fbpx

ପିଲାଙ୍କୁ Sex Education ଦେବା ମୁସ୍କିଲ ହେଲେ ବି ଜରୁରୀ, ଜାଣି ନିଅନ୍ତୁ କେଉଁ ବୟସରେ କ’ଣ ଶିଖାଇବେ

ମୁମ୍ବାଇ: ଆଜିକାଲି ଛୋଟ ପିଲାମାନେ ବି ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଯଦି ଛୋଟ ବୟସରୁ ପିଲାମାନଙ୍କୁ ଏହି ବିଷୟରେ ଶିକ୍ଷା ଦିଆଯିବ ତେବେ ସେମାନଙ୍କୁ ଏପରି ନିର୍ଯ୍ୟାତନାରୁ ବହୁ ମାତ୍ରାରେ ରକ୍ଷା କରାଯାଇପାରିବ । ଏହି କାମ ମୁସ୍କିଲ ହେଲେ ବି ଜରୁରୀ । ବହୁ ସମୟରେ ପିଲା ଟିଭି କିମ୍ବା ମୋବାଇଲ୍ରେ ଏପରି କିଛି ଦେଖି ଦେଉଛନ୍ତି ଯାହା ତାଙ୍କ ବୁଝିବାର ଶକ୍ତି ବାହାରେ । ଏହି ବିଷୟରେ ସେମାନେ ଯେତେବେଳେ ବାପା ମା’ଙ୍କୁ ପଚାରୁଛନ୍ତି ସେତେବେଳେ ଗୋଳମାଳ ଜବାବ ମିଳୁଛି । ଏପରି ସ୍ଥିତିରେ ପିଲାର ଉତ୍ସୁକ ମନ ଭୁଲ୍ ମାଧ୍ୟମରେ ଏହାର ଅର୍ଥ ଖୋଜି ବାହାର କରିବାକୁ ଚେଷ୍ଟା କରିଥାଏ । ତେଣୁ ଆପଣ ଏ କ୍ଷେତ୍ରରେ ନିଜକୁ ପ୍ରସ୍ତୁତ କରି ପିଲା ସହ ସାବଧାନତାର ସହ କଥା ହେବା ଉଚିତ । କିଛି ବିଶେଷଜ୍ଞ କହନ୍ତି ପିଲାଙ୍କୁ ୨ ବର୍ଷରୁ ଏସବୁ ବିଷୟରେ ସମ୍ୟକ ସୂଚନା ଦେବା ଉଚିତ । ସଠିକ୍ ଶିକ୍ଷା ଦେଇ ଆପଣ ପିଲାକୁ ଭୁଲ୍ କରିବା ଓ ଯୌନ ନିର୍ଯ୍ୟାତନାରୁ ରକ୍ଷା କରିପାରିବେ ।

୨ରୁ ୫ ବର୍ଷ ମଧ୍ୟରେ ପିଲାଙ୍କୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଓ ଭୁଲ୍ ଠିକ୍ ବିଷୟରେ ଶିଖାନ୍ତୁ । ଯେପରିକି ପିଲାଙ୍କୁ କୁହନ୍ତୁ ଅଚିହ୍ନା ଲୋକଙ୍କ କୋଳରେ ନ ବସିବାକୁ । ନିଜ ଶରୀରକୁ କେଉଁ ଅଜଣା ବ୍ୟକ୍ତିଙ୍କୁ ଛୁଇଁବାକୁ ନ ଦେବା । ବିଶେଷ କରି ଅଣ୍ଟା ତଳକୁ କାହାକୁ ଛୁଇଁବାକୁ ଅନୁମତି ନ ଦେବା ଏହିପରି ବହୁ କଥା ଏହି ବୟସରେ ପିଲାକୁ ଶିଖାଇବା ଉଚିତ । ଏହା ବ୍ୟତିତ ଶରୀରର କେଉଁ କେଉଁ ଅଙ୍ଗ ପ୍ରତ୍ୟେଙ୍ଗ ସ୍ୱତନ୍ତ୍ର ହୋଇଥାଏ ଏବଂ ଏହାକୁ ସର୍ବଦା କଭର କରି ରଖିବା ଇତ୍ୟାଦି ବିଷୟରେ ମଧ୍ୟ ପିଲାକୁ ଶିଖାଇବା ଉଚିତ । ଏହା ସହିତ କେହି ଯଦି ତା ଦେହର ସ୍ୱତନ୍ତ୍ର ଅଙ୍ଗ ପ୍ରତ୍ୟେଙ୍କୁ ସ୍ପର୍ଶ କରୁଛି ତେବେ ତୁରନ୍ତ ଆପଣଙ୍କୁ କହିବାକୁ ପିଲାଙ୍କୁ ଶିଖାନ୍ତୁ ।

୫ ବର୍ଷରୁ ଅଧିକ ବୟସର ପିଲା ସ୍କୁଲ କିମ୍ବା ଘରେ ମୋବାଇଲ୍ ବ୍ୟବହାର କରିବା ଶିଖିଯାଆନ୍ତି । ତେଣୁ ପିଲା ମୋବାଇଲରେ କଣ ଦେଖୁଛି ତାହା ଉପରେ ଧ୍ୟାନ ରଖନ୍ତୁ । ସୋସିଆଲ ମିଡିଆରେ ତାକୁ ଆକାଉଣ୍ଟ ନ ଖୋଲିବାକୁ କୁହନ୍ତୁ । ଏହା ବ୍ୟତିତ କୌଣସି ଅଜଣା ବ୍ୟକ୍ତିଙ୍କ ସହ ଫଟୋ କିମ୍ବା ନିଜ ବିଷୟରେ କୌଣସି ତଥ୍ୟ ସେୟାର କରିବାକୁ ମନା କରନ୍ତୁ । ଏହି ବୟସରେ ଆପଣ ପିଲାକୁ ଯୌନ ଶୋଷଣ ବିଷୟରେ ସତର୍କତାର ସହ ବୁଝାଇପାରିବେ । ତେବେ ପିଲା ଯେପରି ଭୟଭୀତ ନ ହେବ ସେଥିପ୍ରତି ଦୃଷ୍ଟି ଦେବେ । ସବୁ ପରିସ୍ଥିତିରେ ଆପଣ ତା ସହିତ ଅଛନ୍ତି ବୋଲି ତାକୁ ବୁଝାଇବେ ।

୧୦ ବର୍ଷରୁ ଅଧିକ ବୟସର ପିଲା ନିକଟରେ ଆପଣ ସମ୍ବାଦପତ୍ରରେ ବାହାରୁଥିବା ବିଭିନ୍ନ ସେକ୍ସ ତଥା କ୍ରାଇମ୍ ଖବର ଦେଖାଇ ଆଲୋଚନା କରିପାରିବେ । ଯାହା ଫଳରେ ପିଲା ସତର୍କ ହୋଇଯିବ । ଅନ୍ୟପକ୍ଷରେ ୧୩ରୁ ୧୯ ବର୍ଷ ପିଲା ସହିତ ଗର୍ଭଧାରଣ, ପିରିଅଡସ୍, ଯୌନ ରୋଗ, ପ୍ରେମ ଓ ବନ୍ଧୁତା ଆଦି ବିଷୟରେ ଭୁଲ୍ ଠିକ୍ କୁ ନେଇ ଆଲୋଚନା କରନ୍ତୁ ।

 

Get real time updates directly on you device, subscribe now.