ନୂଆଦିଲ୍ଳୀ: ଅମ୍ଲଜାନ ଅଭାବରୁ ଦେଶରେ ଗୋଟିଏ ବି ମୃତ୍ୟୁ ହୋଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏହାକୁ ନେଇ ଦେଶବ୍ୟାପୀ ସମାଲୋଚନା କରାଯିବା ସହିତ ବିଭିନ୍ନ ସ୍ଥାନରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବା ନେଇ ରିପୋର୍ଟ ମାନ ସାମ୍ନାକୁ ଆସିଲା । ବିରୋଧୀଙ୍କ ଶାଣିତ ଆକ୍ରମଣ ପରେ ଶେଷରେ ମୋଦୀ ସରକାର ପଛକୁ ଫେରିଛନ୍ତି । କେଉଁ ରାଜ୍ୟରେ ଅମ୍ଲଜାନ ଅଭାବ କାରଣରୁ କେତେ ମୃତ୍ୟୁ ହୋଇଛି ତାହାର ହିସାବ ଦେବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା ଅଗଷ୍ଟ ୧୩ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ରିପୋର୍ଟ ପଠାଇବେ । ମୌସୁମୀ ଅଧିବେଶନ ଶେଷ ହେବା ପୂର୍ବରୁ ଏହି ରିପୋର୍ଟ ପ୍ରକାଶ କରାଯିବ ବୋଲି ଜଣା ପଡିଛି । ଉଲ୍ଲେଖଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହର ଏହାର ଶୀର୍ଷରେ ପହଞ୍ଚିବା ସମୟରେ ସମଗ୍ର ଦେଶରେ ଅମ୍ଲଜାନର ଘୋର ଅଭାବ ଦେଖା ଦେଇଥିଲା । ଅମ୍ଲଜାନ ଅଭାବରୁ ଗୋଆରେ ୮୦, ଆନ୍ଧ୍ର ପ୍ରଦେଶରେ ୧୮ , ଦିଲ୍ଲୀରେ ୨୧ଜଣଙ୍କ ମୃତ୍ୟୁର ରିପୋର୍ଟ ସାମ୍ନାକୁ ଆସିଥିଲା । ଏସମ୍ପର୍କରେ କୌଣସି ସରକାରୀ ରିପୋର୍ଟ ମିଳିନଥିବାରୁ ଅମ୍ଲଜାନ ଅଭାବ ଜନିତ ମୃତ୍ୟୁ ହୋଇନଥିବା ନେଇ ସଂସଦରେ ବିବୃତି ରଖାଯାଇଥିଲା ।