ସ୍ତ୍ରୀ ଅତ୍ୟାଚାର ସହିପାରିଲାନି ସ୍ୱାମୀ, ନିଜ ଦେହରେ ଲଗାଇଲା ନିଆଁ
ସହି ପାରିଲାନି ପତ୍ନୀର ଯାତନା। ଛାଡ଼ପତ୍ର ନ ଦେବାକୁ ସ୍ତ୍ରୀଙ୍କୁ କରିପାରିଲେନି ରାଜି। ପତ୍ନୀଙ୍କ ସାମ୍ନାରେ ନିଜ ଦେହରେ ନିଆଁ ଲଗାଇଦେଲେ ସ୍ୱାମୀ। ଘଟଣା ସ୍ଥଳରେ ଚାଲିଗଲା ଜୀବନ।
ବେଙ୍ଗାଲୁରୁ: ସ୍ତ୍ରୀ ସାମ୍ନାରେ ନିଜକୁ ଜାଳିଦେଲା ସ୍ୱାମୀ। ସହି ପାରିଲାନି ପତ୍ନୀର ଯାତନା। ସ୍ତ୍ରୀଠୁ ବିଚ୍ଛେଦ ହେବା ଦୁଃଖ ସ୍ୱାମୀଙ୍କୁ ଜୀବନ ହାରିବାକୁ ବାଧ୍ୟ କରିଦେଲା।
ପୁଣି ଥରେ ଦେଖିବାକୁ ମିଳିଲା ବେଙ୍ଗାଲୁରୁରେ ଆଉ ଜଣେ ଅତୁଲ ସୁଭାଷଙ୍କ କାହାଣୀ। ଏଥର ବି ସ୍ୱାମୀ ଜଣକ ଛାଡ଼ପତ୍ର ନଦେବାକୁ ମନାଇପାରିଲେନି ପତ୍ନୀଙ୍କୁ। ଶେଷରେ ନିଜ ସ୍ତ୍ରୀଙ୍କ ଆଗରେ ପେଟ୍ରୋଲ ଢାଳି ଜୀବନ ହାରିଦେଲେ ସ୍ୱାମୀ।
ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିଲା ବିବାଦ: ଘଟଣା ଘଟିଛି ବେଙ୍ଗାଲୁରୁର ନାଗରଭାବି ଅଞ୍ଚଳରେ। ମୃତ 39 ବର୍ଷୀୟ ମଞ୍ଜୁନାଥ ଓ ପତ୍ନୀ ନୟନା ରାଜଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଚାଲିଥିଲା ବିବାଦ।
ମଞ୍ଜୁନାଥ ୨୦୧୩ ମସିହାରେ ନୟନାଙ୍କୁ ବିବାହ କରିଥିଲେ। ବିବାହ ପରେ ସେମାନେ ବେଙ୍ଗାଲୁରୁରେ ଏକ ଫ୍ଲାଟରେ ରହୁଥିଲେ। ଏହି ଦମ୍ପତିଙ୍କର ଏକ 9 ବର୍ଷର ପୁଅ ମଧ୍ୟ ଅଛି।
ଦୁହିଁଙ୍କ ମଧ୍ୟରେ ମତଭେଦ ପରେ, ମଞ୍ଜୁନାଥ ଦୁଇ ବର୍ଷ ଧରି ଅଲଗା ରହୁଥିଲେ। ଦୁହେଁ ଛାଡପତ୍ର ପାଇଁ କୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ।
କାହିଁକି ହାରିଲେ ଜୀବନ: ଯଦିଓ ଦୁହେଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ, ହେଲେ ମଞ୍ଜୁନାଥ ଛାଡ଼ପତ୍ର ଦେବାକୁ ରାଜି ନଥିଲେ। କାରଣ ତାଙ୍କର ଏକ ଛୋଟ ପୁଅ ଥିଲା।
ସେଥିପାଇଁ ମଞ୍ଜୁନାଥ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଆବେଦନ ପ୍ରତ୍ୟାହାର କରିବାକୁ ରାଜି କରାଇବା ପାଇଁ ତାଙ୍କ ଘରକୁ ଯାଇଥିଲେ। ହେଲେ ତାଙ୍କ ସ୍ତ୍ରୀ ଛାଡ଼ପତ୍ର ପ୍ରତ୍ୟାହାର କରିବାକୁ ସିଧାସଳଖ ମନା କରିଦେଇଥିବା ପୋଲିସ ସୂଚନା ଦେଇଛି।
ସ୍ତ୍ରୀ ରାଜି ନହେବାରୁ ଭୟଙ୍କର ପଦକ୍ଷେପ: ଯେତେବେଳେ ସ୍ତ୍ରୀ ଛାଡ଼ପତ୍ର ପ୍ରତ୍ୟାହାର କରିନେବାକୁ ରାଜି ନ ହେଲେ, ମଞ୍ଜୁନାଥ ତାଙ୍କ ଘରର କରିଡର ସାମ୍ନାରେ ପେଟ୍ରୋଲର ଏକ ଜାର୍ ଆଣିଲେ।
ନିଜ ଦେହରେ ପେଟ୍ରୋଲ ଢ଼ାଳି ସ୍ତ୍ରୀ ଆଗରେ ନିଆଁ ଲଗାଇଦେଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ବାପା ମାଆଙ୍କ ଅଭିଯୋଗ: ମଞ୍ଜୁନାଥଙ୍କ ବାପାମାଆ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅର ମୃତ୍ୟୁ ପାଇଁ ତାଙ୍କ ସ୍ତ୍ରୀ ହିଁ ଦାୟୀ। ଜ୍ଞାନଭାରତୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୂର୍ବରୁ ଏପରି ମାମଲା ସାମ୍ନାକୁ ଆସିଛି: ପୂର୍ବରୁ, ବେଙ୍ଗାଲୁରୁର ଜଣେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷ ତାଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ନିର୍ଯାତନା ଏବଂ ଛାଡପତ୍ର ସମାଧାନ ପାଇଁ 3 କୋଟି ଟଙ୍କା ଦାବି କରିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ଅତୁଲ ସୁଭାଷ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ଛାଡପତ୍ର ସମାଧାନ ପାଇଁ 3 କୋଟି ଟଙ୍କା ଦାବି କରିଥିଲେ। ପରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଅତୁଲ ଜୀବନ ହାରିଥିଲେ।
ଆଉ ଏବେ ମଞ୍ଜୁନାଥଙ୍କ ଜୀବନ ହାରିବା ଘଟଣା ସାମ୍ନାକୁ ଆସିବା ପରେ ଅତୁଲଙ୍କ ଘଟଣା ମଧ୍ୟ ଜୀବନ୍ତ ହୋଇ ଉଠିଛି।