fbpx
BSKY
BJD MC SKY
BJD MS SKY

ବୁଲେଟ୍‌ ଟ୍ରେନ୍‌, ବୋଇଂ ବିମାନଠୁ ଦ୍ରୁତ ‘ହାଇପର୍‌ଲୁପ୍‌’, ଏହି ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ

ଅର୍ଥ ଓ ପରିବେଶ ଏହି ପ୍ରୋଜେକ୍ଟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ବେଶ କିଛି ଦିନ ଧରି ଏକ ନୂଆ କୌଶଳକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି, ଯାହା ସାର୍ବଜନୀନ ଯାତାୟତ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବ ବୋଲି ଦାବି କରାଯାଉଛି । ଏହି କୌଶଳର ନାଁ ‘ହାଇପର୍‌ଲୁପ୍‌’ । ଏହା ଏକ ଚୁମ୍ବକୀୟ କ୍ୟାପ୍‌ସୁଲ, ଯାହା ଭୂମିଠୁ ଟିକିଏ ଉପରେ ଘଣ୍ଟା ପ୍ରତି ୧୨୨୩ କିମି ବେଗରେ ଗତି କରିବ । ଏହା ବିଶ୍ୱର ସବୁଠୁ ଦ୍ରୁତ ବୁଲେଟ୍‌ ଟ୍ରେନ୍‌ ହେବ । ଜାପାନର ଶିନ୍‌କାନ୍‌ସେନ୍‌ ଟ୍ରେନ୍‌ଠୁ ୩.୫ ଗୁଣା ଅଧିକ ଦ୍ରୁତ ହେବ । ବୋଇଙ୍ଗ ୭୪୭ ବିମାନଠାରୁ ମଧ୍ୟ ଏହାର ବେଗ ଅଧିକ ହେବ ।

ସୂଚନାଯୋଗ୍ୟ, ଏଲନ୍‌ ମସ୍କ ୨୦୧୩ରେ ୫୮ ପୃଷ୍ଠାର ‘ହାଇପର୍‌ଲୁପ୍‌ ଉଲ୍‌ଫା’ ନାମକ ରିସର୍ଚ୍ଚ ପେପର ରଚନା କରିଥିଲେ । ଏହି ପେପର୍‌ରେ ସେ ଡିଜାଇନ୍‌, ଖର୍ଚ୍ଚ ଓ ଏହି ଅବଧାରଣାର ସୁରକ୍ଷା ସମ୍ପର୍କରେ ଜୋର୍‌ ଦେଇଥିଲେ । ସେତେ ବେଳେ ଏହି ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଏଲନ୍‌ ମସ୍କ ନିଜେ ଏହି ପ୍ରୋଜେକ୍ଟ ଉପରେ କାମ କରୁନାହାନ୍ତି । ଭର୍ଜିନ୍‌ ହାଇପର୍‌ଲୁପ୍‌ ଓ ହାଇପର୍‌ଲୁପ୍‌ ଟିଟି ନାମରେ ଦୁଇ କମ୍ପାନି ଏହି ବିଚାରକୁ ସତରେ ରୂପାନ୍ତରିତ କରିବା ଲାଗି କାମ କରୁଛନ୍ତି । ଭର୍ଜିନ୍‌ ହାଇପର୍‌ଲୁପ୍‌ ଏଥିରେ ଯାତ୍ରୀଙ୍କ ସହିତ ପରୀକ୍ଷାମୂଳକ ଯାତ୍ରା ମଧ୍ୟ କରିସାରିଛି । ୨୦୨୦ ଶେଷରେ ଲାସ ଭେଗାସ ଓ ନେଭାଦା ମଧ୍ୟରେ ଏହି କମ୍ପାନିର ପରୀକ୍ଷଣ ସଫଳ ହୋଇଥିଲା । କମ୍ପାନିର ସହ ପ୍ରତିଷ୍ଠାତା ଜୋଶ ଗିଗଲ ଓ ପ୍ୟାସେଞ୍ଜର ଏକ୍ସପିରିଏନ୍ସ ମୁଖ୍ୟ ସାରା ଲୁଶିୟନ୍‌ ଏହି ଯାତ୍ରାରେ ସାମିଲ ଥିଲେ। ଦୁଇ ସହର ମଧ୍ୟରେ ଯାତ୍ରାକୁ ଅଧିକ ସହଜ କରିବା ଭବିଷ୍ୟତର ଏହି କୌଶଳର ଉଦ୍ଦେଶ୍ୟ । ଏଥିରେ ବିମାନ ତୁଳନାରେ ପ୍ରଦୂଷଣ କମ୍‌ ହେବ ।

