କନଫର୍ମ ଟିକେଟ୍ କୁ କ୍ୟାନସେଲ ନ କରି ଅନ୍ୟ ନାମରେ ବଦଳାଇ ପାରିବେ, ଜାଣି ନିଅନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ:ବହୁବାର ଏପରି ହୋଇଥାଏ ଯେ, ଟ୍ରେନ୍ ରେ ଯାତ୍ରା କରିବା ଲାଗି ଆପଣ ଟିକେଟ୍ ତ ବୁକ୍ କରି ଦେଇଥାନ୍ତି କିନ୍ତୁ ଯାତ୍ରା ପୂର୍ବରୁ ଆପଣଙ୍କ ଯୋଜନା ବଦଳିଯାଏ । ଏପରି ସ୍ଥିତିରେ ଜଣେ ଯାତ୍ରୀ ଚିନ୍ତା କରିଥାଏ ତା ଟିକେଟ୍ ରେ ଆଉ କେହି ଯାତ୍ରା କରି ପାରନ୍ତା କି? କିନ୍ତୁ ଏ ନେଇ ରେଲୱେର ନିୟମ କଣ ରହିଛି ଜାଣି ନ ଥିବାରୁ ବହୁ ସମୟରେ ଯାତ୍ରୀ ଟିକେଟ୍ କ୍ୟାନସେଲ କରି ଦେଇଥାନ୍ତି । ଆପଣ ଏବେ ଚିନ୍ତା କରିବେ ଆପଣଙ୍କ ଟିକେଟରେ ଆଉ କେହି କିପରି ଯାତ୍ରା କରିପାରିବ । ଏହା ବ୍ୟତିତ ଅନଲାଇନ୍ ଟିକେଟ୍ ବୁକିଂ ସମୟରେ ପ୍ରାୟ ସମୟରେ ଲୋକମାନେ ଯାତ୍ରୀଙ୍କ ନାମ ଭରିବା ସମୟରେ ଭୁଲ୍ କରି ଦେଇଥାନ୍ତିି । ଏହାର ପରିଣାମ ଏହା ହୋଇଥାଏ ଯେ, ଆପଣ ଯାତ୍ରା କରି ନ ପାରିଲେ ଆପଣଙ୍କ ଟିକେଟ୍ କ୍ୟାନସେଲ ହୋଇଯାଏ ।

ଆଜି ଆମେ ଆପଣଙ୍କୁ କହିବୁ ଆପଣ ନିଜର କନଫର୍ମ ଟିକେଟ୍ରେ ଆପଣଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ କିପରି ଯାତ୍ରା କରାଇ ପାରିବେ । ଏଥିପାଇଁ ଆପଣଙ୍କୁ ଯାତ୍ରୀଙ୍କ ନାମ ବଦଳାଇବାକୁ ହେବ । ଆଇଆରସିଟିସି(ଇଣ୍ଡିଆନ୍ ରେଲୱେ କାଟରିଂ ଆଣ୍ଡ ଟୁରିଜିମ୍ କେର୍ପୋରେସନ) ଯାତ୍ରୀଙ୍କୁ ଏହି ସୁବିଧା ପ୍ରଦାନ କରିଥାଏ । ତେବେ ଏହି ପରିବର୍ତ୍ତନ ଗୋଟିଏ ଟିକେଟ୍ ରେ କେବଳ ଗୋଟିଏ ଥର କରାଯାଇପାରିବ ।

ଆପଣ ଟିକେଟ୍ କାଉଣ୍ଟରରୁ କିଣିଥାନ୍ତୁ କିମ୍ବା ଅନ୍ ଲାଇନ୍ରେ ବୁକିଂ କରିଥାନ୍ତୁ ସେଥିରେ ନାମ ବଦଳାଇବାକୁ ଆପଣଙ୍କୁ କାଉଣ୍ଟର ପର୍ଯ୍ୟନ୍ତ ହିଁ ଯିବାକୁ ହେବ । ଏଥପାଇଁ ଟିକେଟ୍ ର ପ୍ରିଣ୍ଟ ଆଉଟ୍ ଏବଂ ଯାହାର ନାମ ଦାଖଲ କରିବାକୁ ଚାହୁଁଛନ୍ତି ତାଙ୍କର ଅରିଜିନାଲ୍ ଆଇଡି ଏକ ଫଟୋ କପି ସହ କାଉଣ୍ଟରକୁ ନେଇକରି ଯିବାକୁ ହେବ । ଏହାପରେ ଅନଲାଇନ୍ କିମ୍ବା କାଉଣ୍ଟରରୁ ନିଆଯାଇଥିବା ଟିକେଟ୍ ରେ ନାମ ବଦଳିଯିବ ।
ଟିକେଟ୍ ରେ କୌଣସି ଯାତ୍ରୀଙ୍କ ନାମ ବଦଳାଇବାକୁ ଚାହୁଁଥିଲେ ଆପଣଙ୍କୁ କେତେକ ନିୟମ ଉପରେ ବି ଧ୍ୟାନ ଦେବାକୁ ହେବ । ଧ୍ୟାନ ରଖିବେ ଟ୍ରେନ୍ ଛାଡିବାର ୨୪ ଘଣ୍ଟା ପୂର୍ବରୁ ହିଁ ରିଜର୍ଭେସନ କାଉଣ୍ଟରରେ ଯାତ୍ରୀଙ୍କ ନାମ ବଦଳାଯାଇପାରିବ । ଏହାପରେ ଏହି ସୁବିଧା ବନ୍ଦ କରି ଦିଆଯାଏ । ଆପଣଙ୍କ କନଫର୍ମ ଟିକେଟ୍ ଆପଣ ବାପା-ମା, ଭାଇ-ଭଉଣୀ, ପୁଅ-ଝିଅ, ପତି-ପତ୍ନୀଙ୍କ ନାମରେ ବଦଳାଇ ପାରିବେ ।