ଷ୍ଟ୍ରୋକକୁ ଚିହ୍ନଟ କରିବାରେ କିପରି ସାହାଯ୍ୟ କରିଥାଏ FAST Formula

ଷ୍ଟ୍ରୋକକୁ ସାଇଲେଣ୍ଟ କିଲର ଭାବେ ବିବେଚିତ କରାଯାଇଛି । FAST Formulaରୁ ସହଜରେ ଲକ୍ଷଣକୁ ଚିହ୍ନଟ କରିପାରିବେ ।

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଚିନ୍ତାଗ୍ରସ୍ତ ରହିବା ଏକ ସାଧାରଣ କଥା । ଏହା ଆମ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ ।
ପରବର୍ତ୍ତି ସମୟରେ ଏହା ଗମ୍ଭୀର ରୋଗ ଭାବରେ ଉଭା ହୋଇଥାଏ ।

ଏଥିମଧ୍ୟରୁ ଷ୍ଟ୍ରୋକ୍ ଅନ୍ୟତମ ଯାହାକୁ ସାଇଲେଣ୍ଟ କିଲର ଭାବେ ବିବେଚିତ କରାଯାଇଛି ।

ସଠିକ୍ ସମୟରେ ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନଟ କରି ଚିକିତ୍ସା କରାନଗଲେ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।

ଶୀତ ଦିନେ ବଢ଼ିଯାଏ ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଶୀତ ଋତୁରେ ତାପମାତ୍ରା ହ୍ରାସ ପାଇଥାଏ ଯଦ୍ୱାରା ରକ୍ତ ବାହିକା ସଂକୁଚିତ ହୋଇଯାଏ । ଏହା ରକ୍ତଚାପ ବୃଦ୍ଧିର କାରଣ ହୋଇପାରେ ।

ବିଶେଷକରି ଡାଇବେଟିସ୍‌, ଥାଇରଏଡ୍‌, ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ । ଏହା ଷ୍ଟ୍ରୋକର ଆଶଙ୍କା ବୃଦ୍ଧି କରିପାରେ ।

ଷ୍ଟ୍ରୋକ୍ କ’ଣ: ଷ୍ଟ୍ରୋକ୍ ଏପରି ଏକ ସ୍ଥିତି ଯେଉଁଥିରେ ମସ୍ତିଷ୍କର କିଛି ଅଂଶରେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ପ୍ରବାହ ହୋଇନଥାଏ ।

ଏଭଳି ସ୍ଥିତିରେ ମସ୍ତିଷ୍କର କୋଷଗୁଡ଼ିକରେ ଅମ୍ଳଜାନ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ ଯାହା ଷ୍ଟ୍ରୋକର ମୁଖ୍ୟ କାରଣ ।

ତେବେ ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନଟ କରିବା ପାଇଁ FAST Formula ରହିଛି ।

F (Face): ଚେହେରାରେ କୌଣସି ପ୍ରକାର ଅସମାନତା ବା ପରିବର୍ତ୍ତନ ଷ୍ଟ୍ରୋକର ଲକ୍ଷଣ ହୋଇପାରେ । ଏଥିରେ ଗୋଟିଏ ପଟେ ଚେହେରା ତଳକୁ ଖସିଲା ପରି ଦେଖାଯାଏ । ଏହା ମାଂଶପେଶୀକୁ ଦୁର୍ବଳ କରିଥାଏ । ଏଭଳି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ ।

A(Arms): ବାହୁରେ ଷ୍ଟ୍ରୋକର ଲକ୍ଷଣ ଦେଖାଗଲେ ଆପଣ ଗୋଟିଏ ବାହୁରେ ଦୁର୍ବଳତା ଅନୁଭବ କରିଥାନ୍ତି । ଦୁଇ ହାତ ଉପରକୁ ଉଠାଇଲେ ଗୋଟିଏ ବାହୁ ଅନ୍ୟ ବାହୁ ତୁଳନାରେ ଭାରି ଲାଗିଥାଏ ।

S(Speech): କଥା କହିବା ସମୟରେ ଅସୁବିଧା ହୋଇଥାଏ । ଅପଣ କୌଣସି ଶବ୍ଦ ସ୍ପଷ୍ଟ ଭାବରେ ଉଚ୍ଚାରଣ କରିପାରନ୍ତି ନାହିଁ ।

T(Time): ଉପରୋକ୍ତ ଲକ୍ଷଣ ଯେପରି ଚେହେରାରେ ପରିବର୍ତ୍ତନ, ବାହୁରେ ଦୁର୍ବଳତା ଏବଂ କଥା କହିବା ସମୟରେ ଅସୁବିଧା ଅନୁଭବ କରିବା ଷ୍ଟ୍ରୋକର ଲକ୍ଷଣ ଅଟେ । ତେଣୁ ସମୟ ବିଳମ୍ବ ନକରି ତୁରନ୍ତି ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ । ସତର୍କତା ଅବଲମ୍ବନ କରିପାରିଲେ ଷ୍ଟ୍ରୋକ୍ ଦ୍ୱାରା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇ ଦିଆଯାଇପାରେ ।