fbpx

‘ଇତିହାସ ହେବାର ନାହିଁ, ରଚିବାର ଅଛି… ଏବେ ଆଉ ଜନ୍ମ ନେବେ ନାହିଁ ତୈମୁର, ଔରଙ୍ଗଜେବ ଓ ହୁମାୟୁନ’

ନୂଆଦିଲ୍ଲୀ : ଏବେ ଜନ୍ମ ନେବେ ନାହିଁ ତୈମୁର, ଔରଙ୍ଗଜେବ, ବାବର ଓ  ହୁମାୟୁନ। ଆମକୁ ଇତିହାସ ହେବାର ନାହିଁ, ଇତିହାସ ସୃଷ୍ଟି କରିବାର ଅଛି। ଏମିତି ଉତ୍ତେଜକ ବୟାନ ଦେଇଛନ୍ତି ହରିୟାଣା ବିଜେପି ମୁଖପାତ୍ର ତଥା କରଣି ସେନାର ସଭାପତି ସୁରଜ ପାଲ ଅମୁ। ରବିବାର ଗୁଡଗାଓଁର ପଟୌଦିରେ ଆୟୋଜିତ ମହାପଞ୍ଚାୟତରେ ସେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।  ଏକ ବିଶେଷ ସମୁଦାୟ ବିରୋଧରେ ଦେଇଥିବା ଉତ୍ତେଜନାମୂଳକ ଭାଷଣ ପରେ ସେ ବିବାଦରେ। ସୁରଜ ପାଲ ଅମୁ ଜୁଲାଇ ୪ ମହାପଞ୍ଚାୟତରେ ଯୋଗ ଦେଇଥିଲେ।

ମହାପଞ୍ଚାୟତରେ ସେ ଉପସ୍ଥିତ ଲୋକଙ୍କୁ  ବିଶେଷ ସମୁଦାୟର ଲୋକଙ୍କୁ ବାଛି ବାଛି ମାଡ ମାରିବା କଥା କହିଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି, ଏବେ ଆଉ ତୈମୁର, ଔରଙ୍ଗଜେବ, ବାବର ଓ ହୁମାୟୁନ ଜନ୍ମ ନେବେ ନାହିଁ। ଏହି ମହାପଞ୍ଚାୟତ ଲଭ ଜିହାଦ ଓ ଧର୍ମାନ୍ତରଣ ପ୍ରସଙ୍ଗରେ ଆୟୋଜିତ କରାଯାଇଥିଲା। ଏହି ଅବସରରେ ସୁରଜ ପାଲ ଅମୁ କହିଛନ୍ତି, ସେମାନେ ନିଶ କାଟନ୍ତି କିନ୍ତୁ ଆମେ ବେକ କାଟିବାକୁ ସକ୍ଷମ।

ଏଥିସହ ସେ କହିଛନ୍ତି, ସେ ଇତିହାସ ହେବା ନାହିଁ ବରଂ ଇତିହାସ ତିଆରି କରିବା ଉପରେ ଭରସା ରଖନ୍ତି। ଏହି ଉତ୍ତେଜନାମୂଳକ ଭାଷଣର ଭିଡିଓ ଏବେ ଭାଇରାଲ ହୋଇଛି। ସେ କହିଛନ୍ତି, ଯଦି ଦେଶ ଭିତରେ ଇତିହାସ ରଚିବାକୁ ଚାହୁଁଛ ତେବେ ଇତିହାସ ହୁଅନ୍ତୁ ନାହିଁ। ନା ତୈମୁର ଜନ୍ମ ହେବ, ନା ଔରଙ୍ଗଜେବ, ବାବର, ହୁମାୟୁନ ଜନ୍ମ ନେବେ। ଆମେ ଶହେ କୋଟି ଏବଂ ସେମାନେ ୨୦ କୋଟି ବୋଲି ସୁରଜ ପାଲ୍ ଅମୁ ନିଜର ବିବାଦୀୟ ଭାଷଣରେ ଏହି ମନ୍ତବ୍ୟ ଦେଇଛନ୍ତି।

ସୁରଜ ପାଲ ନିଜ ସମ୍ବୋଧନରେ ସମୁଦାୟର ବିଶେଷ ଲୋକଙ୍କୁ ଘର ଭଡା ନଦେବାକୁ କହିଛନ୍ତି। ସେ କହିଛନ୍ତି ଯଦି ଭାରତ ଆମର ମା ତେବେ ଆମେ ପାକିସ୍ତାନର ବାପା। ପାକିସ୍ତାନକୁ ଆମେ ଏଠାରେ ଘର ଭଡାରେ ଦେବା ନାହିଁ।

Get real time updates directly on you device, subscribe now.