fbpx

ରାଜନୀତି ମୈଦାନରେ ବିରଳ ସଂଯୋଗ: ଲୋକସଭା ଆସନରେ ପତି ଓ ପତ୍ନୀଙ୍କ ମଧ୍ୟରେ ହେବ ଜୋରଦାର ଲଢ଼େଇ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ କିଛି ରାଜନେତା ଦଳ ବଦଳ କରୁଛନ୍ତି । ବିଭିନ୍ନ ଦଳରୁ ଟିକେଟ ମିଳିବା ପରେ ନେତାମାନେ ନିଜ ନିଜ ନିର୍ବାଚନୀ କ୍ଷେତ୍ରମାନଙ୍କରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ବିରଳ ସଂଯୋଗ ।

ସାଧାରଣ ଭାବେ କୌଣସି ଲୋକସଭା ବା ବିଧାନସଭା ଆସନ ପାଇଁ ଗୋଟିଏ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେବା ପାଇଁ ବିପକ୍ଷ ଦଳ ପକ୍ଷରୁ ଜଣେ ଟାଣୁଆ ପ୍ରାର୍ଥୀଙ୍କ ସନ୍ଧାନ କରାଯାଇଥାଏ । ତେବେ ସ୍ୱାମୀ ଓ ଆଉ ସ୍ତ୍ରୀ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଘଟଣା ଆପଣମାନେ କେବେ ଶୁଣିଛନ୍ତି କି? ଏପରି ଘଟଣା ରାଜନୈତିକ ଇତିହାସରେ କ୍ୱଚିତ ଦେଖିବାକୁ ମିଳିଥାଏ । ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶର ଇଟାୱା ଲୋକସଭା ଆସନରୁ ସ୍ୱାମୀ-ସ୍ତ୍ରୀ ପରସ୍ପର ବିରୋଧରେ ଲଢ଼ୁଛନ୍ତି ।

ପ୍ରକୃତ କଥା ହେଉଛି, ଇଟାୱା ଆସନ ପାଇଁ ବିଜେପି ରାମଶଙ୍କର କଠେରିୟାଙ୍କୁ ପ୍ରାର୍ଥୀ କରିଥିବା ବେଳେ ପତିଙ୍କ ବିପକ୍ଷରେ ସ୍ୱାଧିନ ଭାବେ ଲଢ଼ିବା ପାଇଁ ପତ୍ନୀ ମୃଦୁଲା କଠେରିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨୦୧୯ରେ ଏହି ଆସନରୁ ରାମ ଶଙ୍କର ବିଜେପି ଟିକେଟରେ ଜିତିଥିବା ବେଳେ ୨୦୧୪ରେ ବିଜେପି ପ୍ରାର୍ଥୀ ଅଶୋକ ଦୋହରୀ ଜିତିଥିଲେ । ତେଣୁ ଏଥର ଏହି ଆସନ କବଜା କରି ହ୍ୟାଟ୍ରିକ ଅର୍ଜନ କରିବା ଲକ୍ଷ୍ୟରେ ରହିଛି ବିଜେପି ।

ଏଠାରେ କହିବାର କଥା ହେଉଛି, ଭାରତୀୟ ସମାଜରେ ବିବାହ ଏକ ସାମାଜିକ ବନ୍ଧନ ହୋଇଥିବା ବେଳେ ଉଭୟ ପତି ଓ ପତ୍ନୀ ସାତ ଜନମ ପାଇଁ ନିଜର ସୁଖ, ଦୁଃଖର ସାଥୀ ହୋଇଥାଆନ୍ତି । ଅନେକ କ୍ଷେତ୍ରରେ ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଃଖ ସହ୍ୟ କରିନପାରି ସ୍ତ୍ରୀ ମଧ୍ୟ ନିଜ ଜୀବନକୁ ହାରି ଦେଇଥାନ୍ତି । ତେଣୁ ସୁଖ, ଦୁଃଖର ଦୁଇ ସାଥୀ ଏବେ ନିର୍ବାଚନୀ ମୈଦାନରେ ପରସ୍ପର ବିରୋଧରେ ଲଢ଼େଇରେ ଅବତୀର୍ଣ୍ଣ ହେବ । ଏହାର ଫଳାଫଳ କ’ଣ ହେବ ତାହା ଜୁନ୍ ୪ରେ ହିଁ ଜଣାପଡ଼ିବ ।

Get real time updates directly on you device, subscribe now.