ଆଜି ରାତି ୧୨ଟାରୁ ମହଙ୍ଗା ହେବ Highway ଯାତ୍ରା: କେତେ ଟଙ୍କା ବଢିଲା Toll Tax?

ଓଡ଼ିଶା ଭାସ୍କର: ଦେଶରେ ନିର୍ବାଚନ ଶେଷ ହୋଇଯାଇଛି । ବର୍ତ୍ତମାନ ଜୁନ୍ ୪ ତାରିଖରେ ଏହାର ଫଳାଫଳ ଘୋଷଣାକୁ ଅପେକ୍ଷା ରହିଛି । କିନ୍ତୁ ଏହାମଧ୍ୟରେ NHAI ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସାରା ଦେଶରେ ଟୋଲ ଦର ବୃଦ୍ଧି କରିବା ନେଇ ନିଷ୍ପତ୍ତି ଶୁଣାଇଛି । ସମଗ୍ର ଦେଶରେ ଟୋଲ ଟାକ୍ସ ହାରାହାରି ୫ ପ୍ରତିଶତ ବୃଦ୍ଧି କରାଯିବ । ବର୍ତ୍ତମାନ ରାଜମାର୍ଗରେ ଯାତାୟତ କରୁଥିବା ଗାଡ଼ିଚାଳକମାନଙ୍କୁ ସୋମବାରଠାରୁ ଅଧିକ ପେମେଣ୍ଟ କରିବାକୁ ହେବ । ଆଜି ରାତି ୧୨ଟାରୁ ଟୋଲ ଟାକ୍ସ ପାଇଁ ଅଧିକ ଖର୍ଚ୍ଚ ଦେବାକୁ ପଡ଼ିବ ।

NHAI ସୋମବାର ରାତି ୧୨ଟାରୁ ବଦଳିବ ଟୋଲ ଟାକ୍ସ ପଦ୍ଧତି । ୨ ମାସରୁ ପେଣ୍ଡିଙ୍ଗ ରହିଥିବା ଟୋଲ ଦର ଲାଗୁ କରାଯିବ । ଦେଶରେ ସାଧାରଣ ନିର୍ବାଚନ ଯୋଗୁଁ ଲାଗୁ ହୋଇଥିବା ଆଚାର ସଂହିତା ପାଇଁ ଏପ୍ରିଲ ୧ ତାରିଖରୁ ଲାଗୁ ହେବାକୁ ଥିବା ଏହି ନିଷ୍ପତ୍ତି ଉପରେ ରୋକ ଲାଗିଛି । ଏହି ବାର୍ଷିକ ସଂଶୋଧନରେ ହାରାହାରି ୫% ମଧ୍ୟରେ ରହିବାର ସମ୍ଭାବନା ଦେଖାଦେଇଛି । ଏ ନେଇ ଜଣେ ଉପରୋକ୍ତ ଅଧିକାରୀ କହିଛନ୍ତି ଯେ, ନୂଆ ୟୁଜରମାନଙ୍କ ପାଇଁ ଶୁଳ୍କ ଜୁନ୍ ୩ ତାରିଖରୁ ଲାଗୁ ହେବ । ଟୋଲ ଟାକ୍ସରେ ଏହି ପରିବର୍ତ୍ତନ ହୋଲସେଲ ପ୍ରାଇସ ଇଣ୍ଡେକ୍ସ ଆଧାରିତ ମୁଦ୍ରାସ୍ଫିତୀ ସହ ଜଡ଼ିତ ଦରକୁ ସଂଶୋଧିତ କରିବାର ବାର୍ଷିକ ପ୍ରକ୍ରିୟାର ଏକ ଅଂଶ ।

ରାଷ୍ଟ୍ରୀୟ ରାଜମାର୍ଗ ନେଟୱର୍କରେ ପ୍ରାୟ ୮୫୫ ୟୁଜର ଶୁଳ୍କ ପ୍ଲାଜା ରହିଛି, ଯେଉଁଥିରେ ରାଷ୍ଟ୍ରୀୟ ରାଜମାର୍ଗ ଶୁଳ୍କ(ଦର ନିର୍ଦ୍ଧାରଣ ଏବଂ କଲେକ୍ସନ) ନିୟମ, ୨୦୦୮ ଅନୁସାରେ ଗ୍ରାହକଙ୍କ ଉପରେ ଶୁଳ୍କ ଲଗା ଯାଇଥାଏ । ଏହି ନିୟମ ଅନୁସାରେ, ଏଣିକି ଏକ କାରକୁ ଏକ ପାଖକୁ ଯିବା ପାଇଁ ୧୨୫ ଟଙ୍କା ଟୋଲ ଭାବରେ ପ୍ରଦାନ କରାଯିବ । ସଂଶୋଧନ ପରେ ଚାରି ଚକିଆ ବା ହାଲକା ଯାନ ପାଇଁ ଏହି ମୂଲ୍ୟ ୪୫ ଟଙ୍କାରୁ ୧୬୦ ଟଙ୍କା ମଧ୍ୟରେ ରହିବ । ସେହିପରି ଭାରୀ ଯାନ ପାଇଁ ନିର୍ଦ୍ଧାରିତ ଦୂରତା ଆଦାରରେ ୪୦ ଟଙ୍କାରୁ ୨୫୦ ଟଙ୍କା ମଧ୍ୟରେ ଟୋଲ ଦେବାକୁ ପଡ଼ିବ । ବର୍ତ୍ତମାନ ରାଜମାର୍ଗ ପ୍ରାଧିକରଣ ୧୩୫ କି.ମି ଲମ୍ବା ଏକ୍ସପ୍ରେସୱେରେ ୨.୧୯ ଟଙ୍କା ପ୍ରତି କିଲୋମିଟର ଟୋଲ ଟାକ୍ସ ଦିଆଯାଉଛି ।