fbpx

ନିଜ ଅପହରଣର ଷଡ଼ଯନ୍ତ୍ର ରଚିଥିଲା ସ୍ୱାମୀ: ମେସେଜ କରି ପତ୍ନୀଙ୍କୁ ମାଗିଲା ଟଙ୍କା, କିନ୍ତୁ ଏପରି ଖୋଲିଗଲା ପୋଲ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରୀବାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଅଞ୍ଚଳରେ ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ଅପହରଣ ଷଡ଼ଯନ୍ତ୍ର ରଚିଥିଲା । ପତ୍ନୀଙ୍କ ମୋବାଇଲରେ ମେସେଜ କରି ଟଙ୍କା ମାଗିବାକୁ ପଛାଇନଥିଲା । କିନ୍ତୁ ୧୨ ଘଣ୍ଟା ମଧ୍ୟରେ ପୋଲିସ ଏହାର ପର୍ଦ୍ଦାଫାସ କରିଦେଲା ।

ତେବେ ଏହି ଘଟଣାଟି ରୀବା ଜିଲ୍ଲା ଡକାୟତି ପ୍ରଭାବିତ ପନୱାରରେ ଘଟିଛି । ସେଠାରେ ରହୁଥିବା ୪୦ ବର୍ଷୀୟ ରାଜରାମ ପଟେଲଙ୍କ ଅପହରଣ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଅପହୃତଙ୍କୁ ଛାଡିବା ପାଇଁ ଟଙ୍କା ମଗାଯାଇଥିଲା ।

ପତ୍ନୀଙ୍କ ମୋବାଇଲକୁ ମେସେଜ ଜରିଆରେ ଟଙ୍କା ମଗାଯାଇଥିଲା । କିନ୍ତୁ ଏନେଇ ପୋଲିସକୁ ସୂଚନା ଦେଇଥିଲେ ପତ୍ନୀ । ଖବର ପାଇବା ପରେ ଆକ୍ସନମୋଡକୁ ଆସିଥିଲା ପୋଲିସ । ଅପହରଣକାରୀଙ୍କୁ ଧରିବା ପାଇଁ ଏକ ଟିମ୍ ପ୍ରସ୍ତୁତ କରିବା ସହ ସାଇବର ସେଲକୁ ଲୋକେସନ ଟ୍ରେସ୍ କରିବାକୁ କୁହାଗଲା । ଅପହରଣକାରୀ ମାତ୍ର ୨୫ ହଜାର ଟଙ୍କା ମାଗିଥିଲା, ଯାହାକି ପୋଲିସକୁ ସନ୍ଦେହଘେରକୁ ଆଣିଥିଲା । କାରଣ ଡକାୟତିମାନେ ଏତେ ଖତରନାକ୍ ପଦକ୍ଷେପ ନେବାପରେ କମ୍ ଟଙ୍କା ମାଗନ୍ତିନାହିଁ ।

ଏହାରି ମଧ୍ୟରେ ରାଜାରାମ ଯେଉଁ ଫୋନରୁ ମେସେଜ କରିଥିଲେ, ତାହା ଚାଲୁ ହେବାରୁ ପୋଲିସ ତାର ଲୋକେସନ ପାଇଥିଲା । ରାଜାରାମଙ୍କୁ ସତନା ରେଳ ଷ୍ଟେସନରୁ ଧରିବା ପରେ ଖୋଲିଥିଲା ପୋଲ । ଖବର ମୁତାବକ, ରାଜାରାମ ଗାଁଲୋକଙ୍କଠାରୁ ଟଙ୍କା ଋଣ ନେଇଥିଲା । ଋଣ ଶୁଝିବା ପାଇଁ ସେ ଏପରି ଏକ ଷଡ଼ଯନ୍ତ୍ରର ଯୋଜନା କରିଥିଲା । ଘରୁ ଫେରାର୍ ହୋଇ ସାଙ୍ଗ ମୋବାଇଲରୁ ପତ୍ନୀଙ୍କୁ ମେସେଜ କରିଥିଲା ଓ ଟଙ୍କା ମାଗିଥିଲା । ଅପହରଣର ମାଷ୍ଟରମାଇଣ୍ଡ ଖୋଦ୍ ଅପହୃତ ଯୁବକ ଥିଲା ।

Get real time updates directly on you device, subscribe now.