fbpx
BSKY
BJD MC SKY
BJD YOUTH SKY

G-20 Summitରେ ଦୁଇ ଦିନରେ ଏହିସବୁ କାର୍ଯ୍ୟ କରିବେ ଅତିଥି: ଦେଖନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଘଣ୍ଟା ପରେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଯିବ କଡ଼ା କଟକଣା । ଶନିବାର ଏବଂ ରବିବାର ଏଠାରେ ଜି-୨୦ ସମ୍ମିଳନୀ ପାଇଁ ପୃଥିବୀର ବିଭିନ୍ନ ଦେଶରୁ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବେ । ତେବେ ସେମାନଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ତେବେ ଅଧିକାଂଶ କାର୍ଯ୍ୟକ୍ରମ ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନର ଭାରତ ମଣ୍ଡପମ୍ ଠାରେ ଆୟୋଜିତ ହେବ । ତେବେ ସମସ୍ତ ନେତା ରବିବାର ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ଉପରେ ପୁଷ୍ପାଞ୍ଜଳି ଅର୍ପଣ କରିବେ । ଏହାବ୍ୟତୀତ କ’ଣ ରହିଛି ସମ୍ମିଳନୀର ଏଜେଣ୍ଡା ?

୦୯.୦୯.୨୦୨୩:

ଶନିବାର ଦିନ ସକାଳ ୯.୩୦ରେ ସମସ୍ତ ଦେଶ ଏବଂ ଶିଷ୍ଟମଣ୍ଡଳର ନେତା ଶିଖର ସମ୍ମେଳନ ସ୍ଥଳୀ ଭାରତ ମଣ୍ଡପମ୍ ଠାରେ ପହଞ୍ଚିବେ । ଏଠାରେ ପହଞ୍ଚିବା ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫଟୋ ଉଠାଇବେ ସମ୍ମାନୀତ ଅତିଥି । ଏହାପରେ ସମସ୍ତ ନେତା ଏବଂ ଶିଷ୍ଟମଣ୍ଡଳ ପ୍ରମୁଖ ଲିଡର୍ସ ଲାଉଞ୍ଜଠାରେ ଏକତ୍ର ହେବେ । ଏଠାରେ ୧୦.୩୦ରୁ ସମ୍ମେଳନର ପ୍ରଥମ ପର୍ଯ୍ୟାୟ ‘ୱାନ୍ ଆର୍ଥ’ ଆରମ୍ଭ ହେବ । ଏହାପରେ ମଧ୍ୟାହ୍ନ ୧.୩୦ରେ ଭୋଜନର ବ୍ୟବସ୍ଥା କରାଯାଇଛି ଏବଂ ଏହାପରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଯିବ । ତେବେ ଅପରାହ୍ନ ୩.୦୦ରେ ଭାରତ ମଣ୍ଡପମରେ ଏହି ସମ୍ମିଳନୀର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯିବ, ଯାହାର ନାମ ରହିଛି ‘ୱାନ୍ ଫ୍ୟାମିଲି’ । ତେବେ ଏହି ବୈଠକ ପରେ ସମସ୍ତ ନେତା ନିଜ ନିଜ ହୋଟେଲକୁ ପ୍ରତ୍ୟାବର୍ତ୍ତନ କରିବେ ।

ସନ୍ଧ୍ୟା ୭ଟାରେ ସମସ୍ତ ନେତା ରାତ୍ରିଭୋଜନ ପାଇଁ ପୁଣିଥରେ ଏକତ୍ର ହେବେ ଏବଂ ସ୍ୱାଗତ ଫଟୋ ଉଠାଇବାର ସୂଚୀ ରହିଛି । ରାତି ୮ଟାରୁ ୯.୧୫ ପର୍ଯ୍ୟନ୍ତ ସମସ୍ତ ନେତାଙ୍କ ରାତ୍ରିଭୋଜନ ପରେ ଲିଡର୍ସ ଲାଉଞ୍ଜରେ ଏକତ୍ର ହେବେ । ଏହାପରେ ୯.୪୫ ସୁଦ୍ଧା ହୋଟେଲକୁ ପ୍ରତ୍ୟାବର୍ତ୍ତନ କରିବେ ସମସ୍ତ ଦେଶର ପ୍ରତିନିଧି ।

୧୦.୦୯.୨୦୨୩:

ତେବେ ରବିବାର ଦିନ ୮.୧୫ରେ ସମସ୍ତ ନେତା ଏବଂ ଶିଷ୍ଟମଣ୍ଡଳ ପ୍ରମୁଖ ରାଜଘାଟରେ ପହଞ୍ଚିବେ । ଏଠାରେ ସମସ୍ତେ ପିସ୍ ବଲରେ ଦସ୍ତଖତ କରିବା ସହ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧି ଉପରେ ପୁଷ୍ପାଞ୍ଜଳି ପ୍ରଦାନ କରିବେ । ଏହାସହିତ ବାପୁଙ୍କ ପ୍ରିୟ ଭକ୍ତି ଗୀତର ଲାଇଭ ପ୍ରଦର୍ଶନ କରାଯିବାର ସୁଚୀ ରହିଛି । ଏହାପରେ ନେତା ଲିଡର୍ସ ଲାଉଞ୍ଜରେ ଏକାଠି ହୋଇ ଭାରତ ମଣ୍ଡପମକୁ ପ୍ରସ୍ଥାନ କରିବେ । ଏଠାରେ ୯.୪୦ରୁ ୧୦.୧୫ ପର୍ଯ୍ୟନ୍ତ ଚାରାରୋପଣ ସମାରୋହ ଆୟୋଜିତ କରାଯିବ । ସକାଳ ୧୦.୩୦ ସମୟରେ ଶିଖର ସମ୍ମିଳନୀର ତୃତୀୟ ପର୍ଯ୍ୟାୟ ‘ୱାନ୍ ଫ୍ୟୁଚର’ ଆରମ୍ଭ ହେବ । ଏହି ସମୟରେ ନୂଆଦିଲ୍ଲୀ ଘୋଷଣାପତ୍ରକୁ ଅଙ୍ଗୀକାର କରାଯିବ । ଶେଷରେ ସମାପନ ସମାରୋହଏବଂ ହସ୍ତାନ୍ତରଣ ସମାରୋହ ଅନୁଷ୍ଠିତ ହେବ । ଏହାପରେ ନିର୍ଦ୍ଧାରିତ ଦ୍ୱିପାକ୍ଷିକ ବୈଠକ ପରେ ସମସ୍ତ ନେତା ଏବଂ ଶିଷ୍ଟମଣ୍ଡଳୀ ପ୍ରମୁଖ ହୋଟେଲକୁ ପ୍ରସ୍ଥାନ କରିବେ ।

Get real time updates directly on you device, subscribe now.