fbpx

ବିଶ୍ଵର ସର୍ବୋଚ୍ଚ ମତଦାନ କେନ୍ଦ୍ରରେ ଶତ ପ୍ରତିଶତ ମତଦାନ

Advertisement

ନୂଆଦିଲ୍ଲୀ: ବିଶ୍ଵର ସର୍ବୋଚ୍ଚ ମତଦାନ କେନ୍ଦ୍ରରେ ଶତ ପ୍ରତିଶତ ମତଦାନ। ଶନିବାର ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମାପ୍ତ ହୋଇଛି। ଲାହୋଲ ସ୍ପିତି ଜିଲ୍ଲାରେ କାଜାରେ ବିଶ୍ଵର ସର୍ବୋଚ୍ଚ ଏବଂ ଆଦର୍ଶ ମତଦାନ କେନ୍ଦ୍ର ଟାଶିଗଙ୍ଗରେ ମତଦାନ ଏକ ଉତ୍ସବ ପରି ପାଳନ କରାଯାଇଛି। ଏଠାରେ ୧୦୦ ପ୍ରତିଶତ ମତଦାନ ହୋଇଛି। ଏଠାରେ ୫୨ ଜଣ ଭୋଟର ଥିଲେ ଏବଂ ସମସ୍ତେ ନିଜତ ମତଦାନ କରିଛନ୍ତି। ଏହି ମତଦାନ କେନ୍ଦ୍ରଟି ୧୫ ହଜାର ଫୁଟ ଉଚ୍ଚରେ ଅବସ୍ଥିତ। ଏଠାରେ ସର୍ବଦା ପାରଦ ବିଯୁକ୍ତ ରହିଥାଏ।

ମତଦାନ କେନ୍ଦ୍ରକୁ ଏଡିସି କାଜା ଅଭିଷେକ ବର୍ମା ଗସ୍ତ କରିଛନ୍ତି। ତାଙ୍କୁ ପାରମ୍ପରିକ ପୋଷାକ ପରିଧାନ କରାଯାଇ ସ୍ଥାନୀୟ ଲୋକେ ସମ୍ମାନିତ କରିଛନ୍ତି। ଏହି ଅବସରରେ ଅଭିଷେକ ସମସ୍ତ ମତଦାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମତଦାନ ଦିନ ଆଦର୍ଶ ମତଦାନ କେନ୍ଦ୍ରକୁ ପାରମ୍ପରିକ ଭାବେ ସାଜସଜ୍ଜା କରାଯାଇଥିଲା। ମତଦାତାଙ୍କ ପାଇଁ ପ୍ରତୀକ୍ଷା ଗୃହର ବ୍ୟବସ୍ଥା କରାଯାଇଥିଲା।

ଉପ ଜିଲ୍ଲାପାଳ ଅଭିଷେକ ବର୍ମା କହିଛନ୍ତି, ଟାଶିଗଙ୍ଗ ଏବଂ ଗେତେ ଗାଁରେ ସମସ୍ତ ମତଦାତାଙ୍କୁ ବିଏଲଓ ଘର ଘର ଯାଇ ଭୋଟ୍ ଦେବାକୁ ସଚେତନ କରାଇଥିଲେ। ଏଠାରେ ଗତ ଥର ୪୮ ଜଣ ମତଦାନ କରିଥିଲେ। ଏଥର ନୂତନ ଭାବେ ଚାରି ଜଣ ଭୋଟର ଯୋଡି ହୋଇଛନ୍ତି। ଆଉ ସମସ୍ତ ୫୨ ଜଣ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏପରିକି ମତଦାତାଙ୍କ ପାଇଁ ସକାଳ ଭୋଜନ ଏବଂ ମଧ୍ୟାହ୍ନ ଭୋଜନର ମାଗଣା ବ୍ୟବସ୍ଥା କରାଯାଇଥିଲା। ମତଦାନ କେନ୍ଦ୍ରରେ ସର୍ବ ପ୍ରଥମେ ୭୮ ବର୍ଷୀୟ ସୋନମ ଡୋଲମା ମତଦାନ କରିଥିଲେ। ସେ ଲଗାତାର ପ୍ରଥମ ବ୍ୟକ୍ତି ଭାବେ ଭୋଟ୍ ଦେଇ ଆସୁଛନ୍ତି।

Get real time updates directly on you device, subscribe now.