ ନୂଆ ପରିଚୟ ଦେବ । ଏହି ଶ୍ରମ କାର୍ଡ ଭବିଷ୍ୟତରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ଲାଭ ଉଠାଇବା ପାଇଁ ସେମାନଙ୍କୁ ସାହାଯ୍ୟ କରିବ । ଏହି ପୋର୍ଟାଲରେ ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ରାସ୍ତାଘାଟ ବିକ୍ରେତାମାନେ ନିଜକୁ ପଞ୍ଜୀକୃତ କରିପାରିବେ । ସରକାରଙ୍କ ଘୋଷଣା ପରେ ଅସଂଗଠିତ କ୍ଷେତ୍ରର କାମ କରୁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନାର ଲାଭ ପାଇପାରିବେ । ରେଜିଷ୍ଟ୍ରେସନରେ ଶ୍ରମିକଙ୍କୁ ସହାୟତା ପାଇଁ ଏକ ଜାତୀୟ ଟୋଲ୍ ଫ୍ରି ନମ୍ବର ୧୪୪୩୪ ବି ଆରମ୍ଭ ହେବ ।

Get real time updates directly on you device, subscribe now.