fbpx

ହକି ବିଶ୍ୱକପ୍ କ୍ରସ୍ ଓଭର ମ୍ୟାଚ୍‌ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର,୨୧ା୧ (ଭାସ୍କର ନ୍ୟୁଜ୍‌) : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ହେବ ଚଳିତ ଏଫ୍‌ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଦୁଇ କ୍ରସ୍ ଓଭର ମ୍ୟାଚ୍। ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାରେ ସଫଳ ହୋଇ ଅଷ୍ଟ୍ରେଲିଆ, ବେଲ୍‌ଜିୟମ୍‌, ନେଦରଲାଣ୍ଡ୍‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରି ସାରିଥିବା ବେଳେ ୪ କ୍ରସ୍ ଓଭର ମ୍ୟାଚ୍‌ର ବିଜେତା କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବେ। ତେଣୁ ଭାରତ ପାଇଁ କ୍ରସ୍‌ ଓଭର ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ରବିବାର ପ୍ରଥମ କ୍ରସ୍ ଓଭର ମ୍ୟାଚ୍‌ରେ ମାଲେସିଆ ଓ ସ୍ପେନ୍ ପରସ୍ପରକୁ ଭେଟିବେ। ସେହିପରି ସନ୍ଧ୍ୟା ୭ଟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରସ୍ ଓଭର ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ ବିଜୟୀ ହୋଇପାରିଲେ ଭାରତ କ୍ୱାର୍ଟର ଫାଇନାଲ ଖେଳିବା ସୁଯୋଗ ସୃଷ୍ଟି କରିବ। ତେଣୁ ବିଶ୍ୱକପ୍‌ରେ ତିଷ୍ଠି ରହିବା ପାଇଁ ଭାରତ ଏହି ମ୍ୟାଚ୍‌ରେ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ ଯେ, ବିଶ୍ୱକପ୍‌ର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌କୁ ୨-୦ରେ ହରାଇ ଥିବାବେଳେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଡ୍ର ରଖିଥିଲା। ତେବେ ଶେଷ ଲିଗ୍ ମ୍ୟାଚ୍‌ରେ ୱେଲ୍ସକୁ ୪-୨ରେ ହରାଇ ଦ୍ୱିତୀୟ ସ୍ଥାନ ପାଇବା ଯୋଗୁଁ ସିଧାସଳଖ କ୍ୱାର୍ଟର
ଫାଇନାଲରେ ପ୍ରବେଶ କରି ପାରିଲା ନାହିଁ।

ସେହିପରି ନ୍ୟୁଜିଲାଣ୍ଡ ଗ୍ରୁପ୍‌ ପର୍ଯ୍ୟାୟର ମୁକାବିଲାରେ ହଲାଣ୍ଡ ଓ ମାଲେସିଆ ଠାରୁ ହାରି ଥିବାବେଳେ ତୃତୀୟ ମ୍ୟାଚ୍‌ରେ ଚିଲିକୁ ୩-୧ରେ ପରାସ୍ତ କରିଥିଲା। ତଥାପି ଭାରତ ବିପକ୍ଷ କ୍ରସ୍ ଓଭର ମ୍ୟାଚ୍ ଜିତିବା ପାଇଁ ଦୃଢ଼ ବିଶ୍ୱାସ ରଖିଛି। ତେବେ ପୂର୍ବ ରେକର୍ଡ ଅନୁଧ୍ୟାନ କଲେ ଜଣାଯାଏ ଯେ, ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଭାରତର ରେକର୍ଡ ଭଲ ରହିଛି। ଉଭୟ ଦଳ ମଧ୍ୟରେ ପୂର୍ବରୁ ୪୪ଥର ଅନୁଷ୍ଠିତ ମ୍ୟାଚ୍‌ରୁ ଭାରତ ୨୪ ଓ ନ୍ୟୁଜିଲାଣ୍ଡ ୧୫ ମ୍ୟାଚ୍‌ରେ ବିଜୟୀ ହୋଇଥିବାବେଳେ ଅବଶିଷ୍ଟ ମ୍ୟାଚ୍ ଟାଏ ରହିଥିଲା। ବିଶ୍ୱକପ୍‌ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଦୁଇ ମ୍ୟାଚ୍‌ରେ ପରାସ୍ତ କରିଥିଲା ଭାରତ।

ତେଣୁ ପୂର୍ବ ସଫଳତାକୁ ଆୟୁଧ କରି ଭାରତ ବିଶ୍ୱକପ୍ କ୍ରସ୍ ଓଭର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ପାରିବ ବୋଲି ଅନୁମାନ। ତେବେ ଭାରତ ପାଇଁ ବଡ ସମସ୍ୟା ହେଲା ଯେ, ଦଳର ଅନ୍ୟତମ ପ୍ରମୁଖ ଖେଳାଳି ମିଡ୍‌ ପିଲ୍ଡର ହାର୍ଦ୍ଦିକ ସିଂ ଆହତ କାରଣରୁନ୍ୟୁଜିଲାଣ୍ଡ ବିପକ୍ଷ କ୍ରସ୍ ଓଭର ମ୍ୟାଚ୍ ଖେଳି ପାରିବେ ନାହିଁ। ତାଙ୍କ ସ୍ଥାନରେ ରାଜକୁମାର ପାଲ୍ ଖେଳିବା ପାଇଁ ସ୍ଥିର ହୋଇଛି। ନ୍ୟୁଜିଲାଣ୍ଡ ଦଳ କୋଚ୍ କ୍ରେଗ୍ ନିକୋଲ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡିୟମ୍‌ରେ ପୂର୍ବରୁ ଆମର ଖେଳିବା ଅଭିଜ୍ଞତା ରହିଛି। ସେହିପରି ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଆମେ ଅଧିକ ପସନ୍ଦ କରୁ। ଅବଶ୍ୟ ସ୍ଥାନୀୟ ଦର୍ଶକ ଭାରତୀୟ ଦଳ ପାଇଁ ୧୨ତମ ଖେଳାଳି ଭାବେ ସାବ୍ୟସ୍ତ ହୋଇଥାନ୍ତି। କାରଣ ଦର୍ଶକଙ୍କ ବିପୁଳ ସମର୍ଥନ ଭାରତୀୟ ଦଳ ପାଇଁ ବଡ ଶକ୍ତି । ତଥାପି ଆମେ ଦୃଢ଼ ମନୋବଳ ନେଇ ଭାରତ ବିରୁଦ୍ଧରେ ଲଢ଼ିବା ପାଇଁ ଜୋରଦାର ମାନସିକ ପ୍ରସ୍ତୁତି ଚଳାଇଛୁ।

Get real time updates directly on you device, subscribe now.