ବଡ଼ ଖୁଲାସା, ମୁଣ୍ଡରୁ ଗଣ୍ଡିକୁ ଅଲଗା କରୁଥିଲେ, ନିଜ ପିଲାଙ୍କୁ ଖାଇଯାଉଥିଲେ ମଣିଷ !
ରିସର୍ଚରୁ ସାମ୍ନାକୁ ଆସିଲା ସତ, ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଖାଉଥିଲେ ମାଂସ।
ଓଡ଼ିଶାଭାସ୍କର: ନିଜ ଜନ୍ମକଲା ପିଲାଙ୍କୁ ଖାଇଯାଆନ୍ତି ମଣିଷ। ଏପରି ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର ମାନବ ଇତିହାସର ଏକ ବିଚଳିତକାରୀ ଦିଗକୁ ସାମ୍ନାକୁ ଆଣିଛି।
ଉତ୍ତର ସ୍ପେନରେ ହୋଇଥିବା ଏକ ଆବିଷ୍କାରକୁ ଆଧାର କରି ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ପ୍ରାୟ ୮୫୦,୦୦୦ ବର୍ଷ ପୂର୍ବେ ପ୍ରାଚୀନ ମାନବ ପ୍ରଜାତି ସେମାନଙ୍କର ପିଲାମାନଙ୍କୁ ଖାଇଯାଉଥିଲେ।
ପିଲାର ବେକରେ ହତ୍ୟାର ଚିହ୍ନ: ଏକ ରିପୋର୍ଟ ଅନୁଯାୟୀ, ଉତ୍ତର ସ୍ପେନର ଆଟାପୁଏର୍କାରେ ଥିବା ଗ୍ରାନ୍ ଡୋଲିନା ଗୁମ୍ଫାରେ ରିସର୍ଚ କରୁଥିବା ପ୍ରତ୍ନତତ୍ତ୍ୱବିତମାନେ ଏକ ମାନବ ବେକର ହାଡ଼ ଆବିଷ୍କାର କରିଛନ୍ତି।
ଏହି ହାଡ଼ଟି ଏକ ଦୁଇରୁ ଚାରିବର୍ଷ ମଧ୍ୟରେ ମୃତ୍ୟୁବରଣ କରିଥିବା ଏକ ଶିଶୁର ହାଡ଼ ବୋଲି ଜଣାପଡିଛି। ଗବେଷକମାନେ କହିଛନ୍ତି ଯେ ଏହି ହାଡ଼ରେ ହତ୍ୟାର ସ୍ପଷ୍ଟ ଚିହ୍ନ ଅଛି।
ଏହି ଚିହ୍ନଗୁଡ଼ିକ ସିଧାସଳଖ ପ୍ରମାଣ ଦେଉଛି ଯେ ଶିଶୁଟିର ମୁଣ୍ଡକୁ କାଟି ଖିଆଯାଇଛି। ବେକ ହାଡ଼ରେ ଦାନ୍ତ କାମୁଡ଼ା ଚିହ୍ନ ମଧ୍ୟ ମିଳିଛି। ଏହି ଚିହ୍ନଗୁଡ଼ିକ ହୋମୋ ପୂର୍ବପୁରୁଷଙ୍କର ବୋଲି ରିସର୍ଚରୁ ଜଣାପଡିଛି।
ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କାଟାଲାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ପାଲିଓଇକୋଲୋଜି ଆଣ୍ଡ୍ ସୋସିଆଲ୍ ଇଭୋଲୁସନ୍ (IPHES) ର ଏକ ଟିମଙ୍କ ଦ୍ୱାରା କରାଯାଇଛି। ଯାହା ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏହି ସ୍ଥାନକୁ ଖନନ କରିଆସୁଛନ୍ତି।
ହାଡ଼ରେ କଟା ଚିହ୍ନ: ଗ୍ରାନ୍ ଡୋଲିନା ଗୁମ୍ଫାରେ ଏପର୍ଯ୍ୟନ୍ତ ମିଳିଥିବା ପ୍ରାୟ ଏକ ତୃତୀୟାଂଶ ହାଡ଼ରେ କଟା ଚିହ୍ନ ଅଛି। ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ପୂର୍ବରୁ ମଣିଷ ନରଭକ୍ଷୀ ଥିଲେ।
ଗ୍ରାନ୍ ଡୋଲିନା ଖନନର ସହ-ନିର୍ଦ୍ଦେଶକ ଡକ୍ଟର ପାଲମିରା ସାଲାଦି କହିଛନ୍ତି ଯେ ଏହି ନିର୍ଦ୍ଦିଷ୍ଟ ଘଟଣା (ଶିଶୁର ହାଡ଼ର) ବହୁତ ଆଶ୍ଚର୍ଯ୍ୟଜନକ। କେବଳ ଶିଶୁର ବୟସ ପାଇଁ ନୁହେଁ, ବରଂ କଟା ଚିହ୍ନ ପାଇଁ ମଧ୍ୟ। ଯାହା ସୂଚାଉଛି କି ପୂର୍ବଜମାନେ ନିଜ ପିଲାଙ୍କୁ ଖାଇଯାଉଥିଲେ।
ଆବିଷ୍କାରରେ ମିଳିଥିବା ତଥ୍ୟରୁ ଜଣାପଡିଛି କି, ମାନବ ଅଙ୍ଗରୁ ମୁଣ୍ଡକୁ ପ୍ରଥମେ ଅଲଗା କରାଯାଇଥିଲା। ଯେଉଁଥିରେ କ୍ଷତ ଚିହ୍ନ ମଧ୍ୟ ରହିଛି। ଯାହାକି ସିଧାସଳଖ ପ୍ରମାଣିତ କରୁଛି କି ଶିଶୁଟିକୁ ଅତି ନିର୍ମମ ଭାବେ ବ୍ୟବହାର କରାଯାଇଛି। ଆଉ ଶିଶୁକୁ ଏପରି ଖାଇବାର ପ୍ରମାଣ ମିଳିବା ଅସାଧାରଣ।
ପୂର୍ବପୁରୁଷ ହୋମୋ: ହୋମୋ ପୂର୍ବପୁରୁଷଙ୍କ ପ୍ରଜାତି ପ୍ରାୟ ୧.୨ ନିୟୁତ ରୁ ୮୦୦,୦୦୦ ବର୍ଷ ପୂର୍ବେ ବଞ୍ଚିଥିଲା। ସେମାନେ ହାରାହାରି ଆଧୁନିକ ମଣିଷ ଅପେକ୍ଷା ଅଧିକ ମୋଟା ଏବଂ ଛୋଟ ଥିଲେ।