ନୂଆଦିଲ୍ଲୀ: ଆଜି ନିଜର ୭୩ତମ ଜନ୍ମଦିବସ ପାଳନ କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟର ବଡ଼ନଗରରେ ଜନ୍ମଗ୍ରହଣ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ । ତେବେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପୂର୍ବରୁ ପ୍ରାୟ ୧୩ ବର୍ଷ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରେ ରହି ସାରିଛନ୍ତି । ଏହାପରେ ୨୦୧୪ ମସିହାରେ ସେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଛନ୍ତି । ତେବେ ଆଜି ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଆଉ କିଛି ତଥ୍ୟ ଆସନ୍ତୁ ଜାଣିବା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଦୁନିଆର ସବୁଠୁ ତୀବ୍ର ଗତିରେ ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା ହୋଇ ଠିଆ ହୋଇଛି । ତେବେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବରେ କେତେ ଟଙ୍କା ଦରମା ପାଆନ୍ତି ? ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି କେତେ ରହିଛି? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଦେଶବାସୀଙ୍କ ମନରେ ରହିଛି ।
ପ୍ରଧାନମନ୍ତ୍ରୀଙ୍କ ଦରମା କେତେ?
ଦେଶର ପ୍ରଧାନମନ୍ତ୍ରୀଙ୍କ ଦରମା ଏବଂ ତାଙ୍କ ନିକଟରେ ଥିବା ସମ୍ପତ୍ତି ସେ କେଉଁଠି ନିବେଶ କରନ୍ତି, ସେ ସମ୍ପର୍କରେ ଜାଣିବା ପାଇଁ ଅନେକ ଲୋକ ଇଚ୍ଛା କରନ୍ତି । ତେବେ ଏ ନେଇ ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଡାଟା ଜାରି କରାଯାଇଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ଦରମା ଦରମା ହେଉଛି ପ୍ରାୟ ୨ ଲକ୍ଷ ଟଙ୍କା । ବେସିକ ଦରମା ବ୍ୟତୀତ ଡେଲି ଆଲାଉନ୍ସ, ସାଂସଦ ଭତ୍ତା ସମେତ ଅନ୍ୟାନ୍ୟ ଭତ୍ତା ମଧ୍ୟ ସାମିଲ ରହିଛି ।
କେତେ ରହିଛି ସମ୍ପତ୍ତି?
୨୦୨୨ ମସିହାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଦିଆଯାଇଥିବା ରିପୋର୍ଟରେ ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ମୋଟ ସ୍ଥାବର-ଅସ୍ଥାବର ସମ୍ପତ୍ତି ବିଷୟରେ ବିବରଣୀ ଦର୍ଶାଯାଇଛି । ଏହି ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୨.୨୩ କୋଟି ଟଙ୍କା । ଏଥିରେ ଅଧିକାଂଶ ବ୍ୟାଙ୍କ ଖାତାରେ ଜମା ରାଶି ରହିଛି । ଏହାବ୍ୟତୀତ ମୋଦୀଙ୍କ ନାମରେ ଗୁଜୁରାଟ ଗାନ୍ଧୀନଗରରେ ଏକ ଜମି ମଧ୍ୟ ରହିଥିଲା । କିନ୍ତୁ ପରେ ସେ ଏହାକୁ ଦାନ କରି ଦେଇଛନ୍ତି । ୨୦୦୨ ମସିହା ଅକ୍ଟୋବରରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଏକ ଆବାସୀୟ ଜମିକୁ ତୃତୀୟ ପାର୍ଟନର ଭାବରେ କିଣିଥିଲେ ପ୍ରଧାନମନ୍ତ୍ରୀ । ତେବେ ଏହି ଜମି(ନିଜ ଭାଗ)କୁ ସେ ଦାନ କରି ଦେଇଥିବା ବେଳେ ବର୍ତ୍ତମାନ ଏହା ଉପରେ ତାଙ୍କର କୌଣସି ଅଦିକାର ନାହିଁ ।
କେତେ ରହିଛି ଜମା ରାଶି?
ଏକ ରିପୋର୍ଟ ଅନୁଯାୟୀ, ପିଏମ ମୋଦୀଙ୍କ ନାମରେ କୌଣସି ବଣ୍ଡ୍ ନାହିଁ କିମ୍ବା ତାଙ୍କ ନାମରେ କୌଣସି ଶେୟାର ମଧ୍ୟ ନାହିଁ । ଏହାବ୍ୟତୀତ ତାଙ୍କ ପାଖରେ ନିଜର କୌଣସି ଗାଡ଼ି ନଥିବା ଏହି ରିପୋର୍ଟରୁ ଜାଣିବାକୁ ମିଳିଛି । ସେହିପରି ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ତାଙ୍କ ନାମରେ ୧.୭୩ ଲକ୍ଷ ଟଙ୍କା ମୂଲ୍ୟର ୪ଟି ସୁନା ଆଙ୍ଗୁଠି ଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ସେଭିଙ୍ଗସ ବିଷୟରେ କହିବାକୁ ଗଲେ, ପୋଷ୍ଟ ଅଫିସରେ ତାଙ୍କର ୯,୦୫,୧୦୫ ଟଙ୍କାର ନେସନାଲ ସେଭିଙ୍ଗସ ସାର୍ଟିଫିକେଟ ଏବଂ ୧,୮୯,୩୦୫ ଟଙ୍କାର ଜୀବନ ବୀମା ପଲିସି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ସରକାରୀ ଆବାସରେ ରହୁଛନ୍ତି ଏବଂ ନିଜର ସମସ୍ତ ଖର୍ଚ୍ଚ ନିଜେ ବହନ କରିଥାନ୍ତି । ତେବେ ପ୍ରଧାନମନ୍ତ୍ରୀ ହେବା ଦିନରୁ ଆଜି ପର୍ଯ୍ୟନ୍ତ ମୋଦୀ କେବେ ହେଲେ ଗୋଟିଏ ଦିନ ପାଇଁ ମଧ୍ୟ ଛୁଟି ନେଇ ନାହାନ୍ତି ।