fbpx

ମୌସୁମୀ ଦୁର୍ବଳ: ବଢୁଛି ତାତି, ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମପ୍ରବାହ

Advertisement

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଦୁର୍ବଳ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତେଣୁ ମୌସୁମୀ ଆଗକୁ ବଢ଼ିବା ସମ୍ଭବପର ହୋଇପାରୁ ନାହିଁ । ମୌସୁମୀ ଓଡ଼ିଶା କେବେ ଛୁଇଁବ ସେନେଇ ପାଣିପାଗ ବିଭାଗ କିଛି ବି ଆକଳନ କରିପାରୁନି । ଚାଷକାର୍ଯ୍ୟ କରିବାକୁ ମୌସୁମୀକୁ ଚାହିଁ ବସିଥିବା ଚାଷୀଙ୍କୁ ଆହୁରି ବେଶ୍ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ବିଶେଷଜ୍ଞ ରାଜେନ୍ଦ୍ର କୁମାର ଜେନାମଣୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ ଆକଳନ ଅନୁସାରେ ଚଳିତ ମାସ ୧୨ ତାରିଖରେ ଓଡ଼ିଶା ଛୁଇଁ ନପାରେ । ଏହା ଆସିବାରେ ବିଳମ୍ବ ଘଟିପାରେ । ଆକାଶରେ ଯଦିଓ ବାଦଲ ଓ ପବନ ରହିଛି ତେବେ ମୌସୁମୀ ଆଗମନରେ ସ୍ଥିତି ପ୍ରତିବନ୍ଧକ ସୃଷ୍ଟି କରିଛି । ପ୍ରଥମତଃ ଉତ୍ତର-ପଶ୍ଚିମ ଦିଗରୁ ବୋହୁଥିବା ପବନର ପ୍ରବାହ ଅଧିକ ରହୁଥିବାରୁ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ଘଟିବାରେ ଲାଗିଛି ଯାହା ମୌସୁମୀ ଆଗକୁ ବଢ଼ିବା ବାଟକୁ ରୋକିବାରେ ସମର୍ଥ ହୋଇପାରିଛି ।’

ମଇ ୩୧ ପରେ ତାମିଲନାଡୁ, ବେଙ୍ଗାଲୁର, ଭେଲୁର ଓ ପୁଡୁଚେରୀରେ ଭଲ ବର୍ଷା ହୋଇଛି । ଉତ୍ତର-ପୂର୍ବ ଭାରତର ରାଜ୍ୟମାନଙ୍କରେ ମଧ୍ୟ ମୌସୁମୀ ପହଞ୍ôଚବା ପରେ ଭଲ ବର୍ଷା ଅନୁଭୂତ ହୋଇଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରୁ ମୌସୁମୀ ଓଡ଼ିଶା ପହଞ୍ଚିବାରେ ବାଧା ଉପୁଜିଛି ।

ତେଣେ ପାଣିପାଗ ବିଭାଗର ଅନ୍ୟ ଏକ ସୂଚନାରୁ ଜଣାପଡ଼ିଛି ଯେ, ପୂର୍ବ ଝାରଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ମୌସୁମୀ ଠିକ୍ ସମୟରେ ଆସୁନଥିବାରୁ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିଛି । ତାତିରୁ ନିସ୍ତାର ମିଳୁନି । ଆସନ୍ତା ୩ରୁ ୪ ଦିନ ଜାରି ରହିବ ଅସହ୍ୟ ତାତି । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକା ରହିଥିବାବେଳେ ଅଧିକାଂଶ ସ୍ଥାନରେ ୪୩ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି ତାପମାତ୍ରା ।

ସେପଟେ ପ୍ରବଳ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିଲେଣି ଉପକୂଳ ଓଡ଼ିଶାବାସୀ । ୩୮ ଡିଗ୍ରୀ ତାପମାତ୍ରା ସହ ୬୦ ପ୍ରତିଶତ ଆର୍ଦ୍ରତା ମିଶି ୫୦ ଡିଗ୍ରୀ ତାପମାତ୍ରା ଅନୁଭୂତ ହେଉଥିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ଉପାନ୍ତରୁ ଉପକୂଳ ସବୁଠି ତାତିର ପ୍ରଭାବ ଅନୁଭୂତ ହେଉଛି ।

ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେଉଥିଲେ ମଧ୍ୟ ଅନୁକୂଳ ବାତାବରଣ ନଥିବାରୁ ତାପମାତ୍ରା ହ୍ରାସ ପାଉନାହିଁ । ସବୁଠି ଅହସ୍ୟ ଗରମ ଓ ଗୁଳୁଗୁଳି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ଗଜପତି ଇତ୍ୟାଦି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.