ମେଟାର ଗୋଟେ ଆଲର୍ଟ ବଞ୍ଚାଇଦେଲା ଜୀବନ, ଆତ୍ମହତ୍ୟା କରୁଥିବା ଝିଅ ପାଖରେ ୫ ମିନିଟରେ ପହଞ୍ଚିଲା ପୋଲିସ
କିପରି ଝିଅର ଜୀବନ ବଞ୍ଚାଇଲା ମେଟା?
ଉତ୍ତରପ୍ରଦେଶ: ମେଟାର ଗୋଟେ ଆଲର୍ଟ ଜଣେ ଯୁବତୀଙ୍କ ଜୀବନ ବଞ୍ଚାଇଦେଲା। ଆତ୍ମହତ୍ୟା କରିବାକୁ ବସିଥିବା ଝିଅ ପାଖରେ ୫ ମିନିଟରେ ପହଞ୍ଚିଗଲା ପୋଲିସ ଆଉ ବଞ୍ଚିଗଲା ଯୁବତୀଙ୍କ ଜୀବନ।
ପ୍ରକୃତରେ ଅଗଷ୍ଟ ୧୨ ତାରିଖରେ ଉତ୍ତର ପ୍ରଦେଶର ଗୋରଖପୁରର ଗୋରଖନାଥ ପୋଲିସ ଷ୍ଟେସନରେ ଏକ ଖବର ପହଞ୍ଚିଥିଲା। କସମେଟିକ୍ ଦୋକାନରେ କାମ କରୁଥିବା ଜଣେ ୩୫ ବର୍ଷୀୟ ମହିଳା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ବୋଲି।
ମହିଳା ଜଣକ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ସିଲିଂ ଫ୍ୟାନ୍ ରୁ ତାଙ୍କ ଦୁପଟା ସାହାଯ୍ୟରେ ବେକରେ ଲଗାଇ ଆତ୍ୟହତ୍ୟା କରିବାକୁ ଚେଷ୍ଟା କରିଥିଲେ।
ଏହାପରେ ପୋଲିସକୁ ଇ-ମେଲ୍ ମାଧ୍ୟମରେ ଏକ ଆଲର୍ଟ ମିଳିଥିଲା। ଯାହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଳ୍ପକେ ଝିଅଟିର ଜୀବନ ବଞ୍ଚାଇଦେଇଥିଲେ।
ମେଟା କିପରି ସତର୍କତା ପଠାଇଲା: ଝିଅଟି ଅଗଷ୍ଟ ୧୨ ତାରିଖରେ ରାତି ପ୍ରାୟ ୮:୪୨ ମିନିଟ୍ ସମୟରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବା ପରେ, ପୋଲିସ ମହାନିର୍ଦ୍ଦେଶକଙ୍କ ମୁଖ୍ୟାଳୟରେ ଥିବା ସୋସିଆଲ ମିଡିଆ ସେଣ୍ଟରରେ ଇ-ମେଲ୍ ମାଧ୍ୟମରେ ମେଟା କମ୍ପାନୀ ପକ୍ଷରୁ ଏକ ଆଲର୍ଟ ଆସିଥିଲା।
ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏହା ବିଷୟରେ ଅବଗତ କରାଯାଇଥିଲା। ଉତ୍ତର ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ରାଜୀବ କୃଷ୍ଣ ଉକ୍ତ ଆଲର୍ଟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ମେଟା କମ୍ପାନୀ ଦ୍ୱାରା ପଠାଯାଇଥିବା ସତର୍କତାକୁ ନଜରରେ ରଖି, ମୁଖ୍ୟାଳୟର ସୋସିଆଲ ମିଡିଆ ସେଣ୍ଟର ତୁରନ୍ତ ପ୍ରାପ୍ତ ସତର୍କତାରେ ଦିଆଯାଇଥିବା ମୋବାଇଲ୍ ନମ୍ବର ଆଧାରରେ ଝିଅଟିର ଲୋକେସନ୍ ଜାଣିବାକୁ ଚେଷ୍ଟା କରିଥିଲେ। ଏହାପରେ ଗୋରଖପୁରକୁ ଏ ବିଷୟରେ ଅବଗତ କରାଯାଇଥିଲା।
