ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ମୋଟା ଅଙ୍କର ପଇସା ଦିଅ, ଆଉ ପେଟ୍ରୋଲ ବଦଳରେ ଟାଙ୍କି ଫୁଲ କରି ପାଣି ନିଅ ।’ ଏହି କଥାକୁ ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ବର୍ତ୍ତମାନ ସମୟରେ ପେଟ୍ରୋଲର ଉଚ୍ଚ ଦରକୁ ନେଇ ଲୋକମାନେ ଚିନ୍ତିତ ରହିଥିବା ବେଳେ ଟଙ୍କା ଦେଇ ପେଟ୍ରୋଲ ବଦଳରେ ପାଣି ନେବା କଥା ଶୁଣିବା ପରେ ସମସ୍ତେ ହତବାକ୍ ହୋଇଯାଉଛନ୍ତି । ପ୍ରକୃତ କଥା ହେଉଛି, କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦ ଅନ୍ତର୍ଗତ ସେମିଳିଗୁଡ଼ା ଟ୍ରାଫିକ ଛକ ନିକଟସ୍ଥ ରନ ଫିଲିଙ୍ଗ ପେଟ୍ରୋଲ ଟାଙ୍କିରୁ ପାଣି ବାହାରୁଥିବା ନେଇ ଅଭିଯୋଗ ଆସିଛି ।
ଏହି ଘଟଣାକୁ ନେଇ ପେଟ୍ରୋଲ ପମ୍ପ ନିକଟରେ ପ୍ରବଳ ଭିଡ଼ ଜମିଛି । ପେଟ୍ରୋଲ ପମ୍ପରେ ପଇସା ନେଉଛନ୍ତି ମାତ୍ର ପେଟ୍ରୋଲ ବଦଳରେ ପାଣି ଦେଉଛନ୍ତି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଜଣେ ସ୍ଥାନୀୟ ବାସିନ୍ଦା ଗତ ରବିବାର ଦିନ ୧୧ଟା ସମୟରେ ୪୫୦ ଟଙ୍କା ଦେଇ ତାଙ୍କର ସ୍କୁଟିରେ ପେଟ୍ରୋଲ ଭରିଥିଲେ । ତେବେ ସ୍କୁଟି ଷ୍ଟାର୍ଟ ନହେବାରୁ ସେ ଗାଡ଼ିକୁ ଠେଲି ଠେଲି ନେଇ ଗ୍ୟାରେଜରେ ଦେଖାଯାଇଥିଲେ । ତେବେ ବାଇକ ଫୁଲ ଥିବା ବେଳେ ମେକାନିକ କାର୍ବେଟର ଖୋଲିବା ବେଳକୁ ଅଧା ପାଣି ଆଉ ଅଧା ପେଟ୍ରୋଲ ମିଶିତ ଥିବା ଦେଖିବାକୁ ମିଳିଥିଲା । ଏନେଇ ସେ ପେଟ୍ରୋଲ ପମ୍ପ ମାଲିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।