ଯାତ୍ରାରେ କମ୍‌ ସମୟ ଲାଗିବା ଯୋଗୁ ଅର୍ଥନୀତି ଓ ପର୍ଯ୍ୟଟନକୁ ପ୍ରୋତ୍ସାହନର ସମ୍ଭାବନା ମଧ୍ୟ ବଢ଼ିବ । ଅର୍ଥ ଓ ପରିବେଶ ଏହି ପ୍ରୋଜେକ୍ଟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ । ହାଇପର୍‌ଲୁପ୍‌ ପାରମ୍ପରିକ ଟ୍ରେନ୍‌ରୁ ଭିନ୍ନ । ଏହା ପଡ୍‌ସ ଅଣ୍ଡରଗ୍ରାଉଣ୍ଡ ଟ୍ୟୁବ୍‌ ଦେଇ ଗତି କରିବ । ଫ୍ରିକ୍‌ସନକୁ କମ୍‌ କରିବା ଲାଗି ଏହି ଟ୍ୟୁବ୍‌ରୁ ମାତ୍ରାଧିକ ପବନ ବାହାର କରାଯିବ । ସେଥିପାଇଁ ଏହି ପଡ୍‌ସ ଘଣ୍ଟା ପ୍ରତି ୧୨୨୩ କିମି ବେଗରେ ଗତି କରିବ । ଟ୍ରେନ୍‌ ବା କାର୍‌ ଭଳି ଚକାରେ ଗତି କରିବା ପରିବର୍ତ୍ତେ ଏହି ପଡ୍‌ସ ଭୂମିଠୁ ଟିକିଏ ଉପରେ ପବନରେ ଭାସିବ ଅଥବା ଫ୍ରିକ୍‌ସନ କମାଇବା ଲାଗି ପଡ୍‌ସରେ ଚୁମ୍ବକୀୟ ଲେଭିଟେସନ୍‌ ପ୍ରୟୋଗ କରାଯିବ । ଚୁମ୍ବକୀୟ ଲେଭିଟେସନ୍‌ କୌଶଳ ହାଇପର୍‌ଲୁପ୍‌ର ବୃଦ୍ଧି ହିସାବରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।

ଗିଗଲ୍‌ କହିଛନ୍ତି, ଭର୍ଜିନ୍‌ ହାଇପର୍‌ଲୁପ୍‌ ଭାରତରେ ଯାତ୍ରୀବାହି ମାର୍ଗ ନିର୍ମାଣ ବିଷୟରେ ଚିନ୍ତା କରୁଛି । ଏ ଧରଣର ଯାତ୍ରୀବାହି ମାର୍ଗ ସାଉଦି ଆରବରେ ନିର୍ମାଣ ଲାଗି ଯୋଜନା କରାଯାଉଛି । ଏହି କୌଶଳ ଜରିଆରେ ଲଣ୍ଡନରୁ ପ୍ୟାରିସ୍‌ ମାତ୍ର ଅଧ ଘଣ୍ଟା ଏବଂ ଲସ୍‌ ଆଞ୍ଜେଲସରୁ ସାନ୍‌ ଫ୍ରାନ୍ସିସ୍କୋ କେବଳ ୪୫ ମିନିଟ୍‌ରେ ପହଞ୍ଚିହେବ । ଆଗାମୀ କିଛି ବର୍ଷ ମଧ୍ୟରେ ଲୋକେ ଏହି କୌଶଳର ଲାଭ ଉଠାଇପାରିବେ ।

Get real time updates directly on you device, subscribe now.