Champion NewZealand କେତେ ପାଇଲା ପୁରସ୍କାର? ଟି-୨୦ ବିଶ୍ୱକପରୁ ଭାରତକୁ ମିଳିଲା ଏତିକି ଟଙ୍କା

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ ପାଇଛି ଏକ ନୂଆ ଚମ୍ପିଆନ୍ । ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ମୁକୁଟ ପିନ୍ଧିଛି ନ୍ୟୁଜିଲାଣ୍ଡ । ଏହାସହିତ ଦୀର୍ଘ ବର୍ଷରୁ ବିଶ୍ୱକପରେ ଅଷ୍ଟ୍ରେଲିଆର ଦବଦବା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି କିୱି ଟିମ୍ । ସାଉଥ ଆଫ୍ରିକାକୁ ୩୨ ରନରେ ପରାସ୍ତ କରି ବିଶ୍ୱବିଜେତା ଭାବରେ ନ୍ୟୁଜିଲାଣ୍ଡ ଏକ ନୂଆ ପରିଚୟ ପାଇଛି । ଟି-୨୦ କ୍ରିକେଟରେ ବିଶ୍ୱବିଜୟୀ ହେବା ପରେ ନ୍ୟୁଜିଲାଣ୍ଡ ଦଳକୁ ଏକ ବଡ଼ ଆମାଉଣ୍ଟର ପୁରସ୍କାର ରାଶି ପ୍ରଦାନ କରିଛି ଆଇସିସି । ତେବେ ଆସନ୍ତୁ ଜାଣିବା ବିଶ୍ୱକପରେ କେଉଁ ଦଳକୁ କେତେ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଟି-୨୦ ବିଶ୍ୱକପରେ ଚମ୍ପିଆନ୍ ହୋଇଥିବା ନ୍ୟୁଜିଲାଣ୍ଡକୁ ଏକ ସୁନ୍ଦର ବିଶ୍ୱକପ ଟ୍ରଫି ପ୍ରଦାନ କରିବା ସହ ଆଇସିସି ବଡ଼ ଆମାଉଣ୍ଟର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିଛି । ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଦଳ ଭାବରେ ପରିଚୟ ପାଇବା ପରେ ନ୍ୟୁଜିଲାଣ୍ଡ ବିଶ୍ୱକପ ପ୍ରାଇଜ ମନ୍ ମଧ୍ୟ ହାସଲ କରିଛି । ବିଶ୍ୱବିଜେତା ଇଂଲଣ୍ଡକୁ ପୁରସ୍କାର ଭାବରେ ୨.୩୪ ମିଲିୟନ୍ ଡଲାର ବା ୧୯.୬୭ କୋଟି ଟଙ୍କା ପ୍ରାଇଜ ମନି ଆକାରରେ ପ୍ରଦାନ କରାଯାଇଛି । ଟି-୨୦ ବିଶ୍ୱକପ ଇତିହାସରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଥର ପାଇଁ ଏହି ଆମାଉଣ୍ଟ ପ୍ରଦାନ କରାଯାଇଛି । ଏହାବ୍ୟତୀତ ଗ୍ରୁପ ଷ୍ଟେଜର ପ୍ରତ୍ୟେକ ମ୍ୟାଚରେ ବିଜୟୀ ହୋଇଥିବା ଦଳକୁ ୨୬.୧୯ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ନ୍ୟୁଜିଲାଣ୍ଡ ଗ୍ରୁପ୍ ଷ୍ଟେଜରେ ୩ଟି ମ୍ୟାଚ୍ ବିଜୟୀ ହୋଇଥିବା ବେଳେ ଦଳକୁ ୭୮ ଲକ୍ଷ ଟଙ୍କା ରାଶି ମିଳିଛି । ତେବେ ଉଭୟ ରାଶି ସହ ନ୍ୟୁଜିଲାଣ୍ଡକୁ ବିଶ୍ୱକପ ପାଇଁ ପ୍ରାୟ ୨୦.୪୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।

ଏହାପରେ ବିଶ୍ୱକପରେ ରନର୍ସ-ଅପ୍ ରହିଥିବା ଦକ୍ଷିଣ ଆଫ୍ରିକାକୁ ମଧ୍ୟ ବଡ଼ ଆମାଉଣ୍ଟ ପ୍ରଦାନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିବାରୁ ଦଳକୁ ୧.୧୭ ମିଲିୟନ୍ ଡଲାର ବା ୯.୮୩ କୋଟି ଟଙ୍କା ପୁରସ୍କାର ମିଳିଛି । ସେହିପରି ଗ୍ରୁପ୍ ଷ୍ଟେଜରେ ୩ଟି ମ୍ୟାଚ୍ ବିଜୟୀ ହେବା ପରେ ଦଳକୁ ୭୮ ଲକ୍ଷ ଟଙ୍କା ପ୍ରଦାନ କରିଛି ଆଇସିସି । ତେବେ ବିଶ୍ୱକପରୁ ଦକ୍ଷିଣ ଆଫ୍ରିକା ମୋଟ ୧୦.୬୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରାପ୍ତ କରିଛି ।

ସେପଟେ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ନିରାଶ ଜନକ ପ୍ରଦର୍ଶନ କରିଥିଲା । ଫଳରେ ସେମି ଫାଇନାଲରେ ପ୍ରବେଶ କରିବାରେ ମଧ୍ୟ ସଫଳ ହୋଇ ପାରି ନଥିଲା ଟିମ ଇଣ୍ଡିଆ । ତେବେ ଗ୍ରୁପ ଷ୍ଟେଜରୁ ବାଦ୍ ପଡ଼ିବା ପରେ ଟିମ ଇଣ୍ଡିଆର ପ୍ରାଇଜ ମନି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ ଷ୍ଟେଜରେ ଭାରତ ୩ଟି ମ୍ୟାଚରୁ ୨ଟି ମ୍ୟାଚରେ ବିଜୟ ହାସଲ କରିଥିଲା । ତେଣୁ ଉଭୟ ମ୍ୟାଚର ବିଜୟ ରାଶି ହିସାବରେ ଭାରତକୁ ମାତ୍ର ୫୨ ଲକ୍ଷ ଟଙ୍କା ସହ ସ୍ୱଦେଶ ଫେରିବାକୁ ପଡ଼ିଛି । ଗ୍ରୁପ ଷ୍ଟେଜରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିବା ବେଳେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଉପରେ ଭାରତ ବିଜୟ ହାସଲ କରିଥିଲା ।

Get real time updates directly on you device, subscribe now.