ମ୍ୟାଲେରିୟା ମଶାର ସନ୍ଧାନ କରିଥିବା ରୋନାଲ୍ଡ ରସଙ୍କୁ କେତେ ଜଣ ଜାଣିଛନ୍ତି? ଅଧ୍ୟୟନ କରୁ କରୁ ନିଜେ ହୋଇଯାଇଥିଲେ ଏହାର ଶିକାର

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ମଶା ଦିବସ । ମ୍ୟାଲେରିୟା ହେଉଛି ମୌସୁମୀର ସବୁଠୁ ବଡ଼ ସମସ୍ୟା ମଧ୍ୟରୁ ଗୋଟିଏ । ଏହା ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକ୍ରାନ୍ତ କରିବାରେ ସକ୍ଷମ । ଏହି ରୋଗ ଏବଂ ଏହାର ଲକ୍ଷଣ ସମ୍ପର୍କରେ ତ ଆପଣ ମାନେ କମ୍ ବେଶୀ ଜାଣିଥିବେ ନିଶ୍ଚୟ । ତେବେ ଆଜିର ଏହି ବିଶ୍ୱ ମଶା ଦିବସ ଅବସରରେ ଆମେ ଜାଣିବା ସବୁଠାରୁ ମାରାତ୍ମକ ମ୍ୟାଲେରିୟା ମଶାକୁ ଠାବ କରିଥିବା ଅନୁସନ୍ଧାନକାରୀଙ୍କ ସମ୍ପର୍କରେ ଜାଣିବା । ମ୍ୟାଲେରିୟା ମଶାକୁ ଠାବ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରୋନାଲ୍ଡ ରସ ବିଷୟରେ । କୁହାଯାଏ ଯେ, ଆଜିର ଦିନରେ ଅର୍ଥାତ୍ ଅଗଷ୍ଟ ୨୦ ତାରିଖରେ ସେ ମଶା ପେଟରେ ମ୍ୟାଲେରିୟା ପାରାସାଇଟ୍ ର ଉପସ୍ଥିତି ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହି ପ୍ରକ୍ରିୟା ସମୟରେ ସେ ନିଜେ ବି ଆକ୍ରାନ୍ତ ହୋଇଯାଇଥିଲେ ।

ରୋନାଲ୍ଡ ରସ୍ ମ୍ୟାଲେରିୟା କାରକ ଏନୋଫିଲିସ୍ ମଶାକୁ ଠାବ କରିଥିଲେ । ସେ ୧୮୫୭ ମେ ୧୩ ତାରିଖରେ ଉତ୍ତରାଖଣ୍ଡର ଅଲ୍ମୋଡ଼ା ଜିଲ୍ଲାର ଏକ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜର ସ୍କୁଲ ଶିକ୍ଷା ଇଂଲଣ୍ଡରେ ପୁରା କରିଥିଲେ ଏବଂ ପରେ ବାପାଙ୍କ କହିବାନୁସାରେ, ଲଣ୍ଡନର ସେଣ୍ଟ୍ ବର୍ଥଲୋମ୍ୟୁ ମେଡିକାଲ୍ ସ୍କୁଲ୍ ରେ ଆଡମିଶନ୍ କରିଥିଲେ । ୧୮୯୪ ମସିହାରେ ମ୍ୟାଲେରିୟା ଉପରେ ଅନୁସନ୍ଧାନ କରିବା ପାଇଁ ବମ୍ବେ ସିଭିଲ୍ ହସ୍ପିଟାଲକୁ ଗଲେ । ଏହି ରୋଗ ଉପରେ ଅଧ୍ୟୟନ କରିବା ଭିତରେ ଦୁଇ ବର୍ଷ ବିତିଯାଇଥିଲା ।

ଅଧ୍ୟୟନ ବେଳେ ସେ ନିଜେ ବେମାର ହୋଇସୁଦ୍ଧା ନିଜର ଅନୁସନ୍ଧାନ ଜାରୀ ରଖିଥିଲେ । ଏହି ସମୟରେ ସେ ମଶା ମାନଙ୍କ ପେଟରେ ଛୋଟ ଛୋଟ ଗୋଲ ଆକୃତିର ସିଷ୍ଟ ଭଳି ଦେଖିଥିଲେ । ଯାହାଳ ପେଟର କାନ୍ଥରେ ଲାଗିଥିଲେ । ଏହାପରେ ସେ ଜାଣିପାରିଥିଲେ ଯେ, ସେହି ଗୋଲ ଆକୃତିର କଣିକା ସବୁ ହିଁ ହେଉଛନ୍ତି ମ୍ୟାଲେରିୟା ପାରାସାଇଟ୍ । ଏହା ଏକ ବଡ଼ ସଫଳତା ଥିଲା ।