ଗୃହିଣୀ ବି କିଛି କମ୍ ନୁହଁନ୍ତି… ୬ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ‘ସୁପ୍ରିମ ଘୋଷଣା’

ନୂଆଦିଲ୍ଲୀ: ଏକ ଦୁର୍ଘଟଣା ମାମଲାକୁ ନେଇ ବଡ଼ ଘୋଷଣା ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଚାକିରି କରୁଥିବା ମହିଳାଙ୍କ ଠାରୁ ଗୃହିଣୀ ମହିଳା କିଛି କମ୍ ନୁହେଁ । ଗୋଟି ପରିବାର ପାଇଁ ଗୃହିଣୀ ମହିଳା ମଧ୍ୟ ଖୁବ ମହତ୍ତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଗୃହିଣୀଙ୍କ କାର୍ଯ୍ୟ ଅମୂଲ୍ୟ, ଘର-ପରିବାର ଖୋଶୁଣା କରିବାରେ ମହିଳାଙ୍କ ମୂଲ୍ୟ ଖୁବ ଉଚ୍ଚକୋଟୀର ଏବଂ ସେମାନଙ୍କର ଯୋଗଦାନ ମଧ୍ୟ ଖୁବ ଅଧିକ ରହିଥାଏ । ତେଣୁ ଏହି ଦୁର୍ଘଟଣା ମାମଲାରେ ପ୍ରାଣ ହରାଇଥିବା ଗୃହିଣୀଙ୍କ ପରିବାର ପାଇଁ ସହାୟତା ରାଶି ବୃଦ୍ଧି କରାଇଛନ୍ତି ସୁପ୍ରିମ ଅଦାଲତ । ବର୍ତ୍ତମାନ ଏହି ରାଶିକୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ କେ.ଭି. ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଦୁର୍ଘଟଣା ମାମଲାକୁ ନେଇ କହିଛନ୍ତି ଯେ, ଜଣେ ଗୃହିଣୀଙ୍କ ମୃତ୍ୟୁ ପାଇଁ ଦୁର୍ଘଟଣା ରାଶି ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ୨୦୦୬ ମସିହାରେ ଏକ ଦୁର୍ଘଟଣାରେ ଜଣେ ଗୃହିଣୀଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସେହି ମାମଲାର ଶୁଣାଣି କରି ମୃତକଙ୍କ ପରିବାରକୁ ୬ ସପ୍ତାହ ମଧ୍ୟରେ ୬ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏ ନେଇ ଖଣ୍ଡପୀଠ କହିଛନ୍ତି ଯେ, ମୃତ ମହିଳା ଜଣକ ଯାତ୍ରା କରୁଥିବା ଗାଡ଼ିର ବୀମା ନଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାୟିତ୍ୱ ମଧ୍ୟ ଗାଡ଼ି ମାଲିକଙ୍କ ଉପରେ ରହିବ ।

ତେବେ ଏକ ମୋଟର ଦୁର୍ଘଟଣା ଟ୍ରିବ୍ୟୁନାଲ ମହିଳାଙ୍କ ପରିବାର, ସ୍ୱାମୀ ଏବଂ ନାବାଳକ ପୁଅକୁ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆଦେଶ ଦେଇଥିଲେ । ଏହାପରେ ଅଧିକ କ୍ଷତିପୂରଣ ପାଇଁ ପରିବାର ଉତ୍ତରାଖଣ୍ଡ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ୨୦୧୭ ରେ ମହିଳା ଜଣକ ଗୃହିଣୀ ହୋଇଥିବାରୁ ସେମାନଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା । ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ଶୁଣାଣିରେ ପତିବର୍ତ୍ତନ କରିବା ସହ ଗୃହିଣୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ପରିବାରକୁ କ୍ଷତିପୂରଣ ରାଶି ବାବଦକୁ ୬ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।