fbpx
BSKY SKY
BSKY SKY

ଛୁଆଙ୍କ ହାର୍ଟର ଏବେଠୁ ରଖନ୍ତୁ ଯତ୍ନ: ୧୨ ବର୍ଷୀୟ ବାଳକକୁ ହାର୍ଟ ଆଟାକ୍ ଆସିବାରୁ ମୃତ୍ୟୁ, ଜାଣନ୍ତୁ କ’ଣ ରହିଛି ମାମଲା

BSKY

ନୂଆଦିଲ୍ଲୀ: ଆଜିକାଲି ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରୁ ଶୁକ୍ରବାର ଦିନ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଭିଣ୍ଡରେ ୧୨ ବର୍ଷୀୟ ଛାତ୍ର ସ୍କୁଲ ବସରେ ଖସିପଡିବାରୁ ମୃତ୍ୟୁ ହୋଇଛି । ଯାଞ୍ଚ କରୁଥିବା ଡାକ୍ତର କହିଛନ୍ତି ଯେ, ପିଲାକୁ କାର୍ଡିଆକ ଆରେଷ୍ଟ ଆସିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ପ୍ରଥମଥର ପାଇଁ ହାର୍ଟ ଆଟାକରେ ଏତେ କମ୍ ବୟସର ପିଲାର ମୃତ୍ୟୁ ହୋଇଛି ।

ମୃତକ ପିଲାର ପରିବାର ସଦସ୍ୟଙ୍କ କହିବା ମୁତାବକ, ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଛାତ୍ର ମନୀଷ ଯାଟବ ଗୁରୁବାର ଦ୍ୱିପହରରେ ନିଜ ଭାଇ ସହ ସ୍କୁଲରେ ଲଞ୍ଚ କରିଥିଲେ ଓ ଦ୍ୱିପହର ପାଖାପାଖି ୨ଟା ନିଜ ବସରେ ବସିଥିଲେ । କିନ୍ତୁ ତୁରନ୍ତ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ । ବସ୍ ଡ୍ରାଇଭର ଏନେଇ ସ୍କୁଲର ଅଧିକାରୀମାନଙ୍କୁ ଏବିଷୟରେ କହିଥିଲେ, ଯେଉଁମାନେ ମନୀଷଙ୍କୁ ନିକଟସ୍ଥ ମେଡିକାଲକୁ ନେଇଯାଇଥିଲେ । ମେଡିକାଲରେ ଡାକ୍ତରମାନେ ମନୀଷଙ୍କୁ ହୋସକୁ ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସବୁ ଚେଷ୍ଟା ପରେ ବି ଡାକ୍ତରମାନେ ବିଫଳ ହେଲେ ଓ ପିଲାର ମୃତ୍ୟୁ ହୋଇଥିଲା ।

ଜିଲ୍ଲା ଚିକିତ୍ସାଳୟର ସର୍ଜନ ଡାକ୍ତର ଅନିଲ ଗୋୟଲ କହିଛନ୍ତି ଯେ, ‘ଛାତ୍ରଙ୍କୁ ସିପିଆର ଦିଆଯାଇଥିଲା । କିନ୍ତୁ ତାଙ୍କୁ ବଞ୍ଚାଇପାରିଲୁ ନାହିଁ । ଏହା କାର୍ଡିଆକ ଫେଲ୍ ହେବାର ଲକ୍ଷଣ ।’ ଅନ୍ୟପଟେ ତାଙ୍କ ପିତା-ମାତା ଛୁଆର ପୋଷ୍ଟମର୍ଟମ କରିବାକୁ ଅନୁମତି ଦେଲେନାହିଁ । ମନୀଷଙ୍କ ପିତା କୋମଲଙ୍କ କହିବା ମୁତାବକ, ତାଙ୍କ ପୁଅର କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ନଥିଲା । ଆଶ୍ଚର୍ଯ୍ୟକର କଥା କି ମଧ୍ୟପ୍ରଦେଶର ଏହା ପ୍ରଥମ ମାମଲା, ଯେଉଁଠାରେ ୧୨ ବର୍ଷୀୟ ପିଲାର ଅଚାନକ୍ ମୃତ୍ୟୁରେ କାର୍ଡିଆକ ଆରେଷ୍ଟର ଲକ୍ଷଣ ଦେଖିବାକୁ ମିଳିଛି । ଏତେ କମ୍ ବୟସରେ ହାର୍ଟ ଆଟାକ୍ ଆସିବାରୁ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଘଟଣା ପରେ ଆପଣମାନେ ମଧ୍ୟ ନିଜ ପିଲାର ଯତ୍ନ ଆଜିଠାରୁ ନେବା ଉଚିତ୍ ।

Get real time updates directly on you device, subscribe now.