fbpx

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି; ତଥାପି ରାଜେନ୍ଦ୍ର ନଗରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଜାରି

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ସେଥିମଧ୍ୟରୁ ପୁରୁଣା ରାଜେନ୍ଦ୍ର ନଗର ମଧ୍ୟ ରହିଛି, ଯେଉଁଠାରେ ଗତ ସପ୍ତାହରେ ବର୍ଷା ପରେ ବେସମେଣ୍ଟରେ ପାଣି ପଶିଯିବାରୁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ବର୍ଷା ଭିତରେ ମଧ୍ୟ ଏହି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରହିଥିଲା ।

ପୁରୁଣା ରାଜେନ୍ଦ୍ର ନଗରର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ ରାସ୍ତାରେ ବନ୍ୟା ପାଣିରେ ମଧ୍ୟ ‘ଆମେ ନ୍ୟାୟ ଚାହୁଁଛୁ’ ବୋଲି ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଆମ୍ ଆଦମୀ ପାର୍ଟି ନେତା ତଥା ସ୍ଥାନୀୟ ବିଧାୟକ ଦୁର୍ଗେଶ ପାଠକଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ପ୍ରାୟ ଅଣ୍ଟା ଗଭୀର ପାଣିରେ ଏହି ଅଞ୍ଚଳକୁ ଯାଞ୍ଚ କରୁଛନ୍ତି ।

ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ଏକ ଘଣ୍ଟା ମଧ୍ୟରେ ପ୍ରାୟ ୧୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ସପ୍ତାହରେ ପୁରୁଣା ରାଜେନ୍ଦ୍ର ନଗରରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଯିବାରୁ ୩ ଜଣ ୟୁପିଏସସି ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ଔରଙ୍ଗାବାଦର ତାନ୍ୟା ସୋନି, ଆମ୍ବେଦକର ନଗରର ଶ୍ରେୟା ଯାଦବ ଓ ନେଭିନ୍ ଦଳଭିନ୍ ।

Get real time updates directly on you device, subscribe now.