ପଥର କରିଦେଲା କୋଟିପତି, ବୁଲୁବୁଲୁ ମିଳିଗଲା ଖଜାନା

ଜଙ୍ଗଲରେ ବୁଲି ମଜା କରିବା ସମୟରେ ମିଳିଲା ଏକ ଅଜବ ପଥର, ଯାହା ଲୋକଙ୍କୁ କରିଦେଲା ଆଶ୍ଚର୍ଯ୍ୟ

ଓଡିଶା ଭାସ୍କର: ଜଙ୍ଗଲରେ ବୁଲି ମଜା ନେଉଥିବାବେଳେ ମିଳିଗଲା ଖଜାନା। ପଥର ଭିତରେ ଥିବା ଏକ ବାକ୍ସ କରିଦେଲା କୋଟିପତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ୟୁରୋପର ଏକ ଦେଶ, ଚେକ୍ ଗଣରାଜ୍ୟରେ।

ଏଠାରେ ଥିବା କ୍ରୋକୋନୋସେ ପର୍ବତମାଳାରେ ଦୁଇଜଣ ଲୋକ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ଚମକୁ ଥିବା ଆଲୁମିନିୟମ ବାକ୍ସ ଦେଖିଥିଲେ , ଯାହା ପଥର ମଧ୍ୟରେ ଥିଲା। ସେମାନେ ଦୌଡ଼ି ଯାଇ ଯେତେବେଳେ ସେ ବାକ୍ସକୁ ଦେଖିଲେ, ତା ଭିତରେ ଥିବା ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

କଣ ଥିଲା ଏହି ବାକ୍ସରେ ?

ସିଏନଏନ ରିପୋର୍ଟ ଅନୁଯାୟୀ, ଏହି ବାକ୍ସରେ କେବଳ ଗୋଟିଏ ଜିନିଷ ନୁହେଁ ବରଂ ବହୁତ ଗୁଡ଼େ ଜିନିଷ ଥିଲା। ସେସବୁ ହେଉଛି ୧୦ଟି ସୁନା ଚୁଡ଼ି , ୧୭ଟି ସିଗାରେଟ ବାକ୍ସ, ଏକ ପାଉଡର କମ୍ପାକ୍ଟ, ଗୋଟେ ପାନିଆ, ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା – ୫୯୮ଟି ସୁନା ମୁଦ୍ରା ଥିଲା । ଯାହାର ଓଜନ 8 ପାଉଣ୍ଡ ମାନେ 3.7 କିଲୋଗ୍ରାମ। ଏହି ମୁଦ୍ରାଗୁଡ଼ିକର ମୂଲ୍ୟ ପ୍ରାୟ 3 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଏତେ ସବୁ ଜିନିଷ ଦେଖି ଦୁଇଜଣ ନିକଟସ୍ଥ ହ୍ରାଡେକ୍ କ୍ରାଲୋଭେ ସହରସ୍ଥିତ ପୂର୍ବ ବୋହେମିଆ ସଂଗ୍ରହାଳୟରେଏହାକୁ ଜମା କଲେ। ସଂଗ୍ରହାଳୟର ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟ ମିରୋସ୍ଲାଭ ନୋଭାକ କହିଛନ୍ତି ଯେ, ସେହି 2 ଜଣ ବିନା ଆପଏଣ୍ଟମେଣ୍ଟରେ ବିଶେଷଜ୍ଞଙ୍କ ପାଖକୁ ସେହି ଜିନିଷ ସବୁ ଆଣିଥିଲେ। ଏହା ପରେ ଆମ ଦଳ ସେହି ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କଲା।

ଗୋଟିଏ ମୁଦ୍ରାରେ ୧୯୨୧ ତାରିଖ ମିଳିଥିଲା, ଯାହାର ଅର୍ଥ ହେଉଛି ଏହା ଅତି କମରେ ୧୦୦ ବର୍ଷ ପୁରୁଣା। ନୋଭାକ ବିଶ୍ୱାସ କରନ୍ତି ଯେ, ଏହି ଟଙ୍କା ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ କିମ୍ବା ପ୍ରାୟ ୧୯୪୫ ମସିହାର ଅଟେ। ବିଶେଷ କଥା ହେଉଛି ଏହି ପଇସା ମଧ୍ୟରେ ଗୋଟିଏ ବି ସ୍ଥାନୀୟ ମୁଦ୍ରା ନାହିଁ। ମୁଦ୍ରାଗୁଡ଼ିକରୁ ଅଧା ବାଲକାନର ଏବଂ ଅଧା ଫ୍ରାନ୍ସର। କିଛି ମୁଦ୍ରାରେ ପୂର୍ବତନ ଯୁଗୋସ୍ଲାଭିଆର ଚିହ୍ନ ମଧ୍ୟ ଅଛି, ଯାହା 1920 କିମ୍ବା 1930 ଦଶକରେ ତିଆରି ହୋଇଥିଲା।

ଏହାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। କିଏ ଏହି ଧନ ସମ୍ପତ୍ତି କୁକ୍ସ ଇଷ୍ଟେଟର ଧନୀ ସ୍ୱିର୍ଟସ୍-ଶ୍ପୋର୍କ ପରିବାରର କହୁଥୁବା ବେଳେ, ଅନ୍ୟ କେତେକ କହିଛନ୍ତି ଯେ ଏହାକୁ ଚେକୋସ୍ଲୋଭାକିଆ ସୈନିକମାନେ ଲୁଟ୍ କରିଥାଇପାରନ୍ତି।

ବର୍ତ୍ତମାନ, ସଂଗ୍ରହାଳୟ ଏହାର ତଦନ୍ତ କରୁଛି। ବନ୍ଦ ଥିବା ସିଗାରେଟ ବାକ୍ସଗୁଡ଼ିକ ଖୋଲିବା ଏବଂ ଅନ୍ୟାନ୍ୟ ଜିନିଷର ଯାଞ୍ଚ କରିବା ପରେ ଏହାର ପ୍ରକୃତ ମୂଲ୍ୟ ଜଣାପଡିବ। ଚେକ୍ ଆଇନ ଅନୁଯାୟୀ ଏହି ରତ୍ନଭଣ୍ଡାର ସ୍ଥାନୀୟ ପ୍ରଶାସନର ସମ୍ପତ୍ତି, କିନ୍ତୁ ଖୋଜି ପାଉଥିବା ବ୍ୟକ୍ତିମାନେ ଏହାର ମୂଲ୍ୟ ଅନୁସାରେ ପୁରସ୍କାର ପାଇବେ।