fbpx

Hockey World Cup ଉଦଘାଟନୀ ଉତ୍ସବ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଟିକେଟ ବିକ୍ରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ପୁରୁଷ ହକି ବିଶ୍ୱକପ ୨୦୨୩ର ଆୟୋଜନ କରୁଛି ଓଡ଼ିଶା । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ଏହି ଅବସରରେ ରାଜ୍ୟକୁ ଦେଶ ବିଦେଶରୁ ବହୁ ଅତିଥି ତଥା କ୍ରିଡ଼ାପ୍ରେମୀଙ୍କ ସୁଅ ଛୁଟିବ । ତେଣୁ ସହରଗୁଡ଼ିକର ଆକର୍ଷଣ, ସୁନ୍ଦରତା ତଥା ପରିଷ୍କାର ପରିଚ୍ଛନତାରେ ଯେପରି କୌଣସି ତ୍ରୁଟି ନରୁହେ, ସେଥିପ୍ରତି ପ୍ରଶାସନ ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯାଉଛି ।

ତେବେ ଆସନ୍ତା ମାସ ୧୧ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ଆସନ୍ତା କାଲି ଦିନ ୧୨ଟାରୁ ଉଦଘାଟନୀ ଉତ୍ସବର ଟିକେଟ ଅନଲାଇନରେ ମିଳିବ । ଦର୍ଶକମାନେ କେବଳ ଅନଲାଇନ୍ ମାଧ୍ୟମରେ ଟିକେଟ ବୁକିଂ କରିପାରିବେ । ଏହା ପୂର୍ବରୁ ଗତ ୧୯ ତାରିଖରୁ ହକି ବିଶ୍ୱକପର ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୬ ନମ୍ବର ଗେଟରେ ଏହି ଟିକେଟ ଉପଲବ୍ଧ ହୋଇଥିଲା । ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ ଉପଲବ୍ଧ ରହିଥିଲା । ଚଳିତ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ମୋଟ ୪୪ଟି ମ୍ୟାଚ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ୧୫ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ବେଳେ ସେଠାରେ ୨୪ଟି ମ୍ୟାଚ ଖେଳାଯିବ । ଅନ୍ୟପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ବେଳେ ସେଠାରେ ୨୦ଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.