ଝିଅଟିର ଜୀବନ କିପରି ବଞ୍ଚିଲା: ମୁଖ୍ୟାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଏବଂ ସ୍ଥାନ ଉପରେ ଗୋରଖନାଥ ଥାନାର ଭାରପ୍ରାପ୍ତ ପୋଲିସ ଷ୍ଟେସନ୍ ଇନଚାର୍ଡ ମହିଳା ସବ୍-ଇନ୍ସପେକ୍ଟର ଏବଂ ପୋଲିସ କର୍ମଚାରୀଙ୍କ ସହିତ ମାତ୍ର ୫ ମିନିଟ୍ ମଧ୍ୟରେ ଝିଅଟିର ଘରେ ପହଞ୍ଚିଥିଲେ।
ଏହାପରେ ତୁରନ୍ତ ପରିବାର ସଦସ୍ୟଙ୍କ ସହିତ ଝିଅଟିର ରୁମରେ ପହଞ୍ଚିଥିଲେ ଯେଉଁଠାରେ ଝିଅଟି ଫାଶି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା।
ଝିଅଟି ଜୋରେ ନିଶ୍ୱାସ ନେଉଥିଲା ଏବଂ ଅତ୍ୟନ୍ତ ମାନସିକ ଅବସାଦରେ ଥିଲା। ପରିବାର ସଦସ୍ୟଙ୍କ ସହାୟତାରେ ପୋଲିସ କର୍ମଚାରୀମାନେ ଝିଅଟିକୁ ଘରେ ପ୍ରାଥମିକ ଚିକିତ୍ସା ଦେଇଥିଲେ।
କାହିଁକି ଆତ୍ମହତ୍ୟା: ଯେତେବେଳେ ଝିଅଟି ସ୍ୱାଭାବିକ ହେଲା, ପୋଲିସ ତାକୁ ପଚାରିବାରୁ ସେ କହିଲା ଯେ, ତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନାହିଁ ଯାହା ଯୋଗୁଁ ସେ ମାନସିକ ଚାପରେ ଥିଲା।
ଏହି କାରଣରୁ ଡିପ୍ରେସନ ପାଇଁ ଝିଅଟି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନେଇଥିଲା। ସ୍ଥାନୀୟ ପୋଲିସ ସମୟ ଥାଉ ଥାଉ ପହଞ୍ଚି ଝିଅଟିକୁ ଆତ୍ମହତ୍ୟା କରିବାରୁ ରୋକିଥିଲା ଏବଂ କାଉନସେଲିଂ କରାଯାଇଥିଲା, ଯାହା ଉପରେ ଝିଅଟି ଭବିଷ୍ୟତରେ ଏପରି ଭୁଲ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲା।
ସ୍ଥାନୀୟ ପୋଲିସ ଷ୍ଟେସନର ପୋଲିସ କର୍ମଚାରୀଙ୍କ ତତ୍ପରତା ଏବଂ ସହଯୋଗ ପାଇଁ ଯୁବତୀଙ୍କ ପରିବାର ୟୁପି ପୋଲିସକୁ ଧନ୍ୟବାଦ ଜଣାଇଥିଲେ।
ୟୁପି ପୋଲିସ ଏବଂ ମେଟା ମଧ୍ୟରେ ଚୁକ୍ତିନାମା: ୨୦୨୨ ମସିହାରୁ କାର୍ଯ୍ୟକାରୀ ହେଉଥିବା ଉତ୍ତର ପ୍ରଦେଶ ପୋଲିସ ଏବଂ ମେଟା କମ୍ପାନୀ ମଧ୍ୟରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଆତ୍ମହତ୍ୟା କରିବା ବିଷୟରେ ପୋଷ୍ଟ କରନ୍ତି, ତେବେ ମେଟା କମ୍ପାନୀ ଦ୍ୱାରା ଉତ୍ତର ପ୍ରଦେଶ ପୋଲିସକୁ ଇ-ମେଲ୍ ଏବଂ ଫୋନ୍ ମାଧ୍ୟମରେ ଏପରି ପୋଷ୍ଟ ବିଷୟରେ ଏକ ଆଲର୍ଟ ପଠାଇ ସୂଚିତ କରାଯାଏ।
୦୧-୦୧-୨୦୨୩ ରୁ ୧୨-୦୮-୨୦୨୫ ମଧ୍ୟରେ ଆତ୍ମହତ୍ୟା ସମ୍ବନ୍ଧୀୟ ପୋଷ୍ଟରେ ମିଳିଥିବା ଆଲର୍ଟକୁ ବିଚାରକୁ ନେଇ ଉତ୍ତର ପ୍ରଦେଶ ପୋଲିସ ମୋଟ ୧୨୫୭ ଜଣଙ୍କ ଜୀବନ ବଞ୍ଚାଇଛି।