ନକଲି ସିନ୍ଦୁର ବ୍ୟବହାର କରିବା ପଡ଼ିବ ମହଙ୍ଗା, ଜାଣନ୍ତୁ କିପରି ଚିହ୍ନିବେ ଅସଲି ସିନ୍ଦୁର

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ବିବାହିତ ମହିଳାଙ୍କ ପାଇଁ ‘ସିନ୍ଦୁର’ର ବିଶେଷ ମହତ୍ୱ ରହିଛି । ସିନ୍ଦୁରକୁ ସଧବାର ପ୍ରତୀକ ଭାବେ ବିବେଚିତ କରାଯାଇଛି । କାର୍ତ୍ତିକ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ସଧବା ମହିଳାଙ୍କ ଦ୍ୱାରା ‘କରୱା ଚୌଥ୍’ ବ୍ରତ ପାଳନ କରାଯାଇଥାଏ । ସେହିଦିନ ମହିଳାମାନେ ନିର୍ଜଳା ଉପବାସ ରଖିବା ସହ ୧୬ ଶୃଙ୍ଗାର କରିଥାନ୍ତି । ଆଉ ଏହି ଶୃଙ୍ଗାର ସିନ୍ଦୁର ବିନା ଅଧୁରା ଥାଏ । ତେଣୁ କରୱା ଚୌଥ୍ ବ୍ରତ ପାଇଁ ଶପିଂ କରିବା ପୂର୍ବରୁ ଅସଲି ଏବଂ ନକଲି ସିନ୍ଦୁର ବିଷୟରେ ଜାଣିରଖନ୍ତୁ ।
ଆଜିକାଲି ବଜାରରେ କିଛି ଲାଭଖୋର ବ୍ୟବସାୟୀ ଗ୍ରାହକଙ୍କୁ ଅସଲି ପରିବର୍ତ୍ତେ ନକଲି ଜିନିଷ ବିକ୍ରି କରୁଛନ୍ତି । ପନିପରିବା, ଫଳ, ଘିଅ, ସୌନ୍ଦର୍ଯ୍ୟ ପ୍ରସାଧନ ଇତ୍ୟାଦି ନାଁରେ କେମିକାଲଯୁକ୍ତ ଜିନିଷ ବିକ୍ରି କରୁଛନ୍ତି । ପରବର୍ତ୍ତୀ ସମୟରେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଦେଶର ବିଭିନ୍ନ ସ୍ଥାନରେ ସିନ୍ଦୁରର ରଂଗ ଭିନ୍ନ ଥାଏ । ଯେପରି ବିହାର ଏବଂ ଝାଡ଼ଖଣ୍ଡରେ ମହିଳାମାନେ କମଳା ରଂଗର ସିନ୍ଦୁର ବ୍ୟବହାର କରିଥାନ୍ତି । ଏହା ବ୍ୟତୀତ ନାଲି, ମେରୁନ୍, ଗୋଲାପି, ଲିକ୍ୱିଡ୍ ଭଳି ଅନେକ ପ୍ରକାରର ସିନ୍ଦୁର ମାର୍କେଟରେ ଉପଲବ୍ଧ ।

କିପରି ଜାଣିବେ ସିନ୍ଦୁର ଅସଲି ନା ନକଲି ?

ଅସଲି ସିନ୍ଦୁର ପ୍ରାକୃତିକ ଶୈଳିରେ ପ୍ରସ୍ତୁତ କରାଯାଇଥାଏ । ଏହା ଲାଲ କିମ୍ବା କମଳା- ଲାଲ ରଂଗର ଅଟେ । Kampillaka ନାମକ ଏକ ବୃକ୍ଷର ମଞ୍ଜି ଶୁଖାଇ ଗ୍ରାଇଣ୍ଡିଂ କରି ପ୍ରାକୃତିକ ସିନ୍ଦୁର ପ୍ରସ୍ତୁତ କରାଯାଇଥାଏ । ଏଥିରେ ଏକ ଭିନ୍ନ ମହକ ଥାଏ । ଅପରପକ୍ଷରେ ନକଲି ସିନ୍ଦୁର ରେ କେମିକାଲଯୁକ୍ତ ହୋଇଥିବାରୁ ଏଥିରେ ଅଧିକ ଚମକ ଦେଖାଯାଏ । ଏହା ଲଗାଇଲେ ଆପଣଙ୍କର କେଶ ଉପୁଡ଼ିଯିବାର ଭୟ ଥାଏ । ଟିକିଏ ସିନ୍ଦୁର ଦୁଇ ଆଙ୍ଗୁଳି/ ପାପୁଲିରେ ନେଇ ଘସନ୍ତୁ । ଏହା ପରେ ଫୁଙ୍କିଦିଅନ୍ତୁ । ଯଦି ଏହା ଉଡ଼ିଯିବ ତେବେ ସିନ୍ଦୁର ଅସଲି ବୋଲି ଜାଣିବେ । ସିନ୍ଦୁର ନକଲି ହେଲେ ଏହା ହାତରେ ଚିପକି ରହିଥାଏ ।

କିପରି ପ୍ରସ୍ତୁତ ହୋଇଥାଏ ନକଲି ସିନ୍ଦୁର ?

ନକଲି ସିନ୍ଦୁର ଦେଖିବାକୁ ଅବିକଳ ଅସଲି ସିନ୍ଦୁର ଭଳି । ଏଥିପାଇଁ ଚକଖଡ଼ି, କାଚ ଏବଂ ଅନ୍ୟ ସିନ୍ଥେଟିକ୍ ପଦାର୍ଥ/ ରଂଗ ବ୍ୟବହାର କରାଯାଇଥାଏ । ସେଥିପାଇଁ ଏହା ସହଜରେ ହାତରୁ ଛାଡ଼ିନଥାଏ । ନକଲି ସିନ୍ଦୁର ଲଗାଇଲେ କେଶରେ ରୁପି ଓ କୁଣ୍ଡିଆ ସମସ୍ୟା ସହ ସଂକ୍ରମଣ ହେବାର ଭୟ ରହିଥାଏ । ତେଣୁ ସିନ୍ଦୁର କିଣିବା ସମୟରେ ସତର୍କ ରୁହନ୍ତୁ ।

 

Get real time updates directly on you device, subscribe now.