fbpx

RMRCରେ ହେବ HIV ସଂକ୍ରମିତଙ୍କର ଭାଇରାଲ ଲୋଡ୍ ପରୀକ୍ଷା: ଓଡ଼ିଶାର ରୋଗୀଙ୍କୁ ଆଉ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଏଚଆଇଭି ଏକ ଭୟଙ୍କର ବିମାରୀ । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏଡସ ଓ ଏଚଆଇଭି ମାମଲା ହ୍ରାସ ପାଇବାରେ ଲାଗିଛି । ତେବେ ଓଡ଼ିଶା କଥା ବିଚାର କଲେ, ଯଦିଓ ଏଠାରେ ସଂକ୍ରମଣ ବଢ଼ିନାହିଁ ତଥାପି ଏ କ୍ଷେତ୍ରରେ କୌଣସି ସୁଧାର ପରିଲକ୍ଷିତ ହୋଇନଥିବା ଜଣାପଡ଼ିଛି । ଏହି ଭୟଙ୍କର ବୀମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଅନେକ ନୂଆ ପଦକ୍ଷେପ ଗ୍ରହଣ କରିଥିଲେ ।

ତେବେ ଏଚଆଇଭିକୁ ନେଇ ଆସିଛି ଏକ ଖୁସି ଖବର । ଏଣିକି ରାଜ୍ୟରେ ଏଚଆଇଭି ସଂକ୍ରମିତଙ୍କ ଭାଇରାଲ-ଲୋଡ୍ ପରୀକ୍ଷା କରାଯିବ । ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଇସିଏମଆର-ଆରଏମଆରସିର ଅତ୍ୟାଧୁନିକ କୋବାସ ଲ୍ୟାବରେ ଏହି ପରୀକ୍ଷା କରାଯିବ । ଏନେଇ ଓକାକ୍ସ ଓ ଆରଏମଆରସି ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏଚଆଇଭି ସଂକ୍ରମିତ ବା ଏଡସ ରୋଗୀଙ୍କ ଶରୀରରେ ଭୂତାଣୁ ସଂକ୍ରମଣ କେତେ ରହିଛି ତାହା ଜାଣିବା ପାଇଁ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।

ପୂର୍ବରୁ ଏଚଆଇଭି ସଂକ୍ରମିତଙ୍କ ଶରୀରରେ ଭାଇରାଲ ଲୋଡ୍ କେତେ ରହିଛି ତାହା ଜାଣିବା ପାଇଁ ନମୂନା ଅନ୍ୟ ରାଜ୍ୟକୁ ପଠାଇବାକୁ ପଡ଼ୁଥିଲା । ଏପରି ସ୍ଥିତିରେ ରିପୋର୍ଟ ଆସିବାକୁ ବହୁ ଦିନ ସମୟ ଲାଗୁଥିଲା । ତେବେ ଏଣିକି ରାଜ୍ୟର ଆରଏମଆରସି ଲାବରେ ଆରଟିପିସିଆର ଏଚଆଇଭି-୧ ଭାଇରାଲ ଲୋଡ୍ ପରୀକ୍ଷା କରାଯାଇ ପାରିବ । ନମୂନା ପଠାଇବାର ଗୋଟିଏ ଦିନ ଭିତରେ ରିପୋର୍ଟ ମିଳିପାରିବ । ରୋଗୀମାନେ ସଠିକ୍ ଚିକିତ୍ସା ପାଇଲେ ସେମାନେ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ଜୀବନଯାପନ କରିପାରିବେ । ସଂକ୍ରମିତଙ୍କ ବାବଦରେ ସଠିକ ତଥ୍ୟ ମିଳିବା ଫଳରେ ସେମାନଙ୍କର ଚିକିତ୍ସା ସହଜ ହୋଇ ପାରିବ ।

Get real time updates directly on you device, subscribe now.