fbpx

ମୁଁ ବଞ୍ଚିଛି , ଆମ ଘରକୁ ଖବର ଦିଅ… ମେଡ଼ିକାଲରେ ଏମିତି କହିଲେ ଆହତ ବାଳକ

Advertisement

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ଅନେକ ଯାତ୍ରୀ ଏବେ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ପରିବାର ଲୋକେ ଘଟଣାସ୍ଥଳରେ ଖୋଜିବା ପରେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟଙ୍କୁ ପାଉନାହାନ୍ତି । ସେହିଭଳି ଏକ ଘଟଣା ଆସିଛି କଟକ ଏସସିବି ମେଡ଼ିକାଲରୁ , । ବିହାରରୁ କରମଣ୍ଡଳ ଏକ୍ସପ୍ରେସ୍ରେ ଯାତ୍ରା କରୁଥିଲେ ୧୯ ବର୍ଷୀୟ ସୁରଜ କୁମାର । କିନ୍ତୁ ଦୁର୍ଘଟଣା ଯୋଗୁଁ ଲକ୍ଷ୍ୟସ୍ଥଳ ବଦଳରେ ପହଁଞ୍ଚିଥିଲେ କଟକ ମେଡ଼ିକାଲରେ । ଚିକତ୍ସା ପରେ ସୁସ୍ଥ ହୋଇ ଘରକୁ ଯିବା ପାଇଁ ବାହାରିଛନ୍ତି ।

ହଠାତ୍ ବେଡରୁ ଉଠି ତାଙ୍କ ବଞ୍ଚିବା ଖବର ଘରେ ପହଁଞ୍ଚାଇବା ପାଇଁ କହିଛନ୍ତି । ଯାତ୍ରୀଙ୍କ କହିବା ଅନୁସାରେ, ଶୁକ୍ରବାର ଦିନର ଦୁର୍ଘଟଣା ବେଶ୍ ଭୟଙ୍କର ଥିଲା ଏବଂ ତାଙ୍କୁ ଏହି ଦୁର୍ଘଟଣା ଭୟଭୀତ ମଧ୍ୟ କରିଦେଇଛି । ସେ କହିଥିଲେ ତାଙ୍କର ଆଖି ସାମ୍ନାରେ ରେଳର ବଗିଗୁଡ଼ିକ ଲାଇନ ଚ୍ୟୁତ ହୋଇ ତଳକୁ ଓଲଟି ପଡ଼ିଥିଲା । ସେ ଯେଉଁ ବଗିରେ ଯାଉଥିଲେ ସେହି ବଗିରେ ଥିବା ସିଟ୍ ରଡ୍ଟି ତାଙ୍କ ଆଖିରେ ଓ ମୁଣ୍ଡରେ ବାଜିଥିଲା ।ଆଖିକୁ ସାମାନ୍ୟ ମାଡ଼ ହୋଇଥିଲା ।

ଚାରିଆଡ଼େ ଲୋକଙ୍କର ଚିତ୍କାର ଶୁଣା ଯାଉଥିଲା । ମୃତ୍ୟୁମୁଖରୁ ଅଳ୍ପରେ ବଞ୍ଚି କଟକର ଏସସିବି ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ଦୁର୍ଘଟଣାସ୍ଥଳରେ ତାଙ୍କର ମୋବାଇଲ ହଜି ଯାଇଥିବାରୁ ସେ ପରିବାର ଲୋକଙ୍କ ସହ କୌଣସି ଯୋଗାଯୋଗ କରିପାରିନଥିଲେ । ସେ କହିଥିଲେ ଯେ ମୋ ପରିବାର ଲୋକ ମତେ ଖୋଜୁଥିବେ , ମୋର ମୃତ୍ୟୁ ହୋଇସାରିଥିବ ବୋଲି ମଧ୍ୟ ଭାବୁଥିବେ । କେମିତି ଘରକୁ ଫେରିବି କିଛି ବୁଝିପାରୁନି, ଘର ଲୋକଙ୍କ ଫୋନ ନମ୍ବର ମଧ୍ୟ ମନେ ନାହିଁ । ଏମିତି କହି ସେ କାନ୍ଦି ପକାଇଥିଲେ ଏବଂ କହିଥିଲେ, ମୋ ଘର ଲୋକଙ୍କୁ ଖବର ଦିଅ ମୁଁ ବଞ୍ଚିଛି । ମୋ ପରିବାର ଲୋକେ ଆସି ମୋତେ ଏଠାରୁ ନେଇଯିବେ ।

Get real time updates directly on you device, subscribe now.