fbpx

ଭୟାନକ ସଡ଼କ ଦୁର୍ଘଟଣା: ନିଆଁରେ ଜଳିଗଲେ ୭ରୁ ଅଧିକ ଯାତ୍ରୀ, ଟ୍ରକକୁ ପଛରୁ ପିଟିଲା କାର୍

ଜୟପୁର: ରାଜସ୍ଥାନର ସିକର ଜିଲ୍ଲାରେ ଘଟିଯାଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଜୟପୁର-ବିକାନେର ଜାତୀୟ ରାଜପଥରେ ଏକ କାର ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଫଳରେ ଉଭୟ ଟ୍ରକ ଏବଂ କାରରେ ଭୀଷଣ ନିଆଁ ଲାଗିଥିବା ଦେଖାଯାଇଛି । ଏହି ଅଗ୍ନିକାଣ୍ଡରେ ଉଭୟ ଗାଡ଼ି ସହ ସେଥିରେ ଥିବା ପ୍ରାୟ ୭ ଜଣ ଯାତ୍ରୀ ଜଳି ପୋଡ଼ି ଯାଇଥିବା ଜଣାଯାଇଛି । ତେବେ ରାଜପଥ ଉପରେ ଏପରି ଏକ ଦୁର୍ଘଟଣା ପରେ ପୋଲିସ ପ୍ରଶାସନରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ କାରରେ ଥିବା ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ସୂଚନା ମିଳିଛି ।

ପୋଲିସର ରିପୋର୍ଟ ଅନୁସାରେ, ସିକରର ଫତେପୁର କୋତୱାଲି ଇଲାକାରେ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି । ଫତେପୁର ବାଇପାସ୍ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରକ ଭିତରେ ପଶିଯାଇଛି । ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଏକ ଭୟାନକ ବ୍ଲାଷ୍ଟ ହୋଇଥିଲା । ଫଳରେ ଉଭୟ ଗାଡ଼ିରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ନିଆଁର ଭୟାବହତା ଖୁବ ଅଦିକ ଥିବାରୁ ଏଠାରେ ଉପସ୍ଥିତ ଲୋକ କିଛି କରିବାକୁ ସାହସ କରିପାରି ନାହାନ୍ତି । ତେବେ ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ପୋଲିସ ମଧ୍ୟ ଉପସ୍ଥିତ ଲୋକଙ୍କୁ ଦୁର୍ଘଟଣାସ୍ଥଳରୁ ହଟାଇ ସ୍ଥିତି ଉପରେ ନିୟନ୍ତ୍ରଣ କରିଛି ।

ପୋଲିସ ଏବଂ ଦମକଳ ବାହିନୀ ତରଫରୁ କଠିନ ପରିଶ୍ରମ ଏବଂ ଖୁବ ପ୍ରାୟସ ପରେ ମଧ୍ୟ ଯାତ୍ରୀମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରିନାହିଁ । ଉଭୟ ଗାଡ଼ିରେ ଥିବା ୭ ଜଣ ଯାତ୍ରୀ ଭୟଙ୍କର ନିଆଁରୁ ନିଜକୁ ରକ୍ଷା କରିପାରି ନାହାନ୍ତି । ତେବେ ଦୁର୍ଘଟଣା ହୋଇଥିବା କାରଟି ଉତ୍ତରପ୍ରଦେଶର ବୋଲି ଜାଣିବାକୁ ମିଳିଛି । ଏହି ମାମଲାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

Get real time updates directly on you device, subscribe now.