ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ତତସହିତ ଜଡ଼ିତ ସାମୁଦ୍ରିକ ଘୂର୍ଣ୍ଣିବଳୟ ସମୁଦ୍ର ପତନର ୭.୬ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଦିଗକୁ ଅଗ୍ରସର ହେଉଛି । ଏହା ପ୍ରଭାବରେ ରାଜ୍ୟରେ ହେଉଛି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ବର୍ଷା ପାଣିରେ ଭାସିଯାଇଛି ଏକ ମାଲ ବୋଝେଇ ଟ୍ରକ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ସୂଚନା ମୁତାବକ ଏହି ଦୃଶ୍ୟଟି ହେଉଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାର ବୋଲି ଜଣାପଡିଛି । ମନିଷ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରକ ଟି ପିଡ଼ିଏସ ସାମଗ୍ରୀ ବଣ୍ଟନ କାର୍ୟ୍ୟରେ ନିୟଜିତ ଥିବା ବେଳେ ବିଜାପୁର ଜିଲ୍ଲା ସଦର ମହକୁମା ଠାରୁ ମୋଟୁ ପାଲ୍ଲି ଓ ସଙ୍କଟ ପାଲ୍ଲି ଗ୍ରାମକୁ ଯିବା ସମୟରେ ଏହି ଅଘଟଣା ଘଟିଛି । ସଙ୍କଟ ପାଲ୍ଲି ପୋଲ ପାର ହେବା ସମୟରେ ବନ୍ୟା ଜଳରେ ଟ୍ରକଟି ଭାସି ଯାଇଛି । ଡ୍ରାଇଭର ଓ ଟ୍ରକର ହେଲପର ବନ୍ୟା ଜଳରେ ପହଁରି ପହଁରି ନିଜ ଜୀବନ ବଞ୍ଚାଇଛନ୍ତି । ତେବେ ବନ୍ୟା ଜଳ କମିବା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଅନୁରୂପ ଭାବରେ ଲଗାଣ ବର୍ଷା ଯୋଙ୍ଗୁ ସମଗ୍ର ମାଲକାନଗିରି ଜିଲ୍ଲା ବେହାଲ ହୋଇ ପଡ଼ିଛି । ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଧ୍ର ଓ ଓଡିଶା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି ।
୫ ଦିନ ଧରି ଲଗାଣ ବର୍ଷାରେ ବେହାଲ ମାଲକାନଗିରି। ପ୍ରବଳ ବର୍ଷା ଯୋଗୁଁ ସିଲେରୁ, ସାବେରୀ, ପୋଟେରୁ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଅନ୍ୟପଟେ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି । ଗୁରୁବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଗଂଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।