fbpx

ହିଟ୍ ୱେଭ୍ ପାଇଁ ବଡ କ୍ଷତି ସହିବେ ଚାଷୀ; ଗହମ ଡାଲି ଏବଂ ପନିପରିବା ଚାଷ ହେବ ସର୍ବାଧିକ ପ୍ରଭାବିତ

ନୁଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ପ୍ରଚଣ୍ଡ ତାତି ଅନୁଭୁତ ହେଉଛି । ମାର୍ଚ୍ଚ ମାସରୁ ଦେଶରେ ଲାଗି ରହିଥିବା ଏହି ତାତି ପ୍ରଭାବରେ ଗହମ ଚାଷ ସାଙ୍ଗକୁ ଗ୍ରୀଷ୍ମ ଫସଲ ବହୁଳ ଭାବରେ କ୍ଷତିଗ୍ରସ୍ଥ ହୋଇଛି । ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ହେଉଛନ୍ତି ଭାରତରେ ପ୍ରମୁଖ ଗହମ ଉତ୍ପାଦନକାରୀ ରାଜ୍ୟ । ଏପ୍ରିଲ ମାସରେ ଉତ୍ତର ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଯାହା ୧୨୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି । ଶନିବାର ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ମେ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ ଗହମ ଫସଲର କ୍ଷତି ୧୫-୨୦ ମିଲିୟନ ଟନ୍ ହୋଇପାରେ । ଅର୍ଥାତ୍ ୨୦୨୧-୨୨ ଫସଲ ବର୍ଷରେ (ଜୁଲାଇ-ଜୁନ୍) ସୁଦ୍ଧା ଗହମ ଉତ୍ପାଦନ ପ୍ରାୟ ୯୬-୯୮ ମିଲିୟନ୍ ଟନ୍ ହେବ, ଗତ ବର୍ଷର ରବି ଗହମ ଉତ୍ପାଦନ ରେକର୍ଡ ୧୦୯.୫୯ ମିଲିୟନ ଟନ୍ ଥିଲା ।

ଅସ୍ୱାଭାବିକ ଗରମ ପ୍ରଭାବରେ ସମଗ୍ର ଭାରତରେ ସୋରିଷ ଫସଲକୁ ମଧ୍ୟ ପ୍ରଭାବିତ କରିଛି, ଗହମର ଅମଳ ହ୍ରାସ କରିଛି ଏବଂ ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକର ଭଳି ରାଜ୍ୟରେ ହରଡ଼ ଏବଂ ମୁଗ ପରି ଡାଲି ଜାତୀୟ ଫସଲ ବିଷୟରେ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି । ଏହି ପରି ମଧ୍ୟ ଉତ୍ତର ଭାରତର ଅଧିକାଂଶ ଅଂଶ ଏବଂ ଦେଶର ପଶ୍ଚିମ ଭାଗରେ ଉତ୍ତାପ ତରଙ୍ଗ ଦ୍ୱାରା ଗ୍ରୀଷ୍ମ ଫସଲ ଗଭିର ଭାବରେ ପ୍ରଭାବିତ ହୋଇଛି । ଏହି ଫସଲର କ୍ଷୟକ୍ଷତିର ଆକଳନ କେବଳ ଉତ୍ପାଦନ ପରେ କରାଯାଇପାରିବ ।

ଭାରତରେ ପ୍ରତିବର୍ଷ ୪ ମିଲିୟନ ଟନ୍(ଏମଟି) ହରଡ଼, ୨.୫ ଏମଟି ବିରି ଏବଂ ୨.୨ ଏମଟି ମୁଗ ଡାଲି ଉତ୍ପାଦନ କରାଯାଇଥାଏ । ହରଡ଼ ଅମଳ ପାଇଁ ୧୫୦ ଦିନ ସମୟ ନେଉଥିବାବେଳେ ବିରି ଏବଂ ମୁଗ ଡାଲି ଅମଳ ପାଇଁ ଯଥାକ୍ରମେ ୧୦୦ ଦିନ ଏବଂ ୭୦ ଦିନ ନେଇଥାଏ । ଏହିଭଳି ଭାରତ ପ୍ରତିବର୍ଷ ୧.୪୫ ଏମଟି ଶୋରିଷ ଉତ୍ପାଦନ କରିଥାଏ । ଚଳିତ ଋତୁରେ ପ୍ରବଳ ଉତ୍ତାପ ଲାଗି ଏହି ଫସଲ କିଛି ଅଂଶରେ ନଷ୍ଟ ହୋଇଛି । ତେବେ ଏହାର କ୍ଷତି ୩ରୁ ୪ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି ।

ରେକର୍ଡ ତାପମାତ୍ରାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାବ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଫଳ ଏବଂ ପନିପରିବା ଯଥା ଆମ୍ବ, ଗୁଆ, ଲେମ୍ବୁ, ଟମାଟୋ, ଲଙ୍କା, ବାଇଗଣ ଏବଂ ଭେଣ୍ଡି ଭଳି ପନିପରିବା ଚାଷରେ ବାରମ୍ବାର ଜଳସେଚନ ସୁନିଶ୍ଚିତ କରିବାକୁ କୁହାଯାଇଛି । ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଅନେକ ସ୍ଥାୟୀ ଫସଲର ଅମଳ ହ୍ରାସ କରି ହିଟ୍ ୱେଭ୍ କୃଷି ଉପରେ ପ୍ରଭାବ ପକାଇପାରେ ବୋଲି ଜଣେ ପାଣିପାଗ ବିଜ୍ଞାନ କେନ୍ଦ୍ର ଅଧିକାରୀ କହିଛନ୍ତି।

Get real time updates directly on you device, subscribe now.