fbpx

ଶ୍ୱଶୁର ଏବଂ ସ୍ୱାମୀଙ୍କ ଅମାନୁଷିକ କାଣ୍ଡ; ଘରେ ବେଆଇନ୍ ଭାବେ କରାଇଲେ ଗର୍ଭପାତ, ୨୪ ବର୍ଷୀୟ ମହିଳାଙ୍କ ମୃତ୍ୟୁ

ପୁନେ: ଆଜିକାଲି ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ହେବାରେ ଲାଗିଛି । ଏହାର ଏକମାତ୍ର କାରଣ ହେଉଛି ବେଆଇନ୍ ଲିଙ୍ଗ ନିରୁପଣ କରାଇବା ଓ ଗର୍ଭରେ ହିଁ କନ୍ୟାଶିଶୁର ହତ୍ୟା କରିବା । ଏନେଇ ସରକାର ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଅଧିକାଂଶ ବ୍ୟକ୍ତି ପୁଅ ଆଶାରେ ନିରୀହ ମାଆ ଓ ଶିଶୁର ଜୀବନ ସହ ଖେଳା ଖେଳୁଛନ୍ତି । ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁନେ ଅଞ୍ଚଳରେ । ଜଣେ ମହିଳାଙ୍କ ଘରେ ଗର୍ଭପାତ କରାଇବା ଅଭିଯୋଗରେ ଶ୍ୱଶୁର ଏବଂ ସ୍ୱାମୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ୨୦୨୭ରେ ମୃତ ମହିଳା ଏବଂ ଅଭିଯୁକ୍ତ ସ୍ୱାମୀଙ୍କ ସହ ବିବାହ ହୋଇଥିଲା । ଦୁହିଁଙ୍କ ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ୨୪ ବର୍ଷୀୟ ମୃତ ମହିଳା ଜଣଙ୍କ ୩ୟ ଥର ପାଇଁ ଗର୍ଭଧାରଣ କରିଥିଲେ । କୌଣସି ମତେ ଯାଞ୍ଚ୍ କରାଇ ଶ୍ୱଶୁର ଘର ଲୋକ ମୃତ ମହିଳାଙ୍କ ପେଟରେ ଶିଶୁକନ୍ୟା ଥିବା ଜାଣିବାକୁ ପାଇଥିଲେ । ଏହା ପରେ ଘରେ ହିଁ ଶ୍ୱଶୁର ଏବଂ ସ୍ୱାମୀ ମୃତ ମହିଳାଙ୍କ ଗର୍ଭପାତ କରାଇବା ପାଇଁ ଷଡ଼ଯନ୍ତ୍ର କରିଲେ । ଘରେ ଏକ ପ୍ରାଇଭେଟ୍ ଡାକ୍ତରଙ୍କୁ ଡାକି ମହିଳାଙ୍କ ଗର୍ଭପାତ କରାଇଥିଲେ ଏବଂ ଭୃଣକୁ ଫାର୍ମ ହାଉସ କ୍ଷେତରେ ପୋତି ଦେଇଥିଲେ । ଗର୍ଭପାତ ସମୟରେ ମହିଳାଙ୍କ ବହୁତ ରକ୍ତସ୍ରାବ ହୋଇଥିଲା । ପରେ ଶ୍ୱଶୁର ଘର ଲୋକ ହସ୍ପିଟାଲ ନେବା ରାସ୍ତାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଥିଲେ । ଭାରତୀୟ ନ୍ୟାୟ ସଂହିତା ଧାରା ୯୧, ୯୦ ଏବଂ ୮୫ ଅନ୍ତର୍ଗତ ଏକ ମାମଲା ରୁଜୁ କରାଯାଇ ଇନ୍ଦାପୁରମ ପୋଲିସ ଅଧିକାରୀ ଅଭିଯୁକ୍ତ ଶ୍ୱଶୁର ଓ ସ୍ୱାମୀଙ୍କୁ ଗିରଫ କରିଥିଲେ ।

Get real time updates directly on you device, subscribe now.