fbpx

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି: ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ୧୨ଟ ଲିଗ୍ ମ୍ୟାଚ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଚଳିତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତା ପାଇଁ ଭୁବନେଶ୍ୱର ସହିତ ରାଉରକେଲା ନୂଆ କେନ୍ଦ୍ର ଭାବେ ସାମିଲ ହୋଇଛି । କାର୍ଯ୍ୟସୂଚୀ ଅନୁଯାୟୀ ଭୁବନେଶ୍ୱର ଓ ରାଉରକେଲାରେ ପ୍ରୋ ଲିଗ୍‌ର ମୋଟ ୧୨ ମ୍ୟାଚ୍‌ ଆୟୋଜିତ ହେବ । ଜାନୁଆରି ୨୦୨୩ରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ପର୍ବ ସ୍ୱରୂପ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ବିଶ୍ୱକପ୍‌ ମଧ୍ୟ ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବ । ରାଉରକେଲାରେ ବିଶ୍ୱକପ୍‌ ଲାଗି ଏକ ନୂଆ ବିଶ୍ୱସ୍ତରୀୟ ଷ୍ଟାଡିୟମ୍‌ ନିର୍ମାଣ କରାଯାଇଛି । ଏଣୁ କଳିଙ୍ଗ ଷ୍ଟାଡିୟମ ସହ ସେଠାରେ ପ୍ରୋ ଲିଗ୍‌ ଆୟୋଜନ କରି ଏଫ୍‌ଆଇଏଚ୍‌ ଉଭୟ ସ୍ଥାନର ଟର୍ଫ ଏବଂ ସୁବିଧା ସୁଯୋଗକୁ ବିଶ୍ୱକପ୍‌ ପୂର୍ବରୁ ପରଖିବାକୁ ଯୋଜନା କରିଛି । କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱକପ୍‌ ଲାଗି ନୂଆ ଟର୍ଫ ବିଛା ଯାଇଥିଲା ବେଳେ ରାଉରକେଲା ଷ୍ଟାଡିୟମ୍‌ରେ ମଧ୍ୟ ନୂତନ ଭାବେ ଟର୍ଫ ବିଛା ହୋଇଛି । ଭୁବନେଶ୍ୱର ଏବଂ ରାଉରକେଲା ସହ ପ୍ରୋ ଲିଗ୍‌ ଅଷ୍ଟ୍ରେଲିଆର ହୋବର୍ଟ ଓ ନ୍ୟୁ କ୍ୟାସେଲ, ଆର୍ଜେଣ୍ଟିନାର ମେଣ୍ଡୋଜା ଓ ସାଣ୍ଟିଆଗୋ, ବେଲଜିୟମର ଅନ୍ତେର୍ପେ, ଇଂଲଣ୍ଡର ଲଣ୍ଡନ, ନେଦରଲାଣ୍ଡ୍ସର ଏଣ୍ଡୋଭେନ୍‌ ଓ ଆମଷ୍ଟରଡାମ ଏବଂ ନ୍ୟୁଜିଲାଣ୍ଡର କ୍ରିଷ୍ଟଚର୍ଚ୍ଚ ଓ ୱେଲିଂଟନଠାରେ ଖେଳାଯିବ । ରାଉରକେଲା ଓ ଭୁବନେଶ୍ୱରରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ୬ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ ।

ଏଠାକୁ ନ୍ୟୁଜିଲାଣ୍ଡ, ସ୍ପେନ୍‌, ଜର୍ମାନୀ ଓ ଅଷ୍ଟ୍ରେଲିଆ ଖେଳିବାକୁ ଆସିବେ । ପ୍ରତିଯୋଗିତାର ଭାରତୀୟ ପର୍ଯ୍ୟାୟ ଅକ୍ଟୋବର ୨୮ରୁ ଆରମ୍ଭ ହେବ । ରାଉରକେଲାରେ ଭାରତ- ଅଷ୍ଟ୍ରେଲିଆ, ଅଷ୍ଟ୍ରେଲିଆ-ଜର୍ମାନୀ, ଭାରତ-ଜର୍ମାନୀ, ଭାରତ-ଅଷ୍ଟ୍ରେଲିଆ ଭଳି ମ୍ୟାଚ୍‌ ଖେଳାଯିବ । ସେହିଭଳି କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ, ନ୍ୟୁଜିଲାଣ୍ଡ-ସ୍ପେନ୍‌, ଭାରତ-ସ୍ପେନ୍‌ ଆଦି ମ୍ୟାଚ୍‌ ଅନୁଷ୍ଠିତ ହେବ । କଳିଙ୍ଗ ଷ୍ଟାଡିୟମ୍‌ରେ ହିଁ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ । ଏଥିରେ ଭାରତକୁ ନ୍ୟୁଜିଲାଣ୍ଡ ଭେଟିବ । ସଂପୂର୍ଣ୍ଣ ପ୍ରୋ ଲିଗ୍‌ ଅକ୍ଟୋବର ୨୮ରୁ ଆରମ୍ଭ ହୋଇ ୫ ଜୁଲାଇ ୨୦୨୩ରେ ଶେଷ ହେବ । ପ୍ରତିଯୋଗିତାରେ ମୋଟ ୯ ଦଳ ଅଂଶଗ୍ରହଣ କରିବେ । ସେହି ଦଳଗୁଡ଼ିକ ହେଲେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଜର୍ମାନୀ, ଗ୍ରେଟ୍‌ ବ୍ରିଟେନ୍‌, ଭାରତ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ସ୍ପେନ୍‌ ।

Get real time updates directly on you device, subscribe now.