ମହାକୁମ୍ଭରେ ପାଣିକୁ ନେଇ ଆସିଲା ଚିନ୍ତାଜନକ ରିପୋର୍ଟ, ମିଳିଲା ମଣିଷ ଓ ପଶୁ ମଳରେ ଥିବା ଜୀବାଣୁ

ମହାକୁମ୍ଭରେ ଗଙ୍ଗା ଜଳକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ । ମିଳିଲା ଏହି ବିପଦଜନକ ଜୀବାଣୁ ।

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭ ସମୟରେ ଗଙ୍ଗା-ଯମୁନାରେ ପ୍ରଦୂଷଣ ବୃଦ୍ଧି ପାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୋମବାର ଦିନ ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ ଏହାର ରିପୋର୍ଟ ଦାଖଲ କରିଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ମହାକୁମ୍ଭ ସମୟରେ ପ୍ରୟାଗରାଜରେ ମଳ କୋଲିଫର୍ମ ଜୀବାଣୁର ପରିମାଣ ବୃଦ୍ଧି ପାଇଛି, ଯାହାଦ୍ୱାରା ନଦୀରେ ପ୍ରଦୂଷଣର ସ୍ତର ବୃଦ୍ଧି ପାଇଛି ।

ରିପୋର୍ଟ ଅନୁଯାୟୀ, ମହାକୁମ୍ଭ ଚାଲିଥିବା ଦିନଠାରୁ ପ୍ରୟାଗରାଜର ବିଭିନ୍ନ ସ୍ଥାନରେ ମଳ କୋଲିଫର୍ମର ସ୍ତର ବୃଦ୍ଧି ପାଇଥିବା ବେଳେ ଏହା ସ୍ନାନ ପାଇଁ ମୌଳିକ ଜଳ ଗୁଣବତ୍ତା ପାଇଁ ଉପଯୁକ୍ତ ନୁହେଁ ବୋଲି କୁହାଯାଇଛି ।

ମିଳିଲା ମଣିଷ ଓ ପଶୁ ମଳରେ ଥିବା ଜୀବାଣୁ-  କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟରେ କୁହାଯାଇଛି ଯେ, ନର୍ଦ୍ଦମା ମଇଳା ପାଣିର ସୂଚକ ମଳ କୋଲିଫର୍ମର ସୀମା ପ୍ରତି 100 ମିଲିରେ 2500 ୟୁନିଟ୍ ।

ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀରେ ନର୍ଦ୍ଦମା ଜଳ ପ୍ରବାହ ବନ୍ଦ କରିବା ସମ୍ପର୍କିତ ଏକ ମାମଲାର ଶୁଣାଣି NGT ବର୍ତ୍ତମାନ କରୁଛି । ମହାକୁମ୍ଭମେଳା ପାଇଁ ସ୍ୱେରେଜ୍ ପରିଚାଳନା ଯୋଜନା ସମ୍ପର୍କରେ NGT ପୂର୍ବରୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଜାରି କରିସାରିଛି । ଏହାପରେ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କ ଓକିଲଙ୍କୁ ରିପୋର୍ଟ ପଢ଼ି ଜବାବ ରଖିବାକୁ ଗୋଟିଏ ଦିନର ସମୟ ଦେଇଛନ୍ତି ।