fbpx
BSKY
BJD MC SKY
BJD MS SKY

ହକି ବିଶ୍ୱକପ ପାଇଁ ନୂଆ ନିଷ୍ପତ୍ତି: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗିବ LCD Screen, ଛାତ୍ରଛାତ୍ରୀ ନେବେ ହକିର ମଜା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆରମ୍ଭ ହେବ ହକି ବିଶ୍ୱକପ । ସେଥିପାଇଁ ବିଶ୍ୱକପର ସମସ୍ତ ମ୍ୟାଚ ଆୟୋଜନ ହେବାକୁ ସ୍ଥିରୀକୃତ ହୋଇଥିବା ଦୁଇ ସହର ଭୁବନେଶ୍ୱର ଓ ରାଉରକେଲାକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ପ୍ରୟାସ ପାଇଁ ଏକାଧିକ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରି ଆଜି ଓଡ଼ିଶା ସରକାର ଦେଶ, ବିଦେଶରେ ସୁନାମ ଅର୍ଜନ କରିଛନ୍ତି ।

ତେବେ ଚଳିତ ପୁରୁଷ ହକି ବିଶ୍ୱକପର ମ୍ୟାଚକୁ ଦେଖିବା ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବଡ଼ ଏଲସିଡି ସ୍କ୍ରିନ ଲାଗିବ । ଏହା ମାଧ୍ୟମରେ ଉଦଘାଟନୀ ମ୍ୟାଚଠାରୁ ଆରମ୍ଭ କରି ଉଦଯାପୀ ଉତ୍ସବକୁ ପ୍ରସାରିତ କରାଯିବ । ଏହାଦ୍ୱାରା ଉଚ୍ଚଶିକ୍ଷାନୁଷ୍ଠାନର କ୍ୟାମ୍ପସମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ ହକିର ମଜା ଉଠାଇ ପାରିବେ । ଏ ବାବଦରେ ଉପଯୁକ୍ତ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ କୁହାଯାଇଛି ।

ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ବଡ଼ ଏଲସିଡି ସ୍କ୍ରିନ ଲଗାଯାଇ ଛାତ୍ରଛାତ୍ରୀଙ୍କୁ ହକି ଖେଳ ପ୍ରତି ଉତ୍ସାହିତ କରାଯିବ । ଜାନୁଆରୀ ୧୧ରେ ହେବାକୁ ଥିବା ଉଦଘାଟନୀ ଉତ୍ସବ, ୧୩ରେ ହେବାକୁ ଥିବା ଉଦଘାଟନୀ ମ୍ୟାଚ ଓ ୨୯ରେ ହେବାକୁ ଥିବା ଫାଇନାଲ ମ୍ୟାଚର ମଜା ଛାତ୍ରଛାତ୍ରୀମାନେ କ୍ୟାମ୍ପସ ମଧ୍ୟରେ ଉଠାଇ ପାରିବେ । ବିଶ୍ୱକପରେ ଭାରତ ଖେଳିବାକୁ ଥିବା ମ୍ୟାଚକୁ ଦେଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହିତ କ୍ୟାମ୍ପସରେ ପୋଷ୍ଟର, ବ୍ୟାନ ଲଗାଇ ହକିର ପ୍ରସାର କରାଇବାକୁ ବିଶ୍ୱବିଦ୍ୟାଳୟ ଓ କଲେଜର ମୁଖ୍ୟମାନଙ୍କୁ କୁହାଯାଇଛି ।

Get real time updates directly on you device, subscribe now.