ଆପଣାନ୍ତୁ ଏହି ସହଜ ଅଭ୍ୟାସ, କମିବ ହୃଦଘାତର ଆଶଙ୍କା
ହାର୍ଟକୁ ସୁସ୍ଥ ରଖିବାରେ ସହଜ ଜୀବନଶୈଳୀ ଟିପ୍ସ । ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ଉପରେ ଚମତ୍କାର ପ୍ରଭାବ ପକାଏ।
ଓଡ଼ିଶା ଭାସ୍କର: ଆଜିର ସମୟରେ ହୃଦ୍ରୋଗ ଅନ୍ୟତମ ଗମ୍ଭୀର ସମସ୍ୟା ପାଲଟି ଗଲାଣି। ହେଲେ ଏହାର ଠିକ୍ ସମୟରେ ଚିକିତ୍ସା କରାଇ ନେବା ଦରକାର। ନ ହେଲେ ତାହା ଜୀବନନାଶକ ହୋଇଥାଏ। ତେବେ ଆପଣ କ’ଣ ହୃଦଘାତରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ହୃଦରୋଗ ବିଶେଷଜ୍ଞ ଡାକ୍ତର ଜ୍ୟାକ୍ ଉଲ୍ଫସନ, ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିବା ପାଞ୍ଚଟି ସହଜ ଜୀବନଶୈଳୀ ଟିପ୍ସ ଦେଇଛନ୍ତି ।
ହୃଦରୋଗ ବିଶ୍ୱରେ ମୃତ୍ୟୁର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ, କିନ୍ତୁ ହୃଦରୋଗ ଭଳି ଅନେକ ବିପଦକୁ ନିୟନ୍ତ୍ରଣ କରିବା ଆମ ହାତରେ ରହିଛି। ବାସ୍ତବରେ, ସୁସ୍ଥ ନିରାମୟ ଜାବନଶୈଳୀ ଦ୍ବାରା ହୃଦଘାତର ଆଶଙ୍କା ହ୍ରାସ କରାଯାଇପାରିବ ଏବଂ ଦୀର୍ଘ ସମୟ ଧରି ହାର୍ଟ ସୁସ୍ଥ ରହିପାରିବ ।
ହୃଦରୋଗ ବିଶେଷଜ୍ଞ ଶେୟାର କଲେ ଅତି ସହଜ ଟିପ୍ସ୍: ହୃଦରୋଗ ବିଶେଷଜ୍ଞ ଡାକ୍ତର ଜ୍ୟାକ୍ ଉଲ୍ଫସନ ପ୍ରାୟତଃ ତାଙ୍କ ଇନଷ୍ଟାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ସବୁବେଳେ ସେୟାର କରନ୍ତି। ସେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ହୃଦଘାତରୁ ମୁକ୍ତି ପାଇବା ପାଇଁ ପାଞ୍ଚଟି ଅତି ସହଜ ଏବଂ ସଫଳ ପଦକ୍ଷେପ ବିଷୟରେ କହିଛନ୍ତି।
ବାହାରେ ଅଧିକ ସମୟ ବିତାଇବେ: ଡାକ୍ତର ଜ୍ୟାକଙ୍କ କହିବା ମୁତାବିକ, ଆପଣ ଯେତେ ଅଧିକ ସମୟ ବାହାରେ ବିତାଇବେ, ହୃଦଘାତର ଆଶଙ୍କା ସେତେ କମ୍ ହେବ। ବାସ୍ତବରେ ତାଜା ପବନ, ପ୍ରାକୃତିକ କିରଣ ଏବଂ ଚାଲିବା ଆପଣଙ୍କ ହାର୍ଟ ଏବଂ ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ଉପରେ ଚମତ୍କାର ପ୍ରଭାବ ପକାଏ।
ସୁନିଦ୍ରା ମଧ୍ୟ ହୃଦଘାତରୁ ଦିଏ ଆରାମ: ଡାକ୍ତର ଜ୍ୟାକଙ୍କ ଅନୁସାରେ, ଆପଣଙ୍କୁ ପ୍ରତିଦିନ ଆପଣଙ୍କ ଶୋଇବା ସମୟକୁ ଗୋଟିଏ ଘଣ୍ଟା ବଢ଼ାଇବା ଉଚିତ। ଫଳରେ ଭଲ ନିଦ୍ରା ହେବା ଦ୍ୱାରା ହାର୍ଟକୁ ଆରାମ ମିଳିଥାଏ। ଏହାସହ ସୁନିଦ୍ରା ହରମୋନ ବାଲାନ୍ସ କରିବାରେ ମଧ୍ୟ ସାହାଯ୍ୟ କରେ ।
ସ୍କ୍ରିନ୍ ଟାଇମ ହ୍ରାସ କରିବା ବହୁତ ଜରୁରୀ: ଆଜିର ଜୀବନଶୈଳୀରେ, ଟେକ୍ନୋଲୋଜି ବହୁତ ଜରୁରୀ ହୋଇଗଲାଣି, କିନ୍ତୁ ଡାକ୍ତର ଜ୍ୟାକ ଟେକ୍ନୋଲୋଜିଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କୁହିଛନ୍ତି ଯେ, ଯଦି ଆପଣ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଟେକ୍ନୋଲୋଜିଠାରୁ ଦୂରରେ ରହିବା ଭଲ। ଏଥିପାଇଁ ସ୍କ୍ରିନ ଟାଇମ କମ କରିବା ଦରକାର , ଯାହା ଦ୍ଵାରା ଜଣେ ଭଲରେ ଶୋଇପାରିବ। ଫଳରେ ସ୍ଟ୍ରେସ କମିବ ଏବଂ ଆପଣଙ୍କ ହାର୍ଟ ସୁସ୍ଥ ରହିବ ।
ଭୂମିରେ ଖାଲି ପାଦରେ ଚାଲିବା ଦରକାର:ଡାକ୍ତର ଜ୍ୟାକ କହିଛନ୍ତି ଯେ, ଯଦି ଆପଣ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଭୂମିରେ ଖାଲି ପାଦରେ ଚାଲିବା ଉଚିତ। ଏହାକୁ ଗ୍ରାଉଣ୍ଡିଂ କୁହାଯାଏ। ଗ୍ରାଉଣ୍ଡିଂ କରିବା ସମୟରେ ଆମର ଚର୍ମ ବା ସ୍କିନ ଭୂମି ସହିତ ଲାଗେ । ଏହା ଗୋଡର ଫୁଲା ଇତ୍ୟାଦି ସମସ୍ୟାକୁ ଦୂର କରେ ଏବଂ ରକ୍ତ ସଞ୍ଚାଳନ ଠିକ୍ ଠାକ୍ ହୁଏ ବୋଲି ବିଶ୍ୱାସ କରାଯାଏ।
ଭଗବାନଙ୍କ ନିକଟରେ କୃତଜ୍ଞ ହୁଅ: ଡାକ୍ତର ଜ୍ୟାକଙ୍କ ମତରେ, ଆମେ ଦିନକୁ ଅତି କମରେ ଥରେ ଭଗବାନଙ୍କୁ ଧନ୍ୟବାଦ ଦେବା ଉଚିତ। ଏହା ଆମର ଚାପ ସ୍ତରକୁ ହ୍ରାସ କରେ ଏବଂ ମନୋଭାବକୁ ଭଲ ରଖେ। ଏହି ପ୍ରକ୍ରିୟା କର୍ଟିସୋଲ ସ୍ତରକୁ ହ୍ରାସ କରିବା ସହ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।