୨୫ ଦିନରେ ୫ ଜଣଙ୍କ ମୃତ୍ୟୁ, କୋଭିଡ କାରଣରୁ ବଢୁଛି କି ଦୃଦଘାତ ମାମଲା! ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଲିଗଢ ଜିଲ୍ଲାରେ ୨୫ ଦିନ ଭିତରେ ହୃଦଘାତ ଯୋଗୁଁ ୧୪ ଏବଂ ୮ ବର୍ଷୀୟ ଦୁଇ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି । ଅଚାନକ ହେଉଥିବା ମୃତ୍ୟୁ ଯୁବକମାନଙ୍କର ହୃଦଘାତ ଘଟଣାର ବୃଦ୍ଧିକୁ ନେଇ ଚିନ୍ତା ବଢାଇଛି । ୨୩ ନଭେମ୍ବରରେ ଅରନା ଗାଁର ୨୦ ବର୍ଷୀୟ ମମତା ଚୌଧୁରୀ ରାଜ୍ୟ ପୋଲିସରେ କନେଷ୍ଟବଳଙ୍କ ଚାକିରି ପାଇଁ ଶାରୀରିକ ପରୀକ୍ଷଣର ପ୍ରସ୍ତୁତି ସମୟରେ ଦୌଡ଼ିବା ସମୟରେ ପଡିଯାଇଥିଲେ । ତାଙ୍କ ଭାଇ ଜୟ କୁମାର କହିଛନ୍ତି ଯେ, ସେ ମଇଦାନରେ ହାରାହାରି ୪-୫ ରାଉଣ୍ଡ ଦୌଡିଥିଲେ, ଏହାପରେ ସେ ଗଳିପଡିଥିଲେ ।

ରିପୋର୍ଟ ମୁତାବକ, ଜେଏନ ମେଡିକାଲ କଲେଜର ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି । ସେହିପରି ମୋହିତ ଚୌଧୁରୀ ନାମକ ଜଣେ ୧୪ ବର୍ଷୀୟ ବାଳକ, ବିଦ୍ୟାଳୟରେ ବାର୍ଷିକ ଖେଳ ଦିବସ ପାଇଁ ପ୍ରସ୍ତୁତି ସମୟରେ ତାଙ୍କୁ ହୃଦଘାତ ଆସିଥିଲା । ସେହିପରି ଲୋଧୀ ନଗରର ୮ ବର୍ଷୀୟ ଦୀକ୍ଷା ନିଜ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିବା ବେଳେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିଲା । ଏଥିସହ ୨୦ ନଭେମ୍ବରରେ ଜଣେ ୨୯ ବର୍ଷୀୟ ବ୍ୟକ୍ତିଙ୍କର ନୀଦରେ ଶୋଇଥିବା ବେଳେ ହୃଦଘାତ ଆସିଥିଲା । ଏହିସବୁ ମାମଲା ପରେ, ୫ ନଭେମ୍ବରରେ ନିୟମିତ ସକାଳେ ଉଠି ମର୍ଣ୍ଣିଂ ୱାର୍କ ପାଇଁ ବାହାରିଥିବା ଡା. ଲବନୀଶ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଥିଲା ।

ଆଲିବଢ ମୁସଲିମ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ ରବାନୀଙ୍କ ଅନୁସାରେ, ଗତ ୨୦ ବର୍ଷରେ ଅଚାନକ ହୃଦୟର ଗତି ବନ୍ଦ ହେବା ମୃତ୍ୟୁରେ ୨୨ ପ୍ରତିଶତର ବୃଦ୍ଧି ଘଟିଛି । ଏଥିରେ ହୃଦଘାତ ମାମଲା ଅଧିକ ରହିଛି । ଜଣେ ହୃଦୟ ରୋଗୀମାନଙ୍କ ବିଶେଷଜ୍ଞଙ୍କ ଅନୁସାରେ, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦକୁ ଟୀକାକରଣରେ ଅଚାନକ ହୃଦୟ ଗତି ବନ୍ଦ ହେବାର କୌଣସି ପ୍ରମାଣ ମିଳିନାହିଁ । କୋଭିଡ ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ଲୋକଙ୍କ ମଧ୍ୟରେ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଥାଏ ଏବଂ ଏହିମାନଙ୍କୁ ନିୟମିତ ଭାବେ ଯାଞ୍ଚ କରିବା ଆବଶ୍ୟକ ।