fbpx

ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା; ଜାଣନ୍ତୁ ଏଥର କଣ ସବୁ ଆକର୍ଷଣ ରହିଛି

କଟକ: ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା। ଯାହାକୁ ନେଇ ଏବେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ମହାନଦୀ ପଠାରେ ଆରମ୍ଭ ହୋଇଯାଇଛି ବ୍ୟବସ୍ୟାୟୀଙ୍କ ପସରା। ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସ୍ୟାୟୀମାନେ ତାଙ୍କ ଜିନିଷପତ୍ର ଧରି ନିଜ ନିଜ ଷ୍ଟଲ ସଜାଇବାରେ ବ୍ୟସ୍ତ ରହିଛନ୍ତି। ଦୋଳିଠାରୁ ଆରମ୍ଭ କରି ଖାଦ୍ୟ ଷ୍ଟଲ ଓ କପଡା ବ୍ୟବସ୍ୟାୟୀ ନିଜ ନିଜ ସ୍ୱଳ୍ପ ବ୍ୟବସାୟ ମଧ୍ୟ ଆରମ୍ଭ କରିଦେଲେଣି।

ସୂଚନା ଅନୁଯାୟୀ, ଚଳିତବର୍ଷ ବାଲିଯାତ୍ରା ୪୩ ଏକର ଜାଗାରେ ୧୪ ଶହରୁ ଅଧିକ ଷ୍ଟଲ ହେଉଥିବା ବେଳେ ଓରମାସ ପକ୍ଷରୁ ୪ ଶହରୁ ଅଧିକ ଷ୍ଟଲ କରାଯାଇଛି। ବୈଷ୍ଣବ ପାଣି ମଞ୍ଚରେ ଓଲିଉଡ଼ କଳାକାର ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ବଲିଉଡ କଳାକାର କାର୍ୟ୍ୟକ୍ରମ ପରିବେଷଣ କରିବେ। କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି। ଏଥିସହିତ ୩୦ ଫୁଟ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍‌, ଲେଜର ଶୋ’ ଆଦି କରାଯାଇଛି। ସେହିପରି ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରି ଧୁଳି ନ ଉଡିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ବେଲଭ୍ୟୁ ଛକ, ବିଡାନାସୀ ପାର୍କିଂ ଆଦି ସ୍ଥାନରୁ ମାଗଣା ବସ ବ୍ୟବସ୍ଥା କରିଛି ପ୍ରଶାସନ। ଅନ୍ୟପଟେ ଚଳିତ ବର୍ଷ ବାଲିଯାତ୍ରାର ବିଶେଷ ଆକର୍ଷଣ ସାଜିବ ରାଜ୍ୟର ପ୍ରଥମଥର ପାଇଁ ହେଉଥିବା ଫିସ୍‌ ଆକ୍ୟୁରମ୍‌ ଟନେଲ।

ତେବେ ଆସନ୍ତାକାଲି ବା ନଭେମ୍ବର ୨୭ ରେ ବାଲିଯାତ୍ରା ଉଦଘାଟନୀ ଉତ୍ସବ ହେବ। ସେହିପରି ଡିସେମ୍ବର ୪ ତାରିଖରେ ଉଦଯାପନୀ ଉତ୍ସବ କରାଯିବ। ପାର୍କିଂ ସ୍ଥାନରୁ ଯାତ୍ରୀ ଯିବା ଆସିବା ପାଇଁ ସ୍ୱତନ୍ତ୍ର ଇ ରିକ୍ସା ରହିବ। ଭିଡ ନିୟନ୍ତ୍ରଣ ପାଇଁ ୪ ଟି ପ୍ରବେଶ ଓ ପ୍ରସ୍ଥାନ ରହିଛି। ସବୁ ଦିନ ସକାଳେ ପଥଉତ୍ସବ ହେବ। ଯାତ୍ରୀଙ୍କ ସୁବିଧା ପଡ଼ିଆ ମଧ୍ୟରେ ୨୫୦ ଟି ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ହୋଇଛି। ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ ପକ୍ଷରୁ ୫୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

 

Get real time updates directly on you device, subscribe now.