fbpx

Hockey World Cup: ୧୯୭୧ରୁ ୨୦୧୮ ମଧ୍ୟରେ କେଉଁ ବର୍ଷ କେଉଁ ଦେଶ ହୋଇଥିଲା ବିଶ୍ୱ ଚାମ୍ପିୟନ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ପୁରୁଷ ହକି ବିଶ୍ୱକପ ପାଇଁ ଓଡ଼ିଶା ପ୍ରସ୍ତୁତ ହୋଇ ରହିଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଚଳିତ ଥର ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବ । ସେଥିପାଇଁ ଏହି ଦୁଇ ସହରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ବିଶ୍ୱକପର ୧୫ତମ ସଂସ୍କରଣର ସମସ୍ତ ମ୍ୟାଚ ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ତେବେ ଶେଷଥର ପାଇଁ ଭାରତ ଗତ ୧୯୭୫ରେ ବିଶ୍ୱ ଚାମ୍ପିୟନ ହୋଇଥିଲା । କେଉଁ ବର୍ଷ କେଉଁ ଦେଶ ଏହି ମୁକୁଟ ପିନ୍ଧିଥିଲା ତାହା ଜାଣିବା ନିହାତି ଆବଶ୍ୟକ ।

୧୯୭୧: ଏହି ବର୍ଷ ପ୍ରଥମ ଥର ପାଇଁ ହକି ବିଶ୍ୱକପର ଆୟୋଜନ କରାଯାଇଥିବା ବେଳେ ଏଥିରେ ପାକିସ୍ତାନ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା । ପାକିସ୍ତାନ ପ୍ରତିପକ୍ଷ ସ୍ପେନକୁ ୧-୦ ଗୋଲରେ ପରାସ୍ତ କରିଥିଲା ।

୧୯୭୩: ଏହି ବର୍ଷ ନେଦରଲ୍ୟାଣ୍ଡ ବିଶ୍ୱ ଚାମ୍ପିୟନ ହୋଇଥିଲା । ଫାଇନାଲରେ ଭାରତ ପହଞ୍ଚି ସ୍କୋର ୨-୨ରେ କରିବାରେ ସକ୍ଷମ ହୋଇଥିଲା । ମାତ୍ର ପେନାଲ୍ଟି ଶୁଟ ଆଉଟରେ ଭାରତ ୪-୨ରେ ପଛରେ ରହି ଯାଇଥିଲା ।

୧୯୭୫: ଦୁଇବର୍ଷ ପରେ ପୁଣି ଥରେ ଭାରତ ପ୍ରତ୍ୟାବର୍ତ୍ତନ କରି ବିଶ୍ୱ ଟାଇଟଲ ହାତେଇଥିଲା । ପ୍ରତିପକ୍ଷ ପାକିସ୍ତାନକୁ ୨-୧ରେ ହରାଇ ଭାରତ ଇତିହାସ ରଚିଥିଲା ।

୧୯୭୮: ଏହି ବର୍ଷ ପାକିସ୍ତାନ ନେଦରଲ୍ୟାଣ୍ଡକୁ ୩-୨ରେ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା ।

୧୯୮୨: ଏହି ବର୍ଷ ଭାରତ ବିଶ୍ୱକପର ଆୟୋଜନ କରୁଥିଲେ ହେଁ ସେମିଫାଇନାଲରେ ପହଞ୍ଚି ପାରିନଥିଲା । ଫାଇନାଲରେ ପଶ୍ଚିମ ଜର୍ମାନୀକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା ।

୧୯୮୬: ଏହି ବର୍ଷ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୨-୧ରେ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ।

୧୯୯୦: ଏହି ବର୍ଷ ନେଦରଲ୍ୟାଣ୍ଡ ପାକିସ୍ତାନକୁ ୩-୧ରେ ହରାଇ ଚାମ୍ପିୟନ ହୋଇଥିଲା ।

୧୯୯୪: ଏହି ବର୍ଷ ପାକିସ୍ତାନ-ନେଦରଲ୍ୟାଣ୍ଡ ଫାଇନାଲ ସ୍କୋର ବରାବର ହୋଇଥିଲା । ଫଳରେ ପେନାଲ୍ଟି ଶୁଟ୍ ଆଉଟରେ ପାକିସ୍ତାନ ୪-୩ରେ ବିଜୟୀ ହୋଇଥିଲା ।

୧୯୯୮: ଏହି ବର୍ଷ ନେଦରଲ୍ୟାଣ୍ଡ ୩-୨ରେ ସ୍ପେନକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା ।

୨୦୦୨: ଏହି ବର୍ଷ ଫାଇନାଲରେ ଜର୍ମାନୀ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା ।

୨୦୦୬: ଏହି ବର୍ଷ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜର୍ମାନୀ ବିଶ୍ୱ ଚାମ୍ପିୟନ ହୋଇଥିଲା । ଜର୍ମାନୀ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ପରାସ୍ତ କରିଥିଲା ।

୨୦୧୦: ଏହିବର୍ଷ ନୂଆଦିଲ୍ଲୀ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲା । ଫାଇନାଲରେ ଜର୍ମାନୀକୁ ୨-୧ରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା ।

୨୦୧୪: ଏହି ବର୍ଷ ନେଦରଲ୍ୟାଣ୍ଡକୁ ୬-୧ରେ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଥିଲା ଅଷ୍ଟ୍ରେଲିଆ ।

୨୦୧୮: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ଲଢ଼େଇ ବେଲଜିୟମ-ନେଦରଲ୍ୟାଣ୍ଡ ମଧ୍ୟରେ ହୋଇଥିଲା । ତେବେ ନିର୍ଦ୍ଧାରିତ ସମୟରେ ସ୍କୋର ୦-୦ରେ ରହିଥିଲା । ଫଳରେ ପେନାଲ୍ଟି ଶୁଟ ଆଉଟରେ ବେଲଜିୟମ ୩-୨ରେ ଜିତି ଚାମ୍ପିୟନ ହୋଇଥିଲା ।

Get real time updates directly on you device, subscribe now.