୨୩,୦୦୦ ଲୋକଙ୍କ ଚାକିରୀ ଗଲା, ଶିକ୍ଷକ ଭର୍ତ୍ତି ଘୋଟାଲାରେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି

କୋଲକାତା: ପଶ୍ଚିମବଙ୍ଗରେ ସ୍କୁଲ ସର୍ଭିସ କମିଶନର ଶିକ୍ଷକ ନିଯୁକ୍ତି ଘୋଟାଲାରେ ଆସିଛି ହାଇକୋର୍ଟଙ୍କ ନିଷ୍ପତ୍ତି । କୋଲକାତା ହାଇକୋର୍ଟ ୨୩ ହଜାରରୁ ଅଧିକ ଚାକିରୀ ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିରେ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ବଡ ଝଟକା ଲାଗିଛି । ୨୦୧୬ରେ ଯେଉଁମାନଙ୍କୁ ଚାକିରୀ ମିଳିଥିଲା କୋର୍ଟ ତାହାକୁ ରଦ୍ଦ କରି ଦେଇଛନ୍ତି । କେବଳ ଏତିକି ନୁହେଁ କୋର୍ଟ ସେମାନଙ୍କ ଦରମା ଫେରସ୍ତ କରିବାକୁ ବି ଆଦେଶ ଦେଇଛନ୍ତି ।

ଶିକ୍ଷକ ଭର୍ତ୍ତି ଘୋଟାଲାରେ କୋଲକାତା ହାଇକୋର୍ଟ ବିଚାରପତି ଦେବାଂଶୁ ବସାକଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ପୂର୍ବ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହିତ ଟିଏମସିର ଅନ୍ୟ ନେତା, ବିଧାୟକ ଓ ଶିକ୍ଷା ବିଭାଗର ବହୁ ଅଧିକାରୀ ଜେଲ୍‌ରେ ରହିଛନ୍ତି ।

କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ୍ ଗାଙ୍ଗୁଲୀ(ଯିଏକି ଏବେ ବିଜେପି ନେତା ରହିବା ସହ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ) ଏହି ମାମଲାର ଶୁଣାଣୀ କରି ଏହାର ଯାଞ୍ଚ ସିବିଆଇକୁ ଦେଇଥିଲେ ଓ ପାର୍ଥ ଚାଟାର୍ଜୀଙ୍କୁ ମଧ୍ୟ ସିବିଆଇ ସାମ୍ନାରେ ହାଜର ହେବାକୁ ଆଦେଶ ଶୁଣାଇଥିଲେ । ଏହାପରେ ପାର୍ଥ ଚାଟାର୍ଜୀ ଗିରଫ ହୋଇଥିଲେ । ଏ ପର୍ଯ୍ୟନ୍ତ ଏହି ମାମଲାରେ ୫୦୦୦ଙ୍କ ଚାକିରୀ ଯାଇ ସାରିଛି ଯେଉଁମାନେ ଭୁଲ୍ ଉପାୟରେ ଚାକିରୀ ପାଇଛନ୍ତି ।

Get real time updates directly on you device, subscribe